ଦିବାସ୍ୱପ୍ନ ପାଲଟିବ କି ଗୁଜରାଟ ଦଖଲ ଆଶା?
Advertisement

ଦିବାସ୍ୱପ୍ନ ପାଲଟିବ କି ଗୁଜରାଟ ଦଖଲ ଆଶା?


ଆମ୍ ଆଦମୀ ପାର୍ଟି ପାଇଁ ଗୁଜରାଟ ଦଖଲ ଆଶା ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ପରି ହେଲାଣି। କାରଣ ଏଠୁ ନିଜ ଦୁଇଦିନିଆ ଗସ୍ତସାରି କେଜରିୱାଲ ଆଉ ଭଗୱନ୍ତ ମାନ୍ ନିଜ ନିଜ ଘରକୁ ନ ବାହୁଡୁଣୁ ଆପ୍ ଛାଡ଼ି ବିଜେପିରେ ଯୋଗ ଦେବାକୁ ଲାଗିଲାଣି ସ୍ଥାନୀୟ ତୁଙ୍ଗ ନେତାମାନଙ୍କ ଲାଇନ୍। 

ଦିବାସ୍ୱପ୍ନ ପାଲଟିବ କି ଗୁଜରାଟ ଦଖଲ ଆଶା?

ଅରବିନ୍ଦ କେଜରିୱାଲ ନିଜ ଗୁଜରାଟ ଗସ୍ତ ସାରି ବାହୁଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ଆମ ଆଦମୀ ପାର୍ଟି ଗୁଜରାଟ ଶାଖାରେ ସୃଷ୍ଟି ହୋଇଛି ଆଲୋଡ଼ନ। ହଠାତ୍ ବିଜେପିରେ ସାମିଲ ହୋଇ ଯାଇଛନ୍ତି ଆମ ଆଦମୀ ପାର୍ଟିର ୧୫୦ରୁ ଅଧିକ ତୁଙ୍ଗ ଶ୍ରେଣୀୟ ନେତା। ଗୁଜରାଟରେ ଖାଲି ଆପ୍ ନୁହେଁ, କଂଗ୍ରେସକୁ ବି ଲାଗିଛି ବଡ଼ ଝଟକା। କଂଗ୍ରେସ ପାର୍ଟିର ମଧ୍ୟ ବହୁ ନେତା ବିଜେପିର ସଦସ୍ୟତା ଗ୍ରହଣ କରି ପଦ୍ମ ଶିବିରରେ ଯୋଗ ଦେଇଛନ୍ତି।

ଗୁଜରାଟ ଆମ୍ ଆଦମୀ ପାର୍ଟି ଶାଖାରେ ଏବେ ଦଳ ଛାଡ଼ ଅଭିଯାନ ଆରମ୍ଭ ହୋଇଛି ସତେ ଯେମିତି। ଏଇ ନିକଟରେ ପଞ୍ଜାବ ବିଜୟ କରି ଫୁଲ୍ ଜୋଶରେ ଥିବା କେଜରିୱାଲ ନିଜ ନବ ନିର୍ବାଚିତ (ମନୋନୀତ!) ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଧରି ପହଞ୍ଚି ଯାଇଥିଲେ ଗୁଜରାଟ। ୨୮ ବର୍ଷ ଧରି ବିଜେପି କବଜାରେ ଥିବା ପଶ୍ଚିମ ଭାରତର ଏହି ରାଜ୍ୟଟିକୁ ଦଖଲକୁ ନେବାକୁ ଜୋରଦାର ଉଦ୍ୟମର ନିଅଁ ପକାଇଥିଲେ କେଜରିୱାଲ। ମାତ୍ର AAP ରାଷ୍ଟ୍ରୀୟ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଗୁଜରାଟ ଗସ୍ତର ଦିନକ ପରେ ଦଳରୁ ପ୍ରାୟ ୧୫୦ ଜଣ ବଡ଼ ନେତା ଏବଂ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟି (BJP)ରେ ସାମିଲ ହୋଇଗଲେ। ଏହିକ୍ରମରେ କଂଗ୍ରେସରୁ ମଧ୍ୟ ବହୁ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

ଏତେ ବଡ଼ ସଂଖ୍ୟାରେ ଆମ୍ ଆଦମୀ ପାର୍ଟି ନେତାମାନଙ୍କର ଦଳ ବଦଳ କରିବା ବାସ୍ତବରେ ଚମକାଇ ଦେବାଭଳି। ଆଉ ତାହା ମଧ୍ୟ ଠିକ୍ ସେତିକି ବେଳେ, ଯେତେବେଳେ ଅରବିନ୍ଦ କେଜରିୱାଲ ଏବଂ ଭଗୱନ୍ତ ମାନ୍ ଦୁଇଦିନିଆ ଗୁଜରାଟ ଗସ୍ତରେ ଥିଲେ। ଯେଉଁଠାରେ ସେମାନେ ରୋଡ୍ ଶୋ' କରିଥିଲେ, ଏକ ସ୍ଥାନୀୟ ମନ୍ଦିର ଏବଂ ଗାନ୍ଧୀ ଆଶ୍ରମ ଗସ୍ତ କରିଥିଲେ। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ମଧ୍ୟ କରିଥିଲେ।

ଗତ ରବିବାର ସନ୍ଧ୍ୟାବେଳେ ଗୁଜରାଟ ଗସ୍ତ ଶେଷ କରି ଘରବାହୁଡ଼ା ହୋଇଥିଲେ କେଜରିୱାଲ ଓ ଭଗୱନ୍ତ ମାନ୍। ଏହାର ଠିକ୍ ଦିନକ ପରେ ଆପ୍ ନେତା ଏବଂ କାର୍ଯ୍ୟକର୍ତ୍ତାମାନେ ଦଳ ଛାଡ଼ି ବିଜେପିରେ ମିଶିଗଲେ। ଗାନ୍ଧୀନଗର କମଲମଠାରେ ବିଜେପିର ଦଳୀୟ କାର୍ଯ୍ୟାଳୟରେ ସୋମବାର ଏହି ମିଶ୍ରଣ ପର୍ବ ସଂଘଟିତ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ତ ଏହା ମଧ୍ୟ କହୁଛି ଯେ, ମାର୍ଚ୍ଚମାସରେ ହିଁ ଶତାଧିକ ନେତା ଆମ୍ ଆଦମୀ ପାର୍ଟି ପରିତ୍ୟାଗ କରିଥିଲେ।

'ଇଣ୍ଡିଆ ଟୁଡେ' ରିପୋର୍ଟ ମୁତାବକ ଗୁଜରାଟ ବିଜେପି ମହାସଚିବ ପ୍ରଦୀପ ସିଂହ ବାଘେଲା କହିଛନ୍ତି, ''ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିଜ ନିଜ ଘରକୁ ବି ପହଞ୍ଚି ନ ଥିବେ, ଲଞ୍ଚ୍ ବି କରି ନ ଥିବେ ଅଥଚ ତାଙ୍କ ଦଳର ବହୁ ନେତା ବିଜେପିରେ ସାମିଲ ହୋଇଗଲେ। ଏହା ସ୍ପଷ୍ଟ ଦର୍ଶାଉଛି ଯେ ସେମାନେ ଗୁଜରାଟବାସୀଙ୍କୁ ଭୁଆଁ ବୁଲାଇ ପାରିବେ ନାହିଁ। ଗୁଜାରାଟବାସୀଙ୍କ ପାଇଂ ସେମାନଙ୍କ ଗସ୍ତର କିଛି ବି ମୂଲ୍ୟ ନାହିଁ। ବିଜେପି ସହ ଆଜି ବି ଗୁଜରାଟର ଲୋକମାନଙ୍କର ଆଶୀର୍ବାଦ ରହିଛି। ପଞ୍ଜାବରେ ଆପ୍ ସରକାର ଆସିବାର ମାତ୍ର ପାଞ୍ଚଦିନ ମଧ୍ୟକେ ହିଁ କୃଷକମାନଙ୍କ ଉପରେ ଲାଠିଚାର୍ଜ କରାଯାଇଛି।''

ଏଥିସହ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସରୁ ଆସି ନିଜ ଦଳରେ ମିଶିଥିବା ଯୁବା ନେତାମାନଙ୍କୁ ଦଳରେ ସ୍ୱାଗତ କରି ବିଜେପି ନେତା ବାଘେଲା କହିଛନ୍ତି, ''ଆଜି ଆପଣମାନେ ଆପ୍ (AAP) ଏବଂ କଂଗ୍ରେସ (CONGRESS) ପରିତ୍ୟାଗ କରିଛନ୍ତି। ସେମାନେ କହିବେ, ଆପଣମାନଙ୍କ ଦ୍ୱାରା ଖଡ଼ା ସିଝୁ ନ ଥିଲା। ମାତ୍ର ମୁଁ ଏଇଆ କହିବି ଯେ, ଗୁଜରାଟର ବିକାଶ ପାଇଁ ଆପଣମାନଙ୍କର ବହୁତ ଆବଶ୍ୟକତା ରହିଛି ଏବଂ ଆପଣ ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟିକୁ ମୁଁ ସ୍ୱାଗତ କରୁଛି। ଗୁଜରାଟରେ ଦୀର୍ଘଦିନ ଧରି ବିଜେପି କ୍ଷମତାରେ ଅଛି, କାରଣ ଲୋକମାନେ ଆମ ଉପରେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଭରସା ଓ ବିଶ୍ୱାସ କରିଛନ୍ତି।''