ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ; ସେବା ସପ୍ତାହ-ବେରୋଜଗାର ଦିବସ ପାଳନକୁ ନେଇ ତେଜିଲା ରାଜନୀତି
Advertisement

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ; ସେବା ସପ୍ତାହ-ବେରୋଜଗାର ଦିବସ ପାଳନକୁ ନେଇ ତେଜିଲା ରାଜନୀତି

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।  

 ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ; ସେବା ସପ୍ତାହ-ବେରୋଜଗାର ଦିବସ ପାଳନକୁ ନେଇ ତେଜିଲା ରାଜନୀତି

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କ (Prime Minister Modi) ଜନ୍ମଦିନ ଅବସରରେ ଚର୍ଚ୍ଚାର ପରିସରକୁ ଆସିଛି ସେବା ସପ୍ତାହ (SevaSaptaha) ବନାମ ବେରୋଜଗାର ଦିବସ(BerogarDiwas)। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏମିତି କିଛି ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା। 

ବର୍ଷକୁ ୨ କୋଟି ନିଯୁକ୍ତିର କଥା କହିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟରେ ଦେଶରେ ବେକାରୀ ରେକର୍ଡ ଭାଙ୍ଗିଥିବାରୁ କଂଗ୍ରେସ ମୋଦିଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ଭାବେ ପାଳନ କରିଛି । ଓଡିଶା ପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ପକୁଡି ବାଣ୍ଟିଛନ୍ତି । ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଦଳର ଶତାଧିକ କାର୍ମକର୍ତ୍ତା ପକୁଡି ତିଆରି କରି ଅଭିନବ ପ୍ରତିବାଦ କରିଛନ୍ତି । 

ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ବେକାରୀ ସର୍ବାଧିକ ହୋଇଥିବାବେଳେ ଅର୍ଥନୀତି ଭୁଶୁଡି ପଡିଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ଭାବେ ପାଳନ କରାଯାଇ ଥିବାବେଳେ ଆଗକୁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଯୁବ ସମାଜ ଭିକ୍ଷାଥାଳି ଧରି ଭିକ୍ଷା ମାଗି ପ୍ରତିବାଦ କରିବେ ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି । ଏପରିକି କଂଗ୍ରେସର ବରିଷ୍ଠ ନେତା ମଧ୍ୟ ମୋଦିଙ୍କୁ ସମାଲୋଚନା କରିଛନ୍ତି । 

ଅନ୍ୟପକ୍ଷେ ମୋଦିଙ୍କ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ କରାଯାଇଛି । ବିଭିନ୍ନ ବସ୍ତି ତଥା ଗରିବ ଲୋକଙ୍କୁ ବିଜେପି କର୍ମକର୍ତ୍ତା ସାମଗ୍ରୀ ବଣ୍ଟନ କରିବା ସହ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଉଛି ।  ଅନ୍ୟପକ୍ଷେ ମୋଦିଙ୍କ ଜନ୍ମଦିବସରେ ବିଜେପି ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ଦୀପଦାନ ମଧ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ୭୦ ବର୍ଷରେ ପଦାର୍ପଣ କରିଥିବାରୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦଳ ପକ୍ଷରୁ ୭୦ଟି ଦୀପ ଦିଆଯାଇଛି।

ମୋଦିଙ୍କ ଶାସନ କାଳରେ ଭାରତକୁ ଏକ ନୂଆ ଦିଶା ମିଳିଥିବାବେଳେ ସ୍ୱଚ୍ଛ ଶାସନ ଦେଖିବାକୁ ପାଇଛି ଦେଶ । ଏଭଳି ସ୍ଥିତିରେ ମୋଦିଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି ଦଳୀୟ ନେତା । ଏହାସହିତ କଂଗ୍ରେସ ଜଣେ ଏଭଳି ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ତାର ଫଳ ୬ ବର୍ଷ ଧରି ଭୋଗୁଥିବାବେଳେ ଆଗକୁ ମଧ୍ୟ ଭୋଗିବ ବୋଲି ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ।