ଆଜିଠୁ ପୁଣି ଆରମ୍ଭ ଜଗନ୍ନାଥ ହେରିଟେଜର ଉନ୍ନୟନ କାର୍ଯ୍ୟ
Advertisement

ଆଜିଠୁ ପୁଣି ଆରମ୍ଭ ଜଗନ୍ନାଥ ହେରିଟେଜର ଉନ୍ନୟନ କାର୍ଯ୍ୟ

 ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀରର ୭୫ମିଟର ମଧ୍ୟରେ ପାଞ୍ଚଟି ମୌଜାରୁ ୧୫ଏକର ୧୨ଡିସିମିଲ ଜାଗା ଖାଲି କରାଯିବ । ବର୍ତ୍ତମାନ ସୁଦ୍ଧା ୯୫ପ୍ରତିଶତ ଯାଗା ପ୍ରଶାସନ ପକ୍ଷରୁ ଅଧିଗ୍ରହଣ ସରିଯାଇଛି । 

ଆଜିଠୁ ପୁଣି ଆରମ୍ଭ ଜଗନ୍ନାଥ ହେରିଟେଜର ଉନ୍ନୟନ କାର୍ଯ୍ୟ

ସଞ୍ଜୟ ମହାପାତ୍ର, ପୁରୀ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜିଠାରୁ ଆରମ୍ଭ ହେବ ଜଗନ୍ନାଥ ହେରିଟେଜର ଉନ୍ନୟନ କାର୍ଯ୍ୟ । ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀରର ୭୫ମିଟର ମଧ୍ୟରୁ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । କୋରୋନା ମୁକାବିଲା ପାଇଁ ମାର୍ଚ୍ଚ ୧୫ରୁ ଲକଡାଉନ ହୋଇଥିଲା । ସେହି ସମୟରେ ଅଟକି ଥିବା ଉଚ୍ଛେଦ କାର୍ଯ୍ୟକୁ ପୁନର୍ବାର  ଶ୍ରୀମନ୍ଦିରର ଉତ୍ତରପାର୍ଶ୍ୱରୁ ଆରମ୍ଭ କରାଯିବ । ଉଚ୍ଛେଦ ସହ ଭଗ୍ନାବଶେଷ ଗୁଡିକୁ ସ୍ଥାନାନ୍ତର କରିବା ପାଇଁ ନିସ୍ପତ୍ତି ହୋଇଥିଲା । ଏଣୁ ଆଜି ଉତ୍ତରପାର୍ଶ୍ୱ ମଠର ଅବଶିଷ୍ଟାଂଶ ଓ ଲକ୍ଷ୍ମୀ ବଜାରରେ ବ୍ୟବସାୟୀମାନେ ଖାଲି କରିଥିବା ସ୍ଥାନରୁ ଉଚ୍ଛେଦ ଆରମ୍ଭ ହେବ । ଏଥିଲାଗି ଦୁଇଟି ଜେସିବି ମେସିନ ନିୟୋଜିତ, ଜଣେ ମାଜିଷ୍ଟ୍ରେଟ ସହ ଦୁଇପ୍ଲାଟୁନ ଫୋର୍ସ ମୁତୟନ ହେବେ । 

ସେପଟେ ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀରର ୭୫ମିଟର ମଧ୍ୟରେ ପାଞ୍ଚଟି ମୌଜାରୁ ୧୫ଏକର ୧୨ଡିସିମିଲ ଜାଗା ଖାଲି କରାଯିବ । ବର୍ତ୍ତମାନ ସୁଦ୍ଧା ୯୫ପ୍ରତିଶତ ଯାଗା ପ୍ରଶାସନ ପକ୍ଷରୁ ଅଧିଗ୍ରହଣ ସରିଯାଇଛି । ଏହି ପରିସୀମା ମଧ୍ୟରେ ରହିଛି ୧୮୫ଟି ବ୍ୟକ୍ତିଗତ କୋଠା, ୧୮ଟି ମଠ, ୨ଟି ଆଶ୍ରମ, ୧୨ଟି ଦେବାଦେବୀ ମନ୍ଦିର ଓ ୨୫ଟି ଲଜିଂ। ତେବେ ୧୮ଟି ମଠ ମଧ୍ୟରୁ ୧୪ଟିରୁ ଉର୍ଦ୍ଧ୍ୱ ମଠ ଉଚ୍ଛେଦ ସରିଯାଇଥିବା ବେଳେ ଅବଶିଷ୍ଟ ମଠର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଉଚ୍ଛେଦ ସରିଥିବା ମଠ ଗୁଡିକ ମଧ୍ୟରେ ଏମାରମଠ, ମଙ୍ଗୁମଠ, ସାନଛତା ମଠ, ଲଙ୍ଗୁଳିମଠ, ଦକ୍ଷିଣପାର୍ଶ୍ୱ ମଠ, ରେବେଶା ମଠ ଆଦି ରହିଛି । ଅନେକ ବ୍ୟକ୍ତିଗତ ପ୍ଲଟ ମଧ୍ୟରୁ ଅଧିକାଂଶ ପ୍ଲଟରୁ ଉଚ୍ଛେଦ ସରିଯାଇଛି । କିଛି କୋର୍ଟ କଚେରୀ ମାମଲା ଓ ଜମି ନଦେବା ପାଇଁ ଜିଦ୍  ଯୋଗୁଁ ଜମି ଅଧିଗ୍ରହଣରେ ବାଧା ଉପୁଜିଥିବା ଜଣାପଡିଛି ।