ବ୍ୟାଙ୍କରେ ଫୁଟିଲା ଗୁଳି, ଆହତ ହେଲେ ଗ୍ରାହକ

ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଗ୍ରାହକ ଆହତ ହୋଇଛନ୍ତି । ଆହତ ଗ୍ରାହକ ହେଉଛନ୍ତି ପଶ୍ଚିମବଙ୍ଗର ମନ୍ନନ ଘୋରାମି ବୋଲି ଜଣାପଡିଛି ।  

ବ୍ୟାଙ୍କରେ ଫୁଟିଲା ଗୁଳି, ଆହତ ହେଲେ ଗ୍ରାହକ

ପୁରୀ: ସହରର ପୁରୁଣା ସଦର ଥାନା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଅଘଟଣ ଘଟିଛି । ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଗ୍ରାହକ ଆହତ ହୋଇଛନ୍ତି । ଆହତ ଗ୍ରାହକ ହେଉଛନ୍ତି ପଶ୍ଚିମବଙ୍ଗର ମନ୍ନନ ଘୋରାମି ବୋଲି ଜଣାପଡିଛି ।

ତାଙ୍କର ବାମ ଗୋଡର ପାଦରେ ଗୁଳି ବାଜିଛି । ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ପୁରୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ କୁମ୍ଭାରପଡା ଥାନା ପୁଲିସ ବନ୍ଧୁକ ଜବତ କରିବା ସହ ସଂପୃକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖିଛି ।

ଗିରଫ ସିକ୍ୟୁରିଟି ଗାର୍ଡଙ୍କ ନାଁ ଅଜୟ ମହାରଣା ବୋଲି ଜଣାପଡିଛି । ତାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ତେବେ ସୂଚନା ମୁତାବକ, ଆଜି ଅର୍ଥାତ ଶୁକ୍ରବାର ଅପରାହ୍ନ ୩ଟା ୧୫ରୁ ୩ଟା ୨୦ଟା ମଧ୍ୟରେ ବ୍ୟାଙ୍କର କଷ୍ଟୋମର ଡେସ୍କ ନିକଟରେ ଘଟିଥିଲା ଏଭଳି ଘଟଣା ।

ସଂପୃକ୍ତ ସିକ୍ୟୁରିଟି ଗାର୍ଡ ହାତରୁ ଭୁଲ୍ ବଶତଃ ଖସିପଡିଥିଲା ତାଙ୍କର ସର୍ଭିସ ବନ୍ଧୁକ । ତଳ ମୁହାଁ ହୋଇ ଜୋରରେ ତଳକୁ ଖସି ପଡିବା ଯୋଗୁଁ ବନ୍ଧୁକ ଫୁଟିଯାଇଥିଲା । ଫଳରେ ତତକ୍ଷଣାତ ଗୋଟିଏ ରାଉଣ୍ଡ ଗୁଳି ବାହାରି ବ୍ୟାଙ୍କରେ ଥିବା ଗ୍ରାହକ ମନ୍ନନ ଘୋରାମୀଙ୍କ ଉପରେ ବାଜିଥିବା ଜଣାପଡିଛି ।