ଦୁର୍ଘଟଣା ସମୟରେ ମାନବିକତା ଦେଖାଇଲେ ଡାକ୍ତର; ବଞ୍ଚିଗଲା ଜୀବନ

ନିଜ ଉଦ୍ୟମରେ ରୋଗୀଙ୍କୁ ଯଥା ସମ୍ଭବ ସେବା ଯୋଗାଇ ଦେଉଥିବା ପୁରୀ ଗୋପ ବାଲିକପିଳେଶ୍ୱର ମେଡିକାଲର ଜଣେ କଣ୍ଟ୍ରାକ୍ଚୁଆଲ ଡକ୍ଟର ଜୟପ୍ରକାଶ ଦାସ, ସାରା ଅଞ୍ଚଳରେ ପ୍ରଂଶସା ସାଉଁଟିଛନ୍ତି । 

ଦୁର୍ଘଟଣା ସମୟରେ ମାନବିକତା ଦେଖାଇଲେ ଡାକ୍ତର; ବଞ୍ଚିଗଲା ଜୀବନ

ପୁରୀ: ଡାକ୍ତର ପାଖକୁ ରୋଗୀ ଯାଏ ମାତ୍ର ଡାକ୍ତର ରୋଗୀକୁ ନେଇ ମେଡିକାଲ ଯିବା ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । କିନ୍ତୁ ଏହା ସତ । ଏଭଳି ମାନବିକତାର ପରିଚୟ ଦେଖାଇଛନ୍ତି ଜଣେ ସରକାରୀ ଡାକ୍ତର । ବିଳମ୍ବିତ ରାତିରେ ଅକିଞ୍ଚନ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ମା' ଓ ଦେଢବର୍ଷର ପୁଅକୁ ଉଦ୍ଧାର କରି  ମୁହଁରୁ ବଞ୍ଚାଇଛନ୍ତି । କ୍ଷମତା ବାହାରୁ ଥାଇ ମଧ୍ୟ ବ୍ଲଡ କ୍ଲଟିଂ କ୍ଲିଅର କରି ଆମ୍ବୁଲାନ୍ସରେ ପୁରୀ ସଦର ହସପିଟାଲକୁ ପଠାଇବା ଓ ନିଜେ ଆସି ତାଙ୍କର ସେବା କରିବା ସମସ୍ତଙ୍କୁ ଚକିତ କରିଛି । ତେବେ ଏହି  ଡାକ୍ତର ହେଉଛନ୍ତି ପୁରୀ ଗୋପ ବାଲିକପିଳେଶ୍ୱର ମେଡିକାଲର କଣ୍ଟ୍ରାକ୍ଚୁଆଲ ଡକ୍ଟର ଜୟପ୍ରକାଶ ଦାସ । ଯାହାକୁ ନେଇ ସବୁଠିଁ ଚର୍ଚ୍ଚା ।

