କେତେ ବାଟ ଗଲାଣି ରଥ ନିର୍ମାଣ କାମ ?

୨୭ତାରିଖରୁ ଆରମ୍ଭ ହୋଇଛି ତାଲିକାଭୁକ୍ତ ସେବାୟତଙ୍କ ସ୍ୱାବ ସଂଗ୍ରହ । 

କେତେ ବାଟ ଗଲାଣି ରଥ ନିର୍ମାଣ କାମ ?

ପୁରୀ: ରଥଖଳାରେ ଚାଲିଛି ରଥନିର୍ମାଣ । ଗତକାଲି ଚକାଡେରା ନୀତି ପରେ ଅଖଚକକୁ ଥାକ କରାଯାଇଛି । ଚକ ତଳେ ବନ୍ଧ ଆଉ ଅଖ ତଳେ ମେଣ୍ଢି ଲଗାଇ ସପୋର୍ଟ ଦିଆଯାଇଛି । ଏହା ଉପରେ ଆଜି ପଡିଛି ଦଣ୍ଡା । ବିଶ୍ୱକର୍ମା ମହାରଣାମାନେ ୩ ରଥର ଦଣ୍ଡା ଅନୁକୂଳ ପରେ ତାକୁ ନମ୍ବର ଅନୁସାରେ ଖଞ୍ଜା ଯାଇଛି । ଦଣ୍ଡାରେ ଅଖକୁ ଦଉଡ଼ିରେ କଳସା ଯାଇଛି । ଏହାପରେ ଗରଗରା, ଗୟଳ ପଡ଼ିବା ପରେ ରଥରେ ଉଠିବ ଚାରିନାହାକା । ସେପଟେ କମାରଶାଳରେ ମଧ୍ୟ ଓଝା ସେବକମାନେ ତିନୋଟି ଅସ୍ଥାୟୀ ଶାଳରେ ଲୁହା କାମ ଦୃତଗତିରେ କରୁଛନ୍ତି । ୨୦ଏମ୍ଏମର ଅଖକଣ୍ଟା ଓ ଚଉରସ କଣ୍ଟା ନିର୍ମାଣ କରାଯାଉଛି । 

ସେହିପରି ୨୭ତାରିଖରୁ ଆରମ୍ଭ ହୋଇଛି ତାଲିକାଭୁକ୍ତ ସେବାୟତଙ୍କ ସ୍ୱାବ ସଂଗ୍ରହ ।  ପ୍ରାଥମିକ ପର୍ଯ୍ୟାୟରେ ଦଇତାପତି ଓ ଗରାବଡୁ ସେବକଙ୍କର ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ଆଜି ସୁଆର ମହାସୁଆର ଓ ଘଣ୍ଟୁଆ ନିଯୋଗର କୋଭିଡ୍ ଟେଷ୍ଟ କରାଯାଉଛି ।  ସୁଆର ମହାସୁଆରର ତାଲିକା ଅନୁଯାୟୀ ୬୦ଜଣ ସଦସ୍ୟ ସ୍ନାନପୂର୍ଣ୍ଣିମାରେ ସାମିଲ ହେବେ । ଜଗନ୍ନାଥ ଓ ବଳଭଦ୍ରଙ୍କ ପହଣ୍ଡିରେ ୨୫ ଜଣ ଲେଖାଏଁ  ଏବଂ ସୁଭଦ୍ରା ଓ ସୁଦର୍ଶନଙ୍କର ୫ ଜଣ ଲେଖାଏଁ ସୁଆର ମହାସୁଆର ସେବକ ରହିବେ । 

ଅନ୍ୟପଟେ ଘଣ୍ଟୁଆ ନିଯୋଗ ପକ୍ଷରୁ ମଧ୍ୟ ୫୦ଜଣଙ୍କ ତାଲିକା ପ୍ରଦାନ କରାଯାଇଛି । ପୁରୀ ଘଣ୍ଟୁଆ ନିଯୋଗର ୨୫ ଓ ଭର୍ଟିମୁଣ୍ଡା ଘଣ୍ଟୁଆ ନିଯୋଗର ୨୫ଜଣ ସଦସ୍ୟ ସ୍ନାନପୂର୍ଣ୍ଣିମାରେ ରହିବେ । ପର୍ଯ୍ୟାକ୍ରମେ ଅନ୍ୟ ସେବାୟତ ନିଯୋଗର ତାଲିକା ଅନୁଯାୟୀ କୋଭିଡ୍ ଟେଷ୍ଟ କରିବେ ବୋଲି ଜଣାପଡ଼ିଛି ।