)
ଗଲା ପ୍ରାୟ ୧୫ ଦିନ ହେଲା ରାଜ୍ୟରେ ଚାଲିଥିବା ଦୁର୍ଗାପୂଜାର ପ୍ରସ୍ତୁତି, ସମାରୋହ ଓ ଉତ୍ସାହର ଆଜି ଶେଷ ଦିନ। ଆଜି ବିଭିନ୍ନ ପୂଜା ମଣ୍ଡପରେ ଆବାହାନ କରିଯାଇଥିବା ମୃଣ୍ମୟୀ ମା’ଙ୍କ ମୂର୍ତ୍ତିକୁ ବିସର୍ଜନ କରାଯିବ। ଏଥିଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ପଟୁଆର ଆୟୋଜନ କରାଯାଇଛି। ପ୍ରାୟ ମଧ୍ୟ ରାତ୍ରୀ ଯାଏ ଏ ପଟୁଆର ଚାଲିବ। ମୋଟା ମୋଟି ଭାବେ କହିଲେ ଆଜି ମା’ ଦୁର୍ଗାଙ୍କ ଭାବନାରେ ତଲ୍ଲୀନ ହେବାର ଶେଷ ଦିନ। ଏହି ଦିନରେ ବିଭିନ୍ନ ବର୍ଗ, ଗୋଷ୍ଠୀ, ବ୍ୟକ୍ତି ବିଶେଷ ନିଜର ପ୍ରଚାର ପ୍ରସାର କରିଛନ୍ତି। ହେଲେ ଏଥିରେ ନବୀନଙ୍କୁ ଦେଖିବାକୁ ମିଳିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଛୋଟ ବଡ଼ କୁଜି ନେତା ସମସ୍ତେ ଏହି ପୂଜା ସମାବେଶରେ ନିଜକୁ ଉପସ୍ଥାପନ କରିଥିବା ବେଳେ ବିରୋଧୀ ଦଳ ନେତା ଉଭାନ ହୋଇଯିବା ଅନେକ ପ୍ରଶ୍ନକୁ ସମାହିତ କରୁଛି। ସତରେ ନବୀନ ପଟ୍ଟନାୟକ ନିଜେ ଗାୟବ ହେବାକୁ ଚାହିଁଛନ୍ତି ନା ତାଙ୍କୁ ଗାୟବ କରି ଦିଆଯାଇଛି?
ଖାଲି ଦୁର୍ଗାପୂଜା ନୁହେଁ, ସେ କ୍ଷମତାରେ ଥିବା ବେଳେ ଏବଂ କ୍ଷମତାରୁ ଯିବା ପରେମଧ୍ୟ ପୂଜା ମଣ୍ଡପଗୁଡ଼ିକ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାଆନ୍ତି। ତାଙ୍କ ପାଇଁ ସ୍ଥାନୀୟ ନେତାମାନେ ଗହଳି ବି ଯୋଗାଡ଼ କରନ୍ତି। କାରଣ ଏହା ନହେଲେ ତାହା ଛାମୁଙ୍କ ପାଇଁ ଅପମାନ ହେବ ତଥା ନିଜ ପଦବୀ ପାଇଁ ଆଶଙ୍କା ହୋଇପାରେ ବୋଲି ସେମାନେ ଛନକାରେ ରହିଥାନ୍ତି। କ୍ଷମତାରୁ ଯେଉଁ ବର୍ଷ ଗଲେ ଅର୍ଥାତ୍ ଗତବର୍ଷ ବି ତାଙ୍କୁ ବିଭିନ୍ନ ମେଢ଼ ବୁଲି ଦେଖିବା ଗଣମାଧ୍ୟମରେ ବେଶ୍ ଆକର୍ଷଣୀୟ ହୋଇଥିଲା। କେବଳ ଶରଦକାଳୀନ ପୂଜା ନୁହେଁ, ଗଜାନନ ଶ୍ରୀ ଗଣେଶଙ୍କ ପୂଜା ପଣ୍ଡାଲ ବୁଲି ସେ ରାଜନୀତିକୁ ପ୍ରତିଶୋଧ ନୁହେଁ ବରଂ ଏକ ବନ୍ଧୁତାପୂର୍ଣ୍ଣ କ୍ରୀଡ଼ା ଭାବେ ଗ୍ରହଣ କରିଥିଲେ। ଅର୍ଥାତ୍ ତାଙ୍କର ବିଜୟ ବା ପରାଜୟ ଓଡ଼ିଶାର ଜନତାଙ୍କ ସହ ସମ୍ପର୍କରେ କୌଣସି ପ୍ରଭାବ ପକାଏ ନାହିଁ ବୋଲି ସେ ଗତବର୍ଷ କହିବାକୁ ଚାହିଁଥିଲେ। ପରାଜୟକୁ ସେ ବଡ଼ ଉତ୍ସାହର ସହ ଗ୍ରହଣ କରିଥିବା ମଧ୍ୟ ସୂଚାଇଥିଲେ।
ହେଲେ ଏ ବର୍ଷ ହଠାତ୍ ଗାୟବ କାହିଁକି ହେଲେ? ତାଙ୍କର ସେହି ଖେଳୁଆଡ଼ ମନୋଭାବ ଭାବନା କ’ଣ ଉଭେଇଗଲା? ସେ କ’ଣ ସହତରେ ପରାଜୟକୁ ଗ୍ରହଣ କରିପାରିଲେ ନାହିଁ? ସେ କ’ଣ ଗଣତନ୍ତ୍ରରେ ଏକ ନିର୍ବାଚିତ ସରକାରକୁ ଗ୍ରହଣ କରିପାରୁ ନାହାନ୍ତି? ନା ବିରୋଧୀ ଦଳ ନେତା ପଦବୀ ତାଙ୍କୁ ଭଲ ନାହିଁ? ଏମିତି ଅନେକ ପ୍ରଶ୍ନ... ଅସମାହିତ ହୋଇ ରହିଛି।
ତାଙ୍କର ଯେ ଶରୀର ଅସୁସ୍ଥ ତାହା ନୁହେଁ। ସେ ସୁସ୍ଥ, ଚାଲିବୁଲି ପାରୁଛନ୍ତି। ସୋଶାଲ୍ ମିଡିଆରେ ସକ୍ରିୟ ଅଛନ୍ତି। ରାଜନୀତିକ ଟିପ୍ପଣୀ ଦେଉଛନ୍ତି। ଏଠି ଥିବା ବେଳେ ତ ତାଙ୍କର ଶାରୀରିକ ଅସୁସ୍ଥତା ସତ୍ତ୍ୱେ, ଅନ୍ୟର ସହାୟତାରେ ବି ସେ ବହିମେଳା, କଳା ପ୍ରଦର୍ଶନୀ, ରଥଯାତ୍ରା, ଦୁର୍ଗାପୂଜା ବୁଲି ଦେଖୁଥିଲେ। କିନ୍ତୁ ଏବେ ଦିଲ୍ଲୀରେ ହାଇ ସୋସାଇଟିର କଳା ପ୍ରଦର୍ଶନୀଗୁଡ଼ିକରେ ସେ ବିନା କୌଣସି ଆଶ୍ରୟରେ ବୁଲୁଥିବା ଦେଖିବାକୁ ମିଳୁଛି। ଅର୍ଥାତ୍ ଏହା ପ୍ରମାଣିତ କରୁଛି ଯେ, ୨୦୨୫ ଦୁର୍ଗାପୂଜା, ଗଣେଶପୂଜାରେ ତାଙ୍କର ଗାୟବ ହେବା ପଛରେ ଶାରିରୀକ ଅସୁସ୍ଥତା କାରଣ ନୁହେଁ।
ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନରେ ବି ଯୋଗ ଦେଲେ ନାହିଁ। ଯେଉଁ ନେତାଙ୍କୁ ଲୋକେ ବିରୋଧୀ ଦଳର ନେତା ପଦବୀରେ ଅଧିଷ୍ଠିତ କରିଛନ୍ତି, ଯାହାଙ୍କୁ କୌଣସି ମନ୍ତ୍ରୀ ନହେଲେବି କ୍ୟାବିନେଟ୍ ମନ୍ତ୍ରୀ ଭଳି ସୁବିଧା ଯୋଗାଇ ଦିଆଯାଉଛି ସେ କିନ୍ତୁ ନିଜ କାମ କରୁ ନାହାନ୍ତି। ରାଜ୍ୟ ଯେତେବଳେ ସରକାରଙ୍କୁ ଏକଛତ୍ରବାଦୀ ହେବାକୁ ନଦେବା ପାଇଁ ତାଙ୍କୁ ଗେଟ କିପର କରିଛି, ସେ ସେତେବେଳେ ଚୌକିରେ ବସି ନିଜ କାମ ପ୍ରତି ଅବହେଳା କରୁଛନ୍ତି। ଅର୍ଥାତ୍ ସରକାରଙ୍କୁ ଜଗିବାରେ ସେ ବିଫଳ ହୋଇଛନ୍ତି।
