)
ନୂଆଦିଲ୍ଲୀ: ଦିନ ତମାମ ରାଜ୍ୟର ଖବରର ଶିରୋନାମା ପାଲଟିଥିଲା ସାଂସଦ ଅନୁଭବ ମହାନ୍ତି ବିରୋଧରେ ପତ୍ନୀ ବର୍ଷାଙ୍କ ଅଭିଯୋଗ । ଖବରଟି ଏଇଥିପାଇଁ ଚର୍ଚ୍ଚାକୁ ଆସିଥିଲା କାରଣ ଉଭୟ ପତିପତ୍ନୀ ଓଲିଉଡ଼ ଜଗତରେ ଜଣାଶୁଣା ଚେହେରା । ବେଶ ଖ୍ୟାତି ଅର୍ଜନ କରିଛନ୍ତି । ତେବେ ସ୍ୱାମୀ ଅନୁଭବ ସିନେ ପରଦାରେ ଯେତିକି ଚର୍ଚ୍ଚିତ ଚେହେରା ରାଜନୈତିକ ଜଗତରେ ମଧ୍ୟ ସେତିକି ଚର୍ଚ୍ଚିତ । କାରଣ କେନ୍ଦ୍ରାପଡ଼ା ଭଳି ଲୋକସଭା ଆସନରୁ ପୁରୁଖା ରାଜନେତା ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଏଥର ବିଜୟ ଲାଭ କରିଥିଲେ ଅନୁଭବ । ସବୁବେଳେ ନିଜର ସ୍ୱାଭିମାନକୁ ନେଇ ଅନୁଭବ ନିଜର ବୟାନ ବାଜିକୁ ଜାରି ରଖିଥାନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସମାଲୋଚନା କରିଥାନ୍ତି ।
ତେବେ ତାହା ଭିନ୍ନ କଥା । ଅଗଷ୍ଟ ମାସ 7 ତାରିଖରେ ବର୍ଷା ସ୍ୱାମୀ ଅନୁଭବଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ ମାମଲା ରୁଜୁ କରିଥିଲେ । ଆସନ୍ତା 7 ତାରିଖରେ ତାହାର ଶୁଣାଣୀ ରହିଛି । ତେବେ ତାହା ବ୍ୟକ୍ତିଗତ ପ୍ରସଂଗ । କିନ୍ତୁ ଏହି ବ୍ୟକ୍ତିଗତ ପ୍ରସଂଗକୁ ନେଇ ଅନେକ କଥା ଆଲୋନା ହେଉଛି । କୁହଯାଉଛି ପୂର୍ବତନ ବିଜେଡ଼ି ନେତା ରଘୁନାଥ ମହାନ୍ତିଙ୍କ ଭଳି ଅନୁଭବ ମହାନ୍ତି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅକଳରେ ପକାଇଛନ୍ତି ।
2012-13 ମସିହାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ରଘୁନାଥ ମହାନ୍ତି, ତାଙ୍କ ପୁଅ ରାଜାଶ୍ରୀଙ୍କ ବିରୋଧରେ ବୋହୂ ବର୍ଷାସୋନୀ ଯୌତୁକ ନିର୍ଯାତନା, ମାନସିକ ଅଶାନ୍ତି, ପାରିବାରିକ କଳହ ଭଳି ଗୁରୁତର ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆଣିବା ପରେ ରଘୁଙ୍କ ପରିବାରରେ ଯେତିକି ଚହଳ ପଡ଼ିନଥିଲା, ବିଜେଡ଼ି କ୍ୟାମ୍ପରେ ସେତିକି ହଇଚଇ ସୃଷ୍ଟି ହୋଇଥିଲା । ରଘୁଙ୍କ ଲମ୍ବା ରାଜନୈତିକ କ୍ୟାରିୟରରେ ଭୂକମ୍ପ ସୃଷ୍ଟି ହୋଇଥିଲା ।
ସେତେବେଳେ ରଘୁଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜରରେ ରହିଥିଲା । ତେବେ ବହୁ ତୁମ୍ବିତୋଫାନ ପରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିରୁ ରଘୁଙ୍କୁ ବହିଷ୍କାର କରିଥିଲେ । ଏପରିକି 2014 ମସିହାରେ ନିର୍ବାଚନ ଲଢିବାକୁ ଟିକଟ ମଧ୍ୟ ଦିଆଯାଇନଥିଲା । ରାଜନୈତିକ କ୍ୟାରିୟରରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଯାଇଥିଲା । ରଘୁ ରାଜନୈତିକ କ୍ୟାରିୟରକୁ ପଛରେ ପକାଇ ନିଜ ବ୍ୟକ୍ତିଗତ ସମସ୍ୟା ଉପରେ ଅଧିକ ଫୋକସ କରିଥିଲେ । ଏହି ବିବାଦରୁ କିପରି ମୁକୁଳିବେ ସେ ନେଇ ସେ ଚିନ୍ତାରରେ ପଡ଼ିଯାଥିଲେ । କାରଣ ଜଣେ ଆଗଧାଡ଼ିର ନେତା ହୋଇଥିବା ବେଳେ ଘର କଥା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ମାତ୍ର ହାଇକୋର୍ଟ ଏହାକୁ ଏକ ଭିତ୍ତିହୀନ ମାମଲା ଦର୍ଶାଇ ରଦ୍ଦ କରିଦେଇଥିଲେ ।