ପୁରୀ ଗୋପ ବାଲିକପିଳେଶ୍ୱର ମେଡିକାଲର ଜଣେ କଣ୍ଟ୍ରାକ୍ଚୁଆଲ ଡାକ୍ତର ହେଉଛନ୍ତି ଜୟପ୍ରକାଶ ଦାସ । ମେଡିକାଲରେ ରହି ଯଥା ସମ୍ଭବ ରୋଗୀଙ୍କୁ ସେବା ଯୋଗାଇ ଦେଇଥାନ୍ତି । କଣ୍ଟ୍ରାକ୍ଚୁଆଲ ନିଯୁକ୍ତି ହେଲେ ବି ରୋଗୀ ସେବାରେ କେବେ ଅବହେଳା କରିନଥାନ୍ତି । ଗତ ଗୁରୁବାର ରାତିରେ ମାନବିକତାର ପରିଚୟ ଦେଇଛନ୍ତି ଡାକ୍ତର ଜୟପ୍ରକାଶ । ସଂନ୍ଧ୍ୟା, ସମୟ ସାଢେ ସାତଟାରେ ଜୟପ୍ରକାଶ ନିଜ ବାଇକରେ ପୁରୀ ଫେରୁଥାନ୍ତି । ଜହ୍ନ ଆଲୁଅରେ ଝାପସା ଦେଖାଯାଉଥାଏ । ବାଲି କପିଳେଶ୍ୱର-ଟିକନ ରୋଡରେ ଯାଉଥିବା ସମୟରେ ଏକ ବାଇକରେ ଦେଢ ବର୍ଷର ପୁଅ, ସ୍ତ୍ରୀକୁ ନେଇ ଜଣେ ଯୁବକ ବ୍ରହ୍ମଗିରି ବାହ୍ମୁଣ୍ଡି ଯାଉଥାନ୍ତି। ଏଇଟା ପୁରୀ ରାସ୍ତାକି ବୋଲି ପଚାରିଥିଲେ। ଡାକ୍ତର ମଧ୍ୟ ଉତ୍ତର ଦେଇ ଆଗକୁ ମାଗିଥିଲେ । ହେଲେ ମିରରରେ ସେମାନଙ୍କୁ ଫଲୋ କରୁଥାନ୍ତି । ମାତ୍ର କିଛିଦୁର ଯିବା ପରେ ମିରରରେ ତାଙ୍କ ଲାଇଟ୍ ଦେଖାଗଲା ନାହିଁ। ସେମାନେ ବିପଦରେ ପଡିଯିବା ଭାବି ପଛକୁ ଫେରିଲେ । କିଛିବାଟ ଫେରି ଆସିବା ପରେ ଦେଖିଲେ ଦୁର୍ଘଟଣା ଗ୍ରସ୍ତ ହୋଇ ସମସ୍ତେ ଛିଟିକି ପଡିଛନ୍ତି । ମାଆ ଓ ଦେଢବର୍ଷର ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁଇଜଣ ଚେତା ହରାଇଛନ୍ତି । ମୁଣ୍ଡରୁ ବ୍ଲଡ ପିଚକାରୀ ମାରୁଛି । ସ୍ୱାମୀ ନିଜ ଗଞ୍ଜିରେ ଚାପି ଧରିଛନ୍ତି । ହେଲେ ନିରୁପାୟ । ଗରିବ ଲୋକ । ଡାକ୍ତର ଏଭଳି ପରିସ୍ଥିତି ଦେଖିବା ପରେ ଦୁଇଜଣ ପଥଚାରୀଙ୍କ ସହଯୋଗରେ ବାଲିକପିଳେଶ୍ୱର ମେଡିକାଲକୁ ନେଇଯାଇଥିଲେ । ସେଠାରେ ଷ୍ଠାଫ୍ ମାନଙ୍କ ସହଯୋଗରେ ତୁରନ୍ତ ଚିକିତ୍ସା ଆରମ୍ଭ କରିଦେଇଥିଲେ । ଯାହା ନ୍ୟୁରୋ ସର୍ଜନଙ୍କର କାର୍ଯ୍ୟ ତାହା କରି ଦେଖାଇଲେ ଡାକ୍ତର । କ୍ଷମତା ନଥାଇ ମଧ୍ୟ ମାଆ ଓ ଶିଶୁର ମୁଣ୍ଡରେ କ୍ଲଟ ହୋଇଥିବା ବ୍ଲଡ କ୍ଲିୟର କରି ବ୍ୟାଣ୍ଡେଜ କରିଥିଲେ । ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ହସପିଟାଲକୁ ପଠାଇଦେଲେ।    ଆଉ ଆଶ୍ଚର୍ଯ୍ୟର କଥା ଆମ୍ବୁଲାନ୍ସ ଆଗେଆଗେ ଡାକ୍ତର ମଧ୍ୟ ପୁରୀ ସଦର ହସପିଟାଲରେ ପହଞ୍ଚି ଯାଇଥିଲେ। ଏମିତିକି ଏମାନଙ୍କ ପରିଚୟ ନପାଇ ପରିବାରଙ୍କ ଉଦ୍ଦେଶ୍ୟରେ ଏମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଛାଡିଥିଲେ। ଆଉ ଏହି ଖବର ସୋସିଆଲ ମିଡିଆରୁ ଜାଣି ଶ୍ୱଶୁର ଘର ଲୋକ ମେଡିକାଲରେ ପହଞ୍ଚି ଥିଲେ ।

ସେପଟେ ପୁରୀ ସଦର ହସପିଟାଲରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା । ମାତ୍ର ଘଟଣାସ୍ଥଳରୁ ସମ୍ପୃକ୍ତ ଡାକ୍ତର ଉଦ୍ଧାର କରି ବ୍ଲଡ କ୍ଲଟିଂ କ୍ଲିୟର କରିଥିବା ଯୋଗୁଁ ଧିରେଧିରେ ସୁସ୍ଥ ହେଉଛନ୍ତି । ମୃତ୍ୟୁ  ଭୟ ଦୂର ହୋଇଯାଇଛି ବୋଲି କହିଛନ୍ତି ଡାକ୍ତର । ସୁସ୍ଥ ହେବା ପର୍ଯ୍ୟନ୍ତ ଏହି ଅସହାୟ ପରିବାରକୁ ସେବାଯୋଗାଇ ଦେଇଛନ୍ତି । ଯାହା ଡାକ୍ତରଙ୍କ ମାନବିକତାର ପରିଚୟ ପ୍ରଦାନ କରିଛି । ଡାକ୍ତରଙ୍କୁ ଏଭଳି ସହଯୋଗ ପାଇଁ ତାଙ୍କ ପୁଅ ଓ ସ୍ତ୍ରୀର ଜୀବନ ବଞ୍ଚିଲା । ସେ ଆମ ପାଇଁ ଭଗବାନ ବୋଲି କହିଛନ୍ତି ମହିଳାଙ୍କ ସ୍ୱାମୀ। ଡାକ୍ତର ଜୟପ୍ରକାଶ ଦାସଙ୍କ ମାନବିକତା ଆଜି ସମସ୍ତଙ୍କ ଆଗରେ ଉଦାହରଣ ପାଲଟିଛି ।