ରଥଖଳାର ସୁରକ୍ଷା ପାଇଁ ଲଗାଯାଇଛି ସିସିଟିଭି । ରଥ ନିର୍ମାଣ ସେବକଙ୍କୁ କାଲିଠାରୁ ସଙ୍ଗରୋଧରେ ରଖାଯାଇଛି ।
Trending Photos
ସଞ୍ଜୟ କୁମାର ମହାପାତ୍ର, ପୁରୀ: ଆଜି ରଥ ନିର୍ମାଣ କାମର ଚତୁର୍ଥ ଦିନ । ତେବେ ତୃତୀୟ ଦିନ ସୁଦ୍ଧା ରଥଖଳାରେ ତିନି ରଥର ୪୨ଟି ତୁମ୍ଭରୁ ୩୩ଟି ତୁମ୍ଭ କାମ ସରିଥିବା ବେଳେ ୬ଟି ତୁମ୍ଭର ହୋଇଛି ବିନ୍ଧ ଅନୁକୁଳ । ସେଥିରେ ୧୬ଯୋଡ଼ା ବିନ୍ଧ ହୋଇ ଅର ଲଗାଯିବ । ସେପଟେ ରଥଖଳାରେ ଗୁଜ ପାଇଁ କରତ କଳରୁ ପହଞ୍ଚିସାରିଛି ଚଉପଟ କାଠ । ରଥଖଳାର ସୁରକ୍ଷା ପାଇଁ ଲଗାଯାଇଛି ସିସିଟିଭି । ରଥ ନିର୍ମାଣ ସେବକଙ୍କୁ କାଲିଠାରୁ ସଙ୍ଗରୋଧରେ ରଖାଯାଇଛି ।
ତିନୋଟି ଭକ୍ତ ନିବାସରେ ୨୦୬ ଜଣ ରହିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସେମାନଙ୍କୁ ଟଏଲେଟ କିଟ ସହ ଦୁଇଟି ଲେଖାଏଁ ମାସ୍କ ପ୍ରଦାନ କରାଯାଇଛି । ତା ସହିତ ସେମାନଙ୍କୁ ଭକ୍ତ ନିବାସରେ ଦୁଇ ବେଳା ଖାଦ୍ୟ, ଜଳଖିଆ ସହିତ ସେମାନଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ଓ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ରହିଛନ୍ତି । ପ୍ରତିଦିନ ରଥଖଳାକୁ ଆସିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ଓ ରଥଖଳାରେ ବି ଥର୍ମାଲ ସ୍କ୍ରିନିଂ କରାଯିବାର ବ୍ୟବସ୍ଥା ହୋଇଛି । ରଥଖଳାରେ ଗତକାଲି ୧୪୩ ଜଣଙ୍କର ଯାଞ୍ଚ ହୋଇଥିଲା । ବିଶ୍ୱକର୍ମା ମହାରଣା, ରୁପକାର ସେବକ, ଭୋଇ ସେବକ, କମାର ସେବକ, କର୍ତିଆ ସେବକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତଥ୍ୟ ଏଡିଏମଓଙ୍କୁ ଦିଆଯାଉଛି । ତେବେ ଜଗନ୍ନାଥଙ୍କ ଦୟାରୁ ରଥଖଳାରେ ସମସ୍ତ ମହାରଣାମାନେ ସୁସ୍ଥ ରହିଛନ୍ତି ବୋଲି କହିଛନ୍ତି ସହକାରୀ ସ୍ୱାସ୍ଥ୍ୟ ଅଧିକାରୀ ।
ରଥଖଳାରେ ଏଯାବତ ତିନି ରଥ ପାଇଁ ୪୨ଟି ତୁମ୍ଭ ମଧ୍ୟରୁ ୩୩ଟି ତୁମ୍ଭକୁ ଗୋଲେଇ କରାଯାଇଛି । ସେଥିରୁ ୬ଟିରେ ସୁତାବାଡିଆ ଅନୁକୁଳ କରି ବିନ୍ଧ ଅନୁକୁଳ କରାଯାଇଛି । ଅନ୍ୟପଟେ ଖପୁରିଆ କରତ କଳରୁ ୪୧ଟି ଗୁଜ ଚିରଟ ହୋଇ ଚଉପଟ ହୋଇ ରଥଖଳାରେ ପହଞ୍ଚିଛି । ତିନୋଟି ଅଖ କାଠକୁ ମଧ୍ୟ ରଥଖଳାରେ ରଖାଯାଇଥିବା ବେଳେ ଦୁଇ ଦିନ ପରେ ତାହା ଅନୁକୁଳ କରି ହଣା ଯିବ । ତା ସହିତ ତୁମ୍ଭରେ ୧୬ଯୋଡା ବିନ୍ଧ ହୋଇଥିବା ବେଳେ ସେଥିରେ ୧୬ଟି ଅର ସଂଯୋଗ କରାଯିବ । ତା ଉପରେ ୪ଟି ପହି ଲଗାଯିବା ପରେ ଚକ କାର୍ଯ୍ୟ ୬ଟି ସାରି ଭଉଁରୀ ପାଇଁ ପ୍ରସ୍ତୁତ କରାଯିବ । ତେବେ ରଥଖଳାର ସୁରକ୍ଷା ପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଛି । ସେପଟେ ରଥ ନିର୍ମାଣରେ ନିୟୋଜିତ ସେବକଙ୍କ ପାଇଁ ସଙ୍ଗରୋଧ ନିଷ୍ପତିକୁ ସ୍ୱାଗତ କରିଛନ୍ତି ବିଶ୍ୱକର୍ମା ଓ କମାର ସେବକ । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ନିଜକୁ ସମର୍ପଣ କରିଥିବାରୁ ପ୍ରଶାସନର ସବୁ ବ୍ୟବସ୍ଥା ଗ୍ରହଣୀୟ ବୋଲି କହିଛନ୍ତି କମାର ସେବକ ।
ରଥଖଳାକୁ ସୁରକ୍ଷିତ ରଖିବା ପାଇଁ ମରଚିକୋଟ ଛକରୁ ହୋଇଛି ନୋ ଏଣ୍ଟ୍ରି । ରଥଖଳାରେ ଲାଗିଲା ସିସିଟିଭି । ପୁଣି କୋରୋନା ସଂକ୍ରମଣରୁ ରଥ ନିର୍ମାଣ ସେବକଙ୍କୁ ସୁରକ୍ଷିତ ରଖିବା ପାଇଁ ସଙ୍ଗରୋଧ ପାଇଁ ହୋଇଛି ନିଷ୍ପତି । ଏସବୁ ଭିତରେ ଚାଲିଛି ରଥନିର୍ମାଣ କାମ ।