'ମୋଦି ମୋତେ ଇର୍ଷା କରୁଛନ୍ତି'
Advertisement

'ମୋଦି ମୋତେ ଇର୍ଷା କରୁଛନ୍ତି'

ସେଣ୍ଟ ଏଗିଡିଓ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ହେବାକୁ ଥିବା ଶାନ୍ତି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ଇଟାଲୀକୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତାମାସ ୬ ଏବଂ ୭ ତାରିଖରେ ରୋମରେ ଅନୁଷ୍ଠିତ ହେବ।

ଫାଇଲ ଫଟୋ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଦେଶ ଗସ୍ତକୁ କେନ୍ଦ୍ରର ନା। ଦିଦିଙ୍କୁ ଇଟାଲି ଯିବାକୁ ବିଦେଶ ମନ୍ତ୍ରାଳୟ ଅନୁମତି ଦେଇନାହିଁ। ଯାହାକୁ ନେଇ ସେ ଆହତ ବାଘୁଣୀ ପାଲଟିଯାଇଛନ୍ତି। ଏକ ଏନଜିଓ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମମତା ବାନାର୍ଜୀଙ୍କୁ ଇଟାଲୀ (ରୋମ) ଯିବାକୁ ଅନୁମତି ନ ମିଳିବାର କିଛି ଘଣ୍ଟା ପରେ ସେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି।  ତାଙ୍କୁ କେବଳ 'ଇର୍ଷା କାରଣରୁ' ଅଟକାଇ ଦିଆଯାଇଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। 

ସେଣ୍ଟ ଏଗିଡିଓ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ହେବାକୁ ଥିବା ଶାନ୍ତି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ଇଟାଲୀକୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତାମାସ ୬ ଏବଂ ୭ ତାରିଖରେ ରୋମରେ ଅନୁଷ୍ଠିତ ହେବ। ନୋବେଲ ବିଜେତା ମଦର ଟେରେସାଙ୍କ ଉପରେ କାର୍ଯ୍ୟକ୍ରମ ହେବା ନେଇ ସୂଚନା ରହିଛି। ତେବେ ପଶ୍ଚିମବଙ୍ଗ ସରକାର, ବୈଦେଶିକ ମନ୍ତ୍ରଣାଳୟର ଏକ ଚିଠି ପାଇବା ପରେ ବିବାଦ ଆରମ୍ଭ ହୋଇଛି। ଏହି ଚିଠିରେ ଲେଖାଥିଲା, 'ଏହି କାର୍ଯ୍ୟକ୍ରମ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଂଶଗ୍ରହଣ ପାଇଁ ଅନୁକୂଳ ନୁହେଁ।' 

Also Read: Pipili Bypoll ପୂର୍ବରୁ BJD ମୁହାଁ ଶତାଧିକ BJP-କଂଗ୍ରେସ କର୍ମୀ

ସାମାଜିକ ସେବା (Social Service)  ପାଇଁ ଉତ୍ସର୍ଗୀକୃତ ଏକ କ୍ୟାଥୋଲିକ୍ ଆସୋସିଏସନ୍ ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ 'ପିପୁଲ୍ସ ଏଜ୍ ବ୍ରଦର୍ସ, ଫ୍ୟୁଚର ଆର୍ଥ' ବିଷୟବସ୍ତୁ ଉପରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ପୋପ୍ ଫ୍ରାନ୍ସିସ୍, ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିହି, ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।

ନିମନ୍ତ୍ରଣ ପାଇ ଭବାନୀପୁର (Bhabanipur) ରେ ଉପ-ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରୋମ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେ ରୋମ ଯିବାକୁ ପ୍ରସ୍ତୁତ ମଧ୍ୟ ହେଉଥିଲେ, କିନ୍ତୁ ହଠାତ୍ କେନ୍ଦ୍ର ସରକାରଙ୍କ ଚିଠି ସବୁକିଛି ବଦଳାଇ ଦେଇଛି। ଭବନୀପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶନିବାର ମୁଖ୍ୟମନ୍ତ୍ରୀ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ କହିଛନ୍ତି, 'ପ୍ରଧାନମନ୍ତ୍ରୀ (PM Modi) ବିଦେଶ ଯାଇପାରିବେ। ମୋତେ ବିଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କାହିଁକି ଅନୁମତି ଦିଆଯିବ ନାହିଁ? କେବଳ ଇର୍ଷା ହେତୁ ମୋତେ ଅଟକାଇ ଦିଆଯାଇଛି।'

Also Read: 'Punjab' ପରେ 'Operation Rajasthan' ଉପରେ କଂଗ୍ରେସ ନଜର

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚିକାଗୋ ଯିବାକୁ ମଧ୍ୟ ଅନୁମତି ମିଳିନଥିଲା। ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦ (Swami Vibekananda) ଙ୍କ ଐତିହାସିକ ଭାଷଣର ୧୨୫ ବର୍ଷ ପୂର୍ତ୍ତି ଅବସରରେ ସେ ରାମକୃଷ୍ଣ ମଠ ଏବଂ ମିଶନର ବିଶ୍ୱ ମୁଖ୍ୟାଳୟ ବେଲୁର ମଠରେ ଏକ ସମାବେଶକୁ ସମ୍ବୋଧିତ କରିବାରଥିଲା। ଏହି ଅବସରରେ ସେତେବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହାକୁ 'ଅପବିତ୍ର ଷଡଯନ୍ତ୍ର' ବୋଲି କହିଥିଲେ। ସେ କହିଛନ୍ତି, 'କୋଭାକ୍ସିନ ଟିକା ନେଇ କେହି ଆମେରିକା କିମ୍ବା ବ୍ରିଟେନକୁ ଯାଇପାରିବେ ନାହିଁ। ଡବ୍ଲୁଏଚ୍ଓ (WHO) ଏପର୍ଯ୍ୟନ୍ତ ଏହାକୁ ମାନ୍ୟତା ଦେଇ ନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀ କୋଭାକ୍ସିନ ଟିକା ନେଇ ବିଦେଶ ଯାଇଛନ୍ତି ଏବଂ ମୋତେ କାହିଁକି ଅନୁମତି ଦିଆଯାଉ ନାହିଁ?