୨୬ ବର୍ଷ ପରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ

ପଞ୍ଜିକାରଙ୍କ ଗଣନା ଅନୁଯାୟୀ, ୨୦୨୦ ନଭେମ୍ବର ୨୭ରେ ପଡିବ ମହାପ୍ରଭୂଙ୍କ ନାଗାର୍ଜୁନ ବେଶ ।

୨୬ ବର୍ଷ ପରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ

ପୁରୀ: ଦୁର୍ଲଭ ନାଗାର୍ଜୁନ ବେଶରେ ଝଟକିବେ ମହାବାହୁ । ପଞ୍ଜିକାରଙ୍କ ଗଣନା ଅନୁଯାୟୀ, ୨୦୨୦ ନଭେମ୍ବର ୨୭ରେ ପଡିବ ମହାପ୍ରଭୂଙ୍କ ନାଗାର୍ଜୁନ ବେଶ ।କନାଜରି ବେତରେ ନିର୍ମିତ ଏହି ବେଶରେ ଜଗନ୍ନାଥଙ୍କୁ ଯୋଦ୍ଧା ରୂପେ ସଜାଇ ଦିଆଯାଇଥାଏ । ମହାପ୍ରଭୂଙ୍କ ଅଣ୍ଟାରେ ନାଗା ତାଟି, ଧନୁଶରପୂର୍ଣ ତୁଣୀ, କଟାରୀ, ଛୁରୀ, ବାଘ, ନଖ, ଏରାପକ୍ଷୀର ପର, ଢାଲ, ଅଣ୍ଟାରେ ଶୋଲ ତିଆରି କାରୁକାର୍ଯ୍ୟରେ ସଜାଇ ଦିଆଯାଇଥାଏ । ମହାପ୍ରଭୂ ଓ ବଳଭଦ୍ରଙ୍କ ବେଶ ପାଇଁ ଶ୍ରୀହସ୍ତ ଓ ଶ୍ରୀପୟର ମଧ୍ୟ ଲାଗି ହୋଇଥାଏ । ମହାପ୍ରଭୁ ଉଭୟ ହସ୍ତରେ ଦୁଇଟି ଓଳମାଳି ଧରିଥାନ୍ତି ।ବାମ ହସ୍ତରେ ରୂପା ଶଙ୍ଖ, ଦକ୍ଷିଣରେ ଚକ୍ର, ବଳଭଦ୍ରଙ୍କ ବାମ ହାତରେ ମୂଷଳ, ଦକ୍ଷିଣ ହସ୍ତରେ ହଳ ଧରିଥାନ୍ତି । ସେହିପରି ଘାଗଡା ମାଳି, ପଦ୍ମ, ହରିଡା, କଣ୍ଠି, ବାଘ ନଖ ମାଳିରେ ମହାପ୍ରଭୁଙ୍କୁ ସଜା ଯାଏ । ବାହୁରେ କଲିଙ୍ଗ, କଟିରେ କଟି ଢାଲ, କମରପେଟିରେ ଛୁରୀ , କଟାରୀ ସିଙ୍ଗଡା, ଜଙ୍ଘରେ ଘଣ୍ଟି ବନ୍ଧାଯାଇଥାଏ । ଶୁଭଦ୍ରାଙ୍କ ମସ୍ତକରେ ସୁନାର ମୁକୁଟ, ଚନ୍ଦ୍ରିକା, କର୍ଣ ଅଳଙ୍କାର ମଧ୍ୟ ଲାଗି ହୋଇଥାଏ । ବିଧି ଅନୁସାରେ କାର୍ତିକମାସର ପଞ୍ଚୁକ ପାଞ୍ଚ ଦିନ ପରିବର୍ତେ ୬ ଦିନ ପଡିଲେ ଅତିରିକ୍ତ ଦିନରେ ଅର୍ଥାତ ଦ୍ୱାଦଶୀ ତିଥିରେ ଏହି ନାଗାର୍ଜୁନ ବେଶ କରାଯିବ । ୧୯୯୪ରେ ଶେଷଥର ପାଇଁ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହୋଇଥିଲା । ତଥ୍ୟ ଅନୁସାରେ ଏହି ବେଶ ୧୯୬୬ , ୧୯୮୩ ଓ ଶେଷ ଥର ୧୯୯୩ ଓ ୧୯୯୪ରେ ହୋଇଥିଲା । ଏହି ବେଶକୁ ଦର୍ଶନ ପାଇଁ ହିମାଚଳପ୍ରଦେଶର ଅଧିକାଂଶ ନାଗା ସାଧୁମାନେ ଦର୍ଶନ କରିବାକୁ ଆସିଥାନ୍ତି । ତେବେ ୧୯୯୩ରେ ଏହି ବେଶ ଦର୍ଶନ ବେଳେ, ଦଳାଚକଟାରେ ୬ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା ।

ସେତବେଳେ କମିଶନ ବସାଯାଇ, ତଦନ୍ତ କରାଯାଇଥିଲା । ସେପଟେ ନୂଆ ପଞ୍ଜିକା ପ୍ରସ୍ତୁତ ହେବା ପରେ ତିଥିବାର ନିର୍ଘଣ୍ଟ ସ୍ପଷ୍ଟ ହୋଇ ନାଗାର୍ଜୁନ ବେଶ କରାଯିବ । ଏଥର ୧୯୯୪ ମସିହା ନୀତି ଭଳି ଚଳିତ ବର୍ଷ ଶ୍ରୀମନ୍ଦିରରେ କାର୍ତିକ ପଞ୍ଚୁକର ଦ୍ୱାଦଶୀ ତିଥି ରାତ୍ର ୧୧ଟା ସୁଦ୍ଧା ପହୁଡ ନୀତି କରାଯାଇ ତା ପରଦିନ ଅର୍ଥାତ ନଭେମ୍ବର ୨୭ର ମଧ୍ୟରାତ୍ର ୧ଟାରୁ ଦ୍ୱାରଫିଟା ନୀତି କରି ଅନ୍ୟାନ୍ୟ ନୀତି ବଢି ସକାଳ ୮ଟା ସୁଦ୍ଧା ଅବକାଶ ପରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ କରାଯିବ ।ଭୋଗ ମଣ୍ଡପ ପରେ ବେଶ ମଇଲମ ହେବାକୁ ଥିବାରୁ ସେହି ନୀତି ପରେ ଆଉ ନୀତି କରାଯିବ ନାହିଁ । ତା ପରେ ମଧ୍ୟରାତ୍ର ପର୍ଯ୍ୟନ୍ତ କେବଳ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ଦୀର୍ଘ ୨୬ ବର୍ଷ ପରେ ପଡୁଛି ଦୁର୍ଲଭ ନାଗାର୍ଜୁନ ବେଦୁର୍ଲଭ ନାଗାର୍ଜୁନ ବେଶ ।ମହାପ୍ରଭୁଙ୍କର ଏହି ବେଶ ୨୦୨୦ରେ ହେବାକୁ ଥିବା ବେଳେ ଏଥିପାଇଁ ପ୍ରଶାସନିକ ସ୍ତରରେ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତିର ଆବଶ୍ୟକତା ରହିଛି ।