ଶ୍ରୀମନ୍ଦିର ପ୍ରଶାସନ ନିକଟରେ ସେମାନଙ୍କ ଅନୁରୋଧ ଆସିଲେ ବିଚାର କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।
Trending Photos
)
ସଞ୍ଜୟ ମହାପାତ୍ର, ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ବଢ଼ୁଛି ଚିନ୍ତା । ମହାମାରୀ ଯୋଗୁଁ କେତେ ପ୍ରଭାବିତ ହେବ ରଥଯାତ୍ରା । ଏଥର ଘୋଷଯାତ୍ରା ପାଇଁ କ'ଣ ରହିବ ପ୍ରସ୍ତୁତି ? ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ସେବାୟତମାନେ ପ୍ରସ୍ତାବ ଦେଉଥିବା ବେଳେ ଭକ୍ତ ନ ଆସିଲେ ରଥ ଗଡିବ କି ନାହିଁ ତାହାକୁ ନେଇ ଚାଲିଛି ଆଲୋଚନା । ଏସବୁ ଭିତରେ ପୁଣି ଏକ ହଜିଯାଇଥିବା ଶ୍ରୀମନ୍ଦିରର ସେବା ଉଜ୍ଜୀବିତ ହୋଇଛି । ଛତିଶା ନିଯୋଗର ଗୋଟେ ସେବା ରହିଥିଲା କଳାବେଠିଆ ସେବା । ଏକ ଶ୍ରମିକ ସମ୍ପ୍ରଦାୟର ଲୋକେ ରଜାଙ୍କ ନିର୍ଦ୍ଦେଶରେ ଆସି ପୂର୍ବରୁ ରଥ ଟାଣୁଥିଲେ । ଶ୍ରୀମନ୍ଦିର ସତ୍ତ୍ୱଲିପିରେ ବି ରଥଟାଣିବା ପାଇଁ ସେବକ କଳାବେଠିଆ ବୋଲି ଉଲ୍ଲେଖ ରହିଛି । ଐତିହାସିକ ଓ ଶ୍ରୀମନ୍ଦିର ସେବାୟତ ଏମିତି କିଛି କହିଛନ୍ତି । ଆଉ ଏବେ କୋରୋନା ମହାମାରୀ ପଡ଼ିଥିବାରୁ ସେହି କଳାବେଠିଆ ସମ୍ପ୍ରଦାୟ ସେବା ଯୋଗାଇବାକୁ ପ୍ରସ୍ତାବ ଦେଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ସେମାନଙ୍କ ଅନୁରୋଧ ଆସିଲେ ବିଚାର କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।
କୋରାନl ମହାମାରୀ ଯୋଗୁଁ ଏବେ ସାରା ଦେଶ ଲକଡାଉନ୍ । ସବୁ ରାଜ୍ୟ ଓ ଜିଲ୍ଲା ମଧ୍ୟ ସିଲ୍ । କେହି କୁଆଡ଼େ ଯାଆସ କରିପାରିବେ ନାହିଁ । ତେବେ ଏହି ସମୟରେ ରଥଯାତ୍ରା ଓ ରଥଟଣା କିପରି ହେବ, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଏପ୍ରଶ୍ନ ଉଠିବାପରେ Zee Odisha ଇତିହାସର ପୃଷ୍ଠା ଓଲଟାଇଥିଲା । ଇତିହାସ ତଥା ବିଗତ ଦିନ ଗୁଡ଼ିକରେ କେବେ ଏମିତି ପରିସ୍ଥିତି ଉପୁଜିଥିଲା କି ? ଯଦି ଉପୁଜିଥିଲା, ତେବେ ଏହି ପରିସ୍ଥିତିକୁ ସେ ସମୟରେ କିପରି ମୁକାବିଲା କରାଯାଇଥିଲା ? ତାହା ଜାଣିବାକୁ ଆମେ ଚେଷ୍ଟା କରିଥିଲୁ । ଖୋଳତାଡ଼ କରିବା ପରେ ହାତରେ ଲାଗିଥିଲା THE ORISSA GAZETTE 1955 ର କିଛି ତଥ୍ୟ ।

ମହାପ୍ରଭୁଙ୍କ ଅନେକ ସେବା ରହିଛି, ତାହା ମଧ୍ୟରୁ କିଛି ସେବା କାଳକ୍ରମେ ଲୋପ ପାଇଯାଇଛି । ୧୯୫୫ ଗେଜେଟ ମୁତାବକ ରାଜାଙ୍କ ଶାସନ ସମୟରେ ରଥଯାତ୍ରାରେ ରଥ ଟାଣିବାକୁ ଆସିଥାନ୍ତି ଏକ ସ୍ୱତନ୍ତ୍ର ଶ୍ରମିକ ସମ୍ପ୍ରଦାୟର ଲୋକେ । ଯାହାକୁ କଳାବେଠିଆ କୁହାଯାଇଛି । କିନ୍ତୁ ସମୟକ୍ରମେ ଏହି ସେବା ଲୋପ ପାଇଯାଇଛି । କୋରୋନା ମହାମାରୀ ସମୟରେ ସାରା ଦେଶ ଲକଡାଉନ ଥିବାବେଳେ ରଥଟଣାକୁ ନେଇ ଯେଉଁ ଆଶା ଆଶଙ୍କା ଦେଖାଦେଇଛି, ସେହି ଆଶାଆଶଙ୍କା ଭିତରେ କଳାବେଠିଆମାନେ ଆସିପାରନ୍ତି ମହାପ୍ରଭୁଙ୍କ ରଥଟାଣିବା ପାଇଁ । ପୁରୀ ଜିଲ୍ଲାର ମୋଟ ଦଶଟି ଗ୍ରାମରେ ରହିଛନ୍ତି କଳାବେଠିଆ ସମ୍ପ୍ରଦାୟ । ତା