ଆଜିଠାରୁ ଆରମ୍ଭ ଧର୍ମର ମାସ 'କାର୍ତ୍ତିକ ମାସ' । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛି ହବିଷ୍ୟାଳିଙ୍କ ଭିଡ଼ । ଏହି ପବିତ୍ର ତିଥିରୁ ହବିଷ୍ୟାଳିମାନେ ହବିଷ ବ୍ରତ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ୱାମୀ ଭାବେ ଗ୍ରହଣ କରି ବ୍ରତ ରଖିବେ । ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।
ହବିଷ୍ୟାଳିଙ୍କ ପାଇଁ ଶନିବାର ଠାରୁ ତିନୋଟି ହବିଷ୍ୟାଳି ଶିବିର ଖୋଲାଯାଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ ହବିଷ୍ୟାଳି ଶିବିରର ଉଦଘାଟନ କରିବେ ।ସରକାରଙ୍କ ପକ୍ଷରୁ ୩ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି । ନଅ ଶହ ଶଯ୍ୟା ବିଶିଷ୍ଟ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସ, ୫୫୦ ଶଯ୍ୟା ବିଶିଷ୍ଟ ମୋଚିସାହି କଲ୍ୟାଣ ମଣ୍ଡପ ଓ ୧୪ଶହ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ଶିବିରର ବ୍ୟବସ୍ଥା କରାଯାଇଛି ।
ଏପର୍ଯ୍ୟନ୍ତ ଶିବିରରେ ପାଖାପାଖି ଅଢ଼େଇ ହଜାର ହବିଷ୍ୟାଳି ପହଞ୍ଚିସାରିଛନ୍ତି । ପ୍ରତି ଶିବିରରେ ଗଦି ତକିଆ, ବେଡସିଟ ସହ ପାଇଖାନା ଓ ଗାଧୁଆ ଘରର ବ୍ୟବସ୍ଥା ହୋଇଛି । ଶୀତରୁ ରକ୍ଷା ପାଇବା ପାଇଁ ହବିଷ୍ୟାଳିଙ୍କ ପାଇଁ ଗିଜର ଅର୍ଥାତ ଗରମ ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥି ସହିତ ସ୍ନାନ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ମଧ୍ୟ ସ୍ୱତନ୍ତ୍ର ତୁଠର ବ୍ୟବସ୍ଥା କରାଯାଇଛି ।
ହବିଷ୍ୟାଳିଙ୍କୁ ସହାୟତା କରିବା ଲାଗି ୪୦ଜଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ୱାସ୍ଥ୍ୟସେବା, ଅଗ୍ନିଶମ ସେବା,ପୋଲିସ ସେବା ଆଦି ଯୋଗାଇ ଦିଆଯିବାର ମଧ୍ୟ ନିର୍ଦ୍ଦେଷ ରହିଛି । ହବିଷ୍ୟାଳିଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଗ୍ରହଣ କରାଯାଇଛି ଽ ଏଥି ସହିତ ହବିଷ୍ୟାଳିମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ କିପରି ଶୃଙ୍ଖଳିତ ଭାବରେ ଦର୍ଶନ କରି ପାରିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି ।