)
ସଞ୍ଜୟ ମହାପାତ୍ର, ପୁରୀ: ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ରଥଖଳାରେ କୋଭିଡ 19ର ଗାଇଡଲାଇନକୁ ପାଳନ କରାଯାଇଛି । ଆସନ୍ତାକାଲି ଠାରୁ ୨୦୬ ଜଣ ରଥ ନିର୍ମାଣ ସେବାୟତଙ୍କୁ ତିନୋଟି ଭକ୍ତ ନିବାସରେ ସଙ୍ଗରୋଧ କରି ରଖାଯିବ । ସେମାନଙ୍କର ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ସେମାନଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି । ସେପଟେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରଥଖଳାରେ କୋରୋନା ସଚେତନତା ନେଇ ଦିଆଯାଇଥିଲା ପରାମର୍ଶ । ତାସହ ୪ଟି ମେଡିକାଲ ଟିମ ଗଠନ କରାଯାଇ ରଥ ନିର୍ମାଣ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କର ମଧ୍ୟ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ । ଯେଉଁ ରଥ ନିର୍ମାଣ ସେବାୟତଙ୍କର କିଛି ଲକ୍ଷଣ ଦେଖାଯିବ, ତାଙ୍କର ଶରୀର ସୁସ୍ଥ ହେବା ପରେ ପୁଣି ନିୟୋଜିତ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଅଫିସ ପାଖରୁ ବଡ଼ଦାଣ୍ଡରେ ୨୦୦ ମିଟର ପରିସୀମାକୁ ସମ୍ପୁର୍ଣ ସିଲ କରାଯାଇ ବ୍ୟାରିକେଡ କରାଯାଇଛି । ଆଉ ସେହି ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ କରାଯିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ ସ୍ନାନ ପୁର୍ଣିମା ଓ ଅଣସର ସହ ରଥଯାତ୍ରାରେ କମ ସଂଖ୍ୟକ ସେବକଙ୍କୁ ନିୟୋଜିତ କରାଯିବାକୁ ଥିବା ବେଳେ ସେବାୟତଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଆଗରୁ ହେବା ଦରକାର ଓ ଏ ନେଇ ଦଇତାପତି ନିଯୋଗ ସମ୍ମତି ପ୍ରକାଶ କରିଥିବା କହିଛନ୍ତି ନିଯୋଗର ସଭାପତି ।

ଆସନ୍ତାକାଲିଠୁ ରଥ ନିର୍ମାଣ ପାଇଁ ଆସୁଥିବା ୨୦୬ ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରହିବାର ବ୍ୟବସ୍ଥା ହୋଇଛି । ନିଳାଦ୍ରି ଭକ୍ତ ନିବାସରେ ୧୦୧ ଜଣ , ଗୁଣ୍ଡିଚାମନ୍ଦିର ଭକ୍ତ ନିବାସରେ ୭୦ ଜଣ , ନୀଳାଚଳ ଭକ୍ତ ନିବାସରେ ୩୫ ଜଣ ରହିବେ । ଯଦି ଆବଶ୍ୟକ ପଡ଼ିବ, ଦୁଦୱାଲା ଧର୍ମଶାଳାରେ ବାକି ରହିବାର ବ୍ୟବସ୍ଥା ହୋଇଛି । ସେମାନଙ୍କର ଖାଦ୍ୟପେୟ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ସେପଟେ କୋବିଡ ୧୯କୁ ନେଇ ୪ଟି ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରାଯାଇଛି । ଭକ୍ତ ନିବାସରେ ରଥ ନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗୋଟିଏ ଟିମ, ରଥଖଳାରେ ଗୋଟିଏ ଟିମ, ଜରୁରୀକାଳୀନ ବା ମୋବାଇଲ ପାର୍ଟି ପାଇଁ ଗୋଟିଏ ଟିମ ଓ ସେବକଙ୍କ ପରିବାର ଲୋକଙ୍କ ଯାଞ୍ଚ ପାଇଁ ଗୋଟିଏ ଟିମ୍ ମୁତୟନ କରାଯାଇଛି । ପୁରୀର ସ୍ଥିତି ଭଲ ରହିଛି । ତଥାପି କୌଣସି ରଥ ନିର୍ମାଣ ସେବକଙ୍କର ସ୍ୱାସ୍ଥ୍ୟ ସମସ୍ୟା କି କୋବିଡ ୧୯ର ଲକ୍ଷଣ ଦେଖାଦେଲେ ତାଙ୍କୁ ଆଇସୋଲେସନ କରି ରଖାଯିବ ବୋଲି କୁହାଯାଇଛି ।

ମହାପ୍ରଭୁଙ୍କଠାରେ ନିଜକୁ ସମର୍ପଣ କରି କାର୍ଯ୍ୟ କରିବାକୁ ଆସିଛୁ ବୋଲି କହିଛନ୍ତି ରଥ ନିର୍ମାଣ ସେବାୟତ । ତେଣୁ କୋରୋନା ଭୟ ରହିଲେ ବି ରଥଖଳାର ବ୍ୟବସ୍ଥା ବେଶ ଭଲ ହୋଇଛି । ଦୁଇ ଦିନ ଭିତରେ କାର୍ଯ୍ୟରେ ଅନେକ ଅଗ୍ରଗତି ଘଟିଛି । ଆଜି ତିନି ରଥର ୬ଟି ତୁମ୍ଭକୁ ଗୋଲେଇ କରାଯାଇଥିବା ବେଳେ ବିନ୍ଧ ପାଇଁ ସୁତାବାଡିଆ କରାଯିବ । ସକାଳ ୮ଟାରୁ ରାତ୍ର ୧୧ ପର୍ଯ୍ୟନ୍ତ କାମ କରାଯାଉଛି । ସେପଟେ ଚକରେ ଅର ସଂଯୋଗ ପାଇଁ ସିଙ୍ଗଡା ବାଡିଆ ପାଇଁ ଭୋଇ ସେବକଙ୍କ ଦ୍ୱାରା ଜନ୍ତାଗାଡ଼ ଖୋଳାଯାଇଛି ।
ତେବେ ସେବାୟତଙ୍କୁ ସ୍ୱତନ୍ତ୍ର ସ୍ଥାନରେ ରଖିବାକୁ ନେଇ କିଛି ସେବାୟତ ନାପସନ୍ଦ କରୁଛନ୍ତି । ସେମାନଙ୍କ ସହ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା ଚାଲିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ତେବେ ରଥ ନିର୍ମାଣକୁ ନେଇ ଦଇତାପତିମାନେ ସ୍ନାନ ଯାତ୍ରା କିଭଳି କରିବେ ସେ ନେଇ ପ୍ରସ୍ତୁତି ଆରମ୍ଭ କଲେଣି । କମ୍ ସଂଖ୍ୟକ ସେବାକଙ୍କୁ ନେଇ ପହଣ୍ଡି ଓ ସ୍ନାନ ପୂର୍ଣ୍ଣିମା ନୀତି ସହ ରଥଯାତ୍ରା କରାଯିବ । ଦଇତାପତି, ସୁଆର ଓ ଅନ୍ୟ ସେବାୟତମାନେ ଯେଉଁମାନେ ପହଣ୍ଡିରେ ଯୋଗଦେଇଥାନ୍ତି । ସେମାନଙ୍କର ବି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବାକୁ ସ୍ୱାଗତ କରିଛନ୍ତି ଦଇତାପତି ନିଯୋଗର ସଭାପତି ।
ସେପଟେ ୧୫ ତାରିଖ ଦିନ ତିନି ରଥର ଅଖ ଚକ ଡେରା ନୀତି କରିବା ପାଇଁ ମହାରଣାମାନେ ଲାଗିପଡ଼ିଛନ୍ତି । ଅନ୍ୟପଟେ କୋରୋନା ଭାଇରସ୍ ଯୋଗୁ ରଥ ନିର୍ମାଣ ସହ ଘୋଷଯାତ୍ରା କରିବା ପ୍ରଶାସନ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ରହିଛି ।