ସୁରଙ୍କ କହିବା କଥା ଏହା ଯେ, ଓଡ଼ିଶାରେ ବି ହୋଇପାରେ ପିସିସି ପରିବର୍ତ୍ତନ ! ଏବେ ୧୩ ଜଣ ନେତା ପିସିସି ସଭାପତି ରେସରେ ଅଛନ୍ତି ।
Trending Photos
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଗୁଜୁରାଟରେ ପିସିସିର ସାଙ୍ଗଠନିକ ପରିବର୍ତ୍ତନ ପରେ ଓଡ଼ିଶାରେ ଚର୍ଚ୍ଚା ସରଗରମ । ଓଡ଼ିଶାରେ ମଧ୍ୟ ହେବ କି ପିସିସି ପରିବର୍ତ୍ତନ ? ସେମିତିରେ ବି ବର୍ତ୍ତମାନ ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ଅଛନ୍ତି । ତେଣୁ ଏ ଚର୍ଚ୍ଚା ହେବା ସ୍ୱାଭାବିକ କଥା । ତେବେ ରାଜ୍ୟର ୧୩ ଜଣ ବରିଷ୍ଠ ନେତା ପିସିସି ସଭାପତି ରେସରେ ଥିବା କହି ଏହି ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ ।
ସୁରଙ୍କ କହିବା କଥା ଏହା ଯେ, ଓଡ଼ିଶାରେ ବି ହୋଇପାରେ ପିସିସି ପରିବର୍ତ୍ତନ ! ଏବେ ୧୩ ଜଣ ନେତା ପିସିସି ସଭାପତି ରେସରେ ଅଛନ୍ତି । ବରିଷ୍ଠ ବିଧାୟକ ନରସିଂହ ମିଶ୍ର, ବରିଷ୍ଠ ନେତା ଶରତ ରାଉତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଇତ୍ୟାଦିଙ୍କ ନାଁ ଆଗରେ ରହିଛି । ତେବେ ଜଣେ ଯୁବକଙ୍କୁ ଦାୟିତ୍ୱ ଦେଲେ କଂଗ୍ରେସ ସ୍ଥିତି ସୁଧୁରିବ ବୋଲି କହିଛନ୍ତି ସୁର ରାଉତରାୟ ।
ସେପଟେ ପିସିସି ପରିବର୍ତ୍ତନ ଚର୍ଚ୍ଚା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ପ୍ରତିକ୍ରିୟା ରଖିଛନ୍ତି । ନିର୍ବାଚନ ପୂର୍ବରୁ ଆର୍ଥିକ ସ୍ଥିତି ଓ ଅଭିଜ୍ଞତାକୁ ଦେଖି ନେତୃତ୍ୱ ପରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ସ୍ଥିତିକୁ ଦେଖି ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ରହିଛି । ବିରୋଧୀ ଦଳ ଭାବେ ମୁକାବିଲା କରିବା ପାଇଁ ଜଣେ ଦକ୍ଷ ନେତାଙ୍କର ଆବଶ୍ୟକତା ରହିଛି । ସଂଗଠନକୁ ଆଗକୁ ନେବା ଭଳି କ୍ଷମତା ଥିବା ଜଣେ ନେତାଙ୍କୁ ଦାୟିତ୍ୱ ଦେବା ଆବଶ୍ୟକ । ତେବେ ସବୁ କିଛି ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ଶରତ ରାଉତ ।
ସେହିପରି ପିସିସି ସଭାପତି ରେସ୍ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏବେ ପିସିସି ପରିବର୍ତ୍ତନ ନିତାନ୍ତ ହେବା ଦରକାର । ହେଲେ ମୁଁ ସଭାପତି ରେସରେ ନାହିଁ ବୋଲି ସେ କହିଛନ୍ତି । କିଏ ସଭାପତି ହେବ, ସେକଥା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ବିଚାର କରୁଥିବେ ବୋଲି କହିଛନ୍ତି ଜୟଦେବ ।
ସେ ଆହୁରି ମଧ୍ୟ କହିଛନ୍ତି, ଯେତେ ଶୀଘ୍ର ପିସିସି ପରବର୍ତ୍ତନ ହେବ, ସେତେ ଭଲ । ଆମେ ସରକାରୀ ଦଳକୁ କାଉଣ୍ଟର କରିବୁ । ଆଗାମୀ ନିର୍ବାଚନ ପାଇଁ ସମୟ ବି କମ୍ । ନିରଞ୍ଜନ ମଧ୍ୟ ଜଣେ ଦକ୍ଷ ଲୋକ । ତାଙ୍କ ଟିମ୍ ଗଠନ କଲେ ମଧ୍ୟ ସେ ଦଳକୁ ଆଗକୁ ନେଇ ପାରିବେ ବୋଲି କହିଛନ୍ତି ପୂର୍ବତନ ପିସି ସଭାପତି ଜୟଦେବ ଜେନା ।