ମଧ୍ୟରୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ଗ୍ରାମ କପିଳେଶ୍ଵରପୁର ହେଉଛି କଳାବେଠିଆମାନଙ୍କ ଅନ୍ୟତମ ସ୍ଥାନ । ରୁକ୍କୁଣା ରଥ ପରି ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ବନ୍ଦ ନକରି ସରକାର ଏହି ଲକଡାଉନ୍ ସମୟରେ ସେହି ଲୋପ ପାଇଯାଇଥିବା କଳାବେଠିଆ ସେବାକୁ ପ୍ରଚଳନ କରିବା ପାଇଁ ବରିଷ୍ଠ ସେବାୟତମାନେ ମତ ଦେଇଛନ୍ତି । ସେପଟେ ଐତିହାସିକଙ୍କ ମତରେ କଳାବେଠିଆ ସେବାକାରୀଙ୍କ ପିଢ଼ି ପରେ ପିଢ଼ି ସେବା ଯୋଗାଇ ଦେଇ ଆସୁଥିବା ବେଳେ ମଝିରେ ତାହା ବନ୍ଦ କରାଯାଇଥିଲା । ଆଉ ଏବେ ସେମାନଙ୍କୁ ନିୟୋଜିତ କରିବା ଦରକାର ବୋଲି କହିଛନ୍ତି ଐତିହାସିକ, ବରିଷ୍ଠ ସେବାୟତ ଏବଂ ବୁଦ୍ଧିଜୀବୀ ।
କଳାବେଠିଆମାନେ ରଥ ପୂର୍ବରୁ ପୁରୀ ଆସି ବିଶ୍ୱମ୍ବର ସ୍କୁଲ ଗଳିରେ ରହୁଥିଲେ । ରାଜାଙ୍କ ନିର୍ଦ୍ଦେଶ ମିଳିଲେ ସେବା କରୁଥିଲେ । ରଥଯାତ୍ରା ସରିବା ପରେ ଘରକୁ ଫେରୁଥିଲେ । ଆଉ ଏଯାବତ ସେମାନେ ଶ୍ରୀଜଗନ୍ନାଥଙ୍କ ଜମିରେ ଭୋଗ ଦଖଲ କରି ଚଳୁଛନ୍ତି । ପୁରା ତଥ୍ୟ ଅନୁସନ୍ଧାନ ପାଇଁ ଆମ ଟିମ୍ ପିଳେଶ୍ୱରପୁର ଗ୍ରାମରେ ପହଞ୍ଚିଥିଲା । ଆମେ ଭେଟିଥିଲୁ କିଛି କଳାବେଠିଆଙ୍କୁ । ପୁରା ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଠା କରିଥିଲୁ ।
ଗଜପତି ମହାରାଜଙ୍କ ଡାକରା ପରେ ଏହି କଳାବେଠିଆମାନେ ଯାଇଥାନ୍ତି ମୁଖ୍ୟତଃ ରଥର ଦକ୍ଷିଣମୋଡ଼ ଓ ରଥ ଟାଣିବା ପାଇଁ । ବେଠି ଖଟିବା ପାଇଁ ସେମାନଙ୍କୁ ମିଳିଥାଏ ଅଣେ କି ଦି ଅଣେ ପାଉଣା । କିନ୍ତୁ ସରକାରଙ୍କ ହାତକୁ ଶ୍ରୀ ମନ୍ଦିର ପରିଚାଳନା ଦାୟିତ୍ୱ ଯିବା ପରେ ଏହି ସେବା ଏବେ ଯାଏଁ ବନ୍ଦ ରହିଛି । ଯଦି ଏହି ମହାମାରୀ ସମୟରେ ସରକାର ଡାକନ୍ତି, କଳାବେଠିଆମାନେ ପ୍ରସ୍ତୁତ ଥିବା ଏମାନେ ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି କଳାବେଠିଆମାନଙ୍କ ପରିବାରର ପିଲାମାନେ କେବଳ ଏହି ସେବା ସମ୍ପର୍କରେ ଶୁଣିଥିବା କହିଛନ୍ତି । ସେମାନେ ତାଙ୍କ ପାରିବାରିକ ସେବାକୁ ବଞ୍ଚାଇ ରଖିବା ସହ ପରମ୍ପରା ଉଜ୍ଜୀବିତ ରଖିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି ମତ ରଖିଛନ୍ତି । ତେବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ସେମାନଙ୍କ ଅନୁରୋଧ ଆସିଲେ ବିଚାର କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।
ଜୁନ୍ ୨୩ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବେଳେ ଯଦି କୋରୋନା ତାର କାୟାବିସ୍ତାର କରିଥିବ, ତେବେ ଭକ୍ତଙ୍କ ରଥଟଣା ଉପରେ ପ୍ରଶାସନ ନିଶ୍ଚିତ ଭାବରେ କଟକଣା ଲଗାଇବ । ତେଣୁ ଏଭଳି ପରିସ୍ଥିତିରେ ବିଲୁପ୍ତ ହୋଇଥିବା କଳାବେଠିଆମାନଙ୍କୁ ଯଦି ରଥଟାଣିବାର ଅନୁମତି ମିଳନ୍ତା, ତେବେ ସେମାନେ ନିଜର ପାରିବାରିକ ସେବାକୁ ବଜାୟ ରଖିବା ସହ ପରମ୍ପରାକୁ ଉଜ୍ଜୀବିତ ରଖି ପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।