ଜଣେ ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳ ନେତା ହୋଇଥିବା ତାଲିକାରେ କେବଳ ନବୀନ ପଟ୍ଟନାୟକ ରହିଛନ୍ତି ତା’ ନୁହେଁ, ନବୀନଙ୍କ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ, ବିଜୁ ପଟ୍ଟନାୟକ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ସଦାଶୀବ ତ୍ରିପାଠୀଙ୍କ ଭଳି ଅନେକ କିମ୍ବଦନ୍ତୀ ନାୟକ ଏ ରାଜ୍ୟର ବିରୋଧୀ ଦଳ ନେତା ପଦବୀରେ ବସିଛନ୍ତି ଯେଉଁମାନେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ନେତୃତ୍ୱକୁ ଲୋକେ ପ୍ରତ୍ୟାଖ୍ୟାନ କଲେ ବୋଲି ସେ ବିରୋଧୀ ଦଳ ନେତା ହେଲେ ତା ନୁହେଁ, ଯଦି ପ୍ରତ୍ୟାଖ୍ୟାନ କରିଥାଆନ୍ତେ ତେବେ ସେ ନିର୍ବାଚିତ ବି ହୋଇ ପାରି ନଥାଆନ୍ତେ। ବରଂ ସରକାର ଚଳାଇବାର ଅଭିଜ୍ଞତା ସହ ସରକାରଙ୍କୁ କ୍ଷମତାର ଦୂରୁପୋଯୋଗ କରିବାକୁ ଦୂରେଇ ରଖିବା ପାଇଁ ଲୋକେ ତାଙ୍କୁ ଦାୟିତ୍ୱ ଦେଇଛନ୍ତି- ଏହାକୁ ସେମାନେ ଗ୍ରହଣ କରିଥିଲେ। ଏଣୁ ଏ ପଦବୀ ନବୀନଙ୍କ ପାଇଁ ଏକ ଗୁରୁଦାୟିତ୍ୱ। କୁହାଯାଏ ଜଣେ ସରକାରଙ୍କୁ ଉତ୍ତରଦାୟୀ କରିବା ଲାଗି ବିରୋଧୀ ଦଳ ନେତାଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ତାଙ୍କୁ କ୍ୟାବିନେଟ୍ ପାହ୍ୟାର ମର୍ଯ୍ୟାଦା ଯୋଗାଇ ଦିଆଯାଇଥାଏ। ଏହା ନବୀନ ଭୋଗ କରୁଛନ୍ତି। କିନ୍ତୁ ବିଧାନ ସଭାରେ ରହୁନାହାନ୍ତି।
ଆଉ ଗଲା ୧୫ ମାସର ସମୟ ଭିତରେ ନବୀନଙ୍କ ନବୀନଙ୍କ ପ୍ରତିଟି ରାଜନୀତିକ ଗୋଟିଚାଳନାରେ ଏହା ଦେଖିବାକୁ ମିଳୁଛି ଯେ ସେ ବିରୋଧୀ ଦଳ ନେତା ରହିବାକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ କେତେବlଳେ ସେ ସହରରେ ରହି ଗୃହ ଭିତରକୁ ଆସୁ ନହାନ୍ତି ତ ଆଉ କେତେବେଳେ ବିଧାନସଭା ଚାଲିଥିବା ବେଳେ ରାଜ୍ୟରେ ରହୁ ନାହାନ୍ତି। ଏପରି ଆଚରଣ କ’ଣ ପ୍ରତିପାଦନ କରୁଛି? ଏହା ତାଙ୍କ ଭିତରେ ଆତ୍ମ ବିଶ୍ୱାସର ଅଭାବକୁ ଦର୍ଶାଉଛି ଅବା ଓଡ଼ିଶାବାସୀଙ୍କଠାରୁ ବିତୃଷ୍ଣା ବୋଲି ଚର୍ଚ୍ଚା ହେଉଛି। ଯଦି ଓଡ଼ିଶା ଓ ଓଡ଼ିଶା ରାଜନୀତି ପ୍ରତି ତାଙ୍କ ବିତୃଷ୍ଣା ଭାବ ଆସିଛି ତେବେ ଏହା ତାଙ୍କର ପ୍ରତିଚ୍ଛବି ପ୍ରତି ଆଘାତ ଦେଇପାରେ। ନହେଲେ ଏହା ପଛରେ ଏକ ବହୁତ ବଡ଼ ଷଡ଼ଯନ୍ତ୍ର ବି ଥାଇପାରେ, ଯାହା ଆଗାମୀ ଦିନରେ ସ୍ପଷ୍ଟ ହେବ।