ଦୀର୍ଘଦିନ ପର୍ଯ୍ୟନ୍ତ ମାମଲା ଗଡ଼ିଥିଲା । ବିଭିନ୍ନ ଫୋରମରେ ମଧ୍ୟ କଥା ଉଠିଥିଲା । ରାଜ୍ୟରେ ବେଶ ହଇଚଇ ସୃଷ୍ଟି କରିଥିବା ଏହି ହାଇଭୋଲଟେଜ ଫ୍ୟାମିଲି ଡ୍ରାମା କିନ୍ତୁ ବୋହୂ ବର୍ଷାଙ୍କ ଅଭିଯୋଗ ପତ୍ର ପ୍ରତ୍ୟାହାର କରିବା ପରେ ଘଟଣାର ଅନ୍ତ ଘଟିଥିଲା । 2016 ମସିହା ମେ 5 ତାରିଖରେ ବର୍ଷା ଓ ରାଜାଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ପୁଣି ଥରେ ଏକତ୍ରିତ ହୋଇ ରହିବେ ବୋଲି ଘୋଷଣା କରିଥିଲେ ।
ସମାନ ଢଙ୍ଗରେ ଉଭା ହୋଇଛି ଏହି ଅନୁଭବ ଓ ବର୍ଷାଙ୍କ ମାମଲା । ବର୍ଷା ମଧ୍ୟ ଅନୁରୂପ ଭାବେ ଅଭିଯୋଗ ଆଣିଛନ୍ତି । ଅନୁଭବ ମଧ୍ୟ ବର୍ତ୍ତମାନ ବିଜେଡ଼ି ସାଂସଦ । ପାରିବାରିକ କାରଣରୁ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିଥାଇ ପାରନ୍ତି । କିନ୍ତୁ ଏହା ପୂର୍ବରୁ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି । ବିଭିନ୍ନ ପ୍ରକାର ମାମଲାରେ ମଧ୍ୟ ତାଙ୍କ ନାଁ ଉଠିଛି । ଏକଦା ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆସିଥିବା ବେଳେ ସ୍ଥାନୀୟ ଯୁବକଙ୍କୁ ହଇରାଣ ହରକତ କରିବା, ଧମକ ଚମକ ଦେବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି ।
ସେପଟେ ବିଜେଡ଼ିରୁ ବିଦା ହେବା ପରେ ବୈଜୟନ୍ତ ବିଜେଡ଼ିର ଟାର୍ଗେଟରେ ରହି ଆସିଛନ୍ତି । 2019 ନିର୍ବାଚନରେ ବୈଜୟନ୍ତଙ୍କ ବିପକ୍ଷରେ ଅନୁଭବଙ୍କ ପ୍ରାର୍ଥୀ କରିଥିଲା ବିଜେଡ଼ି। ଦଳପତିଙ୍କ ଭରସା ଓ ଆଶିର୍ବାଦ ପାଇ ନେତାରୁ ଅଭିନେତା ପାଲଟିଥିବା ଅନୁଭବ ବିଜୟ ଲାଭ କରିଥିଲେ । ପରେ ଦଳପତିଙ୍କ ନିକଟତର ହୋଇ ପାରିଛନ୍ତି । ଦଳପତି ଏହି ଯୁବ ନେତାଙ୍କ ଉପରେ ଭରସା କରିଆସିଛନ୍ତି । ସେଇଥିପାଇଁ ତ ଲୋକସଭା ପୂର୍ବରୁ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ ।
ଏସବୁ ପରେ ଏଠି ପ୍ରଶ୍ନ ଉଠେ ଶଙ୍ଖୁଆ ଦଳର ଦଳପତି ରଘୁଙ୍କ ପ୍ରତି ଯେତିକି କଡ଼ା କାର୍ଯ୍ୟାନୁ୍ଷ୍ଠାନ ନେବେ ତ! କାରଣ ଯଦି ରଘୁଙ୍କ କଥା ଦେଖାଯାଏ ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତିକି କଠୋର ହୋଇ ପଡ଼ିଥିଲେ । ଏହି ଯୁବ ଅଭିନେତାରୁ ନେତା ସାଜିଥିବା ଅନୁଭବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।