ନିଅଣ୍ଟିଆ ବର୍ଷା, ପୁରୀରେ ମରୁଡ଼ି ଆଶଙ୍କା
Advertisement

ନିଅଣ୍ଟିଆ ବର୍ଷା, ପୁରୀରେ ମରୁଡ଼ି ଆଶଙ୍କା

ପୁରୀରେ ଚଳିତ ବର୍ଷ ହୋଇଛି ନିଅଣ୍ଟିଆ ବର୍ଷା । ସ୍ୱାଭାବିକ ଭାବେ ଜିଲ୍ଲାରେ ୩୫୬.୩ ମିଲିମିଟର ବର୍ଷା ହୋଇଥାଏ । ହେଲେ ଚଳିତବର୍ଷ ମାତ୍ର ୧୭୭.୯ ମିଲିମିଟର ବର୍ଷା ଯାହା ଗତବର୍ଷ ତୁଳନାରେ ୬୦ ପ୍ରତିଶତ କମ୍ ବର୍ଷା ହୋଇଛି । 

ପ୍ରତୀକାତ୍ମକ ଫଟୋ

ସଞ୍ଜୟ କୁମାର ମହାପାତ୍ର, ପୁରୀ: ଚଳିତ ବର୍ଷ ପୁରୀ ହୋଇଛି ନିଅଣ୍ଟିଆ ବର୍ଷା । ପୂର୍ବବର୍ଷ ଅପେକ୍ଷା ପାଖାପାଖି ୬୦ ଭାଗ କମ ବର୍ଷା ହୋଇଛି । ଫଳରେ ଖରିଫ ଋତୁରେ ହେବାକୁ ଥିବା ଚାଷରେ ଦେଖାଦେଲାଣି ସମସ୍ୟା । କିଛି ଜମିରେ ପାଣି ନ ଥିବାରୁ ଫାଟିକି ଆଁ କରିଥିବା ବେଳେ କିଛି କେନାଲ ପାଣି ଓ ବର୍ଷାରେ ହୋଇଛି ପାଦେ ଉଚ୍ଚର ପାଣି  । ହେଲେ ବର୍ତ୍ତମାନ ଶ୍ରାବଣ ମାସରେ ମୁଷଳ ଧାରାରେ ବର୍ଷା ହେବା କଥା । ଯଦି ନ ହୁଏ ତେବେ ମରୁଡି ପରିସ୍ଥିତି ଉପୁଜିବ । ସେପଟେ କୋରୋନା ଯୋଗୁଁ ଚାଷକାର୍ଯ୍ୟ ପାଇଁ ପଡ଼ୋଶୀ ଜିଲ୍ଲାରୁ ଲୋକ ନ ମିଳିବାରୁ ଚାଷ କାମବି ଡେରିରେ ଆରମ୍ଭ ହେଇଛି ବୋଲି କହିଛନ୍ତି ଚାଷୀ । ଖରିଫ ଋତୁ ପାଇଁ କୃଷି ବିଭାଗର ସ୍ୱତନ୍ତ୍ର ଯୋଜନା କରାଯାଇଥିବା ବେଳେ ବିହନ କିଣାରେ ଚଳିତ ବର୍ଷ ୨୫ ପ୍ରତିଶତ ଅଧିକ ସବସିଡି ଦିଆଯାଇଛି । କୃଷି ସମ୍ପର୍କିତ ପରାମର୍ଶ ଦେବା ପାଇଁ ଗ୍ରାମସ୍ତରରେ କୃଷି ବିଶେଷଜ୍ଞଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ବର୍ଷା ନହେଲେ ଖରିଫ ଋତୁରେ ବି ଚାଷୀ ପାଇଁ ଅମଳ ସଙ୍କଟ ଦେଖା ଦେବ ବୋଲି କହିଛନ୍ତି ଜିଲା କୃଷି ଅଧିକାରୀ । 

ପୁରୀରେ ଚଳିତ ବର୍ଷ ହୋଇଛି ନିଅଣ୍ଟିଆ ବର୍ଷା । ସ୍ୱାଭାବିକ ଭାବେ ଜିଲ୍ଲାରେ ୩୫୬.୩ ମିଲିମିଟର ବର୍ଷା ହୋଇଥାଏ । ହେଲେ ଚଳିତବର୍ଷ ମାତ୍ର ୧୭୭.୯ ମିଲିମିଟର ବର୍ଷା ଯାହା ଗତବର୍ଷ ତୁଳନାରେ ୬୦ ପ୍ରତିଶତ କମ୍ ବର୍ଷା ହୋଇଛି । ବାସ୍ତବିକ ସ୍ଥିତିକୁ ଅନୁଧ୍ୟାନ କଲେ ୧ ଲକ୍ଷ ୮୮ ହଜାର ୭୪୫ ହେକ୍ଟର ଚାଷ ଜମି ରହିଥିବା ବେଳେ ୧ ଲକ୍ଷ ୩୫ ହଜାର ୮୫୦ ହେକ୍ଟର ଜମିରେ ଜିଲ୍ଲାରେ ଧାନ କରାଯାଏ । ଅବଶିଷ୍ଟ ୧୯ ହଜାର ୧୦୦ ହେକ୍ଚର ଜମିରେ ଅନ୍ୟାନ୍ୟ ଫସଲ କରାଯାଏ । ହେଲେ ନିଅଣ୍ଟିଆ ବର୍ଷା ଯୋଗୁ ଜିