UP Election 2022: କେଉଁ ଦଳ ଖାତକୁ ଗଲା OBC ଭୋଟ?
Advertisement

UP Election 2022: କେଉଁ ଦଳ ଖାତକୁ ଗଲା OBC ଭୋଟ?

ତୃତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ ରାଜ୍ୟ ରାଜନୀତିରେ ଅନେକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି। 

UP Election 2022: କେଉଁ ଦଳ ଖାତକୁ ଗଲା OBC ଭୋଟ?

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଯାଇଛି ପ୍ରଥମ ୩ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର କାସଗଞ୍ଜ, ହାଥରସ, ଫିରୋଜାବାଦ, ଏଟା, ମୈନପୁରୀ, ଫରୁଖାବାଦ, କନୌଜ, ଇଟାୱା, ଔରୈୟା, କାନପୁର ଦେହାତ, କାନପୁର ନଗର, ଜାଲୌନ, ହମୀରପୁର, ମହୋବା, ଝାନ୍ସି, ଲଲିତପୁର ପ୍ରଭୃତି ୧୬ ଜିଲ୍ଲାର ୫୯ ଆସନରେ ହୋଇଥିଲା ମତଦାନ। 

ତୃତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ ରାଜ୍ୟ ରାଜନୀତିରେ ଅନେକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି। କାରଣ ଏହି ପର୍ଯ୍ୟାୟରେ ଯେଉଁ ଆସନରେ ମତଦାନ ହୋଇଛି ତାହା ଅନ୍ୟାନ୍ୟ ପଛୁଆ ବର୍ଗ ଅର୍ଥାତ ଓବିସି ଭୋଟ୍ ବ୍ୟାଙ୍କ ଗଡ଼ ବୋଲି ବିବେଚନା କରାଯାଏ। ବିଶେଷକରି ଯାଦବ, ଲୋଧି, ଶାକ୍ୟ ଏବଂ କୁର୍ମି ପ୍ରଭୃତି ଜାତିର ଭୋଟ୍ ଏହି ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ନିର୍ବାଚନମଣ୍ଡଳୀରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ତୃତୀୟ ପର୍ଯ୍ୟାୟରେ ଯେଉଁ ଜିଲ୍ଲାରେ ମତଦାନ ଅନୁଷ୍ଠିତ ହୋଇସାରିଛି ସେମାନଙ୍କ ମଧ୍ୟରୁ କେତେକ ଜିଲ୍ଲା ଯାଦବ ଭୂମି ଭାବେ ଜଣାଶୁଣା। ଏହା ସମାଜବାଦୀ ପାର୍ଟି ଭଳି ଦଳର ପାରମ୍ପରିକ ଗଡ଼ ଭାବେ ଜଣାଶୁଣା। 

ତୃତୀୟ ପର୍ଯ୍ୟାୟ ଉଭୟ ଶାସକ ବିଜେପି ଏବଂ ବିରୋଧି ସମଜବାଦୀ ପାର୍ଟି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏଠାରୁ ରାଜ୍ୟ ରାଜନୀତି କେଉଁ ଦିଗକୁ ଅଗ୍ରସର ହେବ ତାହା ସ୍ପଷ୍ଟ ହୋଇଯାଇଛି। ଯାହା ମାର୍ଚ୍ଚ ୧୦ ତାରିଖରେ ଜଣାପଡି଼ବ। ତୃତୀୟ ପର୍ଯ୍ୟାୟରେ ଯାଦବ ସହ ଅଣ ଯାଦବ ଓବିସି ଭୋଟ୍ ବ୍ୟାଙ୍କ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଲାଗି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। 

Also Read: MLA ହେବାକୁ ୨ MP ଙ୍କ ମଧ୍ୟରେ ଲଢେଇ; କରହଲ ଫଳ ବଦଳାଇବ UP ରାଜନୀତିର ଦିଗ

ଗତ ୨୦୧୭ ବିଧାନସଭା ନିର୍ବାଚନରେ ଏଠାକାର ମୋଟ ୫୯ ଆସନ ମଧ୍ୟରୁ ବିଜେପି ୪୯, ସମାଜବାଦୀ ପାର୍ଟି ୮, କଂଗ୍ରେସ ଏବଂ ବିଏସପି ଗୋଟିଏ ଲେଖାଁଏ ଆସନ ପାଇଥିଲେ। ବିଗତ ନିର୍ବାଚନରେ ସମାଜବାଦୀ ପାର୍ଟିରେ ହୋଇଥିବା  ପାରିବାରିକ ଲଢେଇର ଭରପୂର ସୁଯୋଗ ନେଇଥିଲା ବିଜେପି। ଆଉ ଯାହାର ଫଳ ସ୍ୱରୂପ ଯାଦବ ଭୂମି ଠାରେ ଭୋଟ ବଣ୍ଟନ ହୋଇଯାଇଥିଲା। ଏହି କାରଣରେ ବିଜେପି ଏଠାରେ ଚମତ୍କାର ପ୍ରଦର୍ଶନ କରିଥିଲା। ଏହି ନିର୍ବାଚନରେ ​​ବିଜେପି ଅଣ-ଯାଦବ ଓବିସି ଭୋଟ୍ ବ୍ୟାଙ୍କକୁ ଏଠାରେ ଏକାଠି କରିବାରେ ସକ୍ଷମ ହୋଇଥିଲା। 

ଗତ ୨୦୧୭ ଭଳି ୨୦୨୨ ନିର୍ବାଚନରେ ମଧ୍ୟ ପ୍ରାୟତଃ ସମାନ ରଣନୀତି ଆପଣାଇଛି ବିଜେପି। ତୃତୀୟ ପର୍ଯ୍ୟାୟରେ ବିଜେପି ଅଣ ଯାଦବ ଓବିସି ଭୋଟ୍ ବ୍ୟାଙ୍କ ଲୋଧି, କୁର୍ମି, ଶାକ୍ୟ ଭଳି ବର୍ଗର ମତଦାତଙ୍କୁ ଦଳ ସପକ୍ଷରେ ରଖିବାକୁ ପ୍ରୟାସ କରିଛି। ଏହି କାରଣରୁ ବିଜେପି ଏଠାରେ ଦଳର ପାରମ୍ପରିକ ଭୋଟ ବ୍ୟାଙ୍କ ଲୋଧି ସମ୍ପ୍ରଦାୟକୁ ସର୍ବାଧିକ ଟିକେଟ ଦେଇଛି। କାରଣ ରାଜ୍ୟ ରାଜନୀତିରେ ବାବୁଜୀ ଭାବେ ପରିଚିତ ଦଳର ବରିଷ୍ଠ ନେତା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ କଲ୍ୟାଣ ସିଂହଙ୍କ ନାମରେ ଲୋଧି ଭୋଟ୍ ବିଜେପି ସହ ଜଡିତ। ନିଜେ ବାବୁଜୀ ଏହି ସମ୍ପ୍ରଦାୟରୁ ଆସୁଥିଲେ।

ବିଜେପି ଏକଥା  ଜାଣେ ଯେ ଏଥର ଯାଦବ ଭୋଟର କୌଣସି ପ୍ରକାରେ ବିଭାଜିତ ହେବ ନାହିଁ କିନ୍ତୁ ଏହା ସତ୍ତ୍ୱେ  ହରି ଓମ ଯାଦବଙ୍କ ପରି ବିଦ୍ରୋହୀ ସମଜବାଦୀ ପାର୍ଟି ନେତାଙ୍କୁ ଫିରୋଜାବାଦ ଜିଲ୍ଲାର ସିରସାଗଞ୍ଜ ଆସନରୁ ଦଳୀୟ ପ୍ରାର୍ଥୀ କରିଛି। ଅନ୍ୟପଟେ ଦଳର ଲୋକସଭା ଏସପି ସିଂହ ବଘେଲଙ୍କୁ କରହଲ ଆସନରୁ ପ୍ରାର୍ଥୀ କରିଛି। 

ତୃତୀୟ ପର୍ଯ୍ୟାୟର ୫୯ ଆସନ ମଧ୍ୟରୁ ବିଜେପି ୨୧ ଓବିସି, ୧ ଦଳିତ, ୧୦ ବ୍ରାହ୍ମଣ,  ୮ ଠାକୁର ଏବଂ  ଜଣେ ସିନ୍ଧି ସମାଜ ନେତାଙ୍କୁ ଟିକେଟ୍ ଦେଇଛି। ୨ ଓବିସି ମଧ୍ୟରୁ ୯ ଲୋଧି, ୪  ଶାକ୍ୟ, ୩ କୁର୍ମି ସମାଜ ନେତାଙ୍କୁ ଟିକେଟ୍ ମିଳିଛି। ଅନ୍ୟପଟେ ବିଜେପି ଏହା ଅନୁଭବ କରୁଛି ଯେ ଉଚ୍ଚ ଜାତିର ଭୋଟ୍ ଦଳ ସହିତ ଯାଇଛି। 

Also Read: UP Election 2022: ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଫସିଯାଇଛି ସଂଖ୍ୟା ଗଣିତ ଖେଳ

ସେହିପରି ସମାଜବାଦୀ ପାର୍ଟି ଏହାର ମୂଳ ଭୋଟ ବ୍ୟାଙ୍କ  ଯାଦବ ବର୍ଗ ସହ ଅଣ ଯାଦବ ଓବିସି ଭୋଟ୍ ବ୍ୟାଙ୍କକୁ  ନିଜ ପକ୍ଷକୁ ଆଣିବା ପାଇଁ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଏଠାକାର ୫୯ ଆସନର ସମାଜବାଦୀ ପାର୍ଟି ଶାକ୍ୟ, ପାଲ, ପ୍ରଜାପତି, ଲୋଧି ସମାଜର ନେତାଙ୍କ ଉପରେ ବାଜି ଲଗାଇଛନ୍ତି। ଯାହା ଦ୍ୱାରା ଅଣ-ଯାଦବ ଓବିସି ଭୋଟ୍ ବ୍ୟାଙ୍କକୁ ବିଜେପି ଖାତାରୁ ନିଜ ଆଡକୁ ଅଣାଯାଇପାରିବ। ତୃତୀୟ ପର୍ଯ୍ୟାୟରେ ୨୮ ଓବିସି, ୧୫ ଦଳିତ, ୫ ମୁସଲମାନ, ୫ ବ୍ରାହ୍ମଣ, ୨ ଠାକୁର, ୨ ବଣିଆ/ କାୟସ୍ଥ ଏବଂ ଜଣେ ଶିଖ ନେତାଙ୍କୁ ଟିକେଟ୍ ଦେଇଛି ସମାଜବାଦୀ ମେଣ୍ଟ। ସମାଜବାଦୀ ପାର୍ଟି ଏଠାରେ ଓବିସି ନେତାଙ୍କୁ ସର୍ବାଧିକ ଟିକେଟ୍ ଦେଇଥିଲେ ଏବଂ ପରେ ଯାଦବ ଜମି ଠାରେ ପ୍ରଥମ ଥର ପାଇଁ ଦଳ ୫ ବ୍ରାହ୍ମଣ ନେତାଙ୍କୁ ଟିକେଟ ଦେଇଛନ୍ତି। ଦଳ ଅନୁଭବ କରୁଛନ୍ତି ଯେ ବିଜେପି ଉପରେ କ୍ରୋଧିତ ହୋଇଉଠିଥିବା ବ୍ରାହ୍ମଣ  ସମାଜ ତାଙ୍କ ସହ ଆସିପାରେ। ଏହା ସହ ତୃତୀୟ ପର୍ଯ୍ୟାୟରେ ସମଜବାଦୀ ପାର୍ଟି ଯାଦବ-ମୁସଲମାନ ସମୀକରଣ ସହିତ ଶାକ୍ୟ, ପାଲ, ପ୍ରଜାପତି ଏବଂ ଲୋଧି ପ୍ରଭୃତି ବର୍ଗର ଭୋଟ ଦଳ ସପକ୍ଷରେ ଆଣିବାକୁ ରଣନୀତି ପ୍ରସ୍ତୁତି କରିଛି। 

Also Read: UP Election 2022: ମୁସଲିମ ମତଦାତାଙ୍କ ହାତରେ ରହିଛି ଦ୍ୱିତୀୟ ପର୍ଯ୍ୟାୟ ଚାବି; କିଏ ମାରିବ ବାଜି?

ତୃତୀୟ ପର୍ଯ୍ୟାୟରେ ଯେଉଁ  ଅଞ୍ଚଳରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି ତାହା ୨ ଭାଗରେ ବିଭକ୍ତ। ପ୍ରଥମ ହେଉଛି ହାଥରସ ଠାରୁ କନ୍ନୌଜ ଯାହା ସମଜବାଦୀ ପାର୍ଟି ଗଡ଼ ଭାବେ ଜଣାଶୁଣା। ଅନ୍ୟଟି ହେଉଛି କାନପୁର ଠାରୁ ବୁନ୍ଦେଲଖଣ୍ଡ ଯାଏଁ ଏହା ବିଜେପି ଗଡ଼ ବୋଲି କୁହାଯାଉଛି। ଏହି ନିର୍ବାଚନରେ ଉଭୟ ଦଳ ନିଜ ନିଜର ଗଡ଼କୁ ବଞ୍ଚାଇବା କିମ୍ବା ଭାଙ୍ଗିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ହେଲେ କିଏ ମାରୁଛି  ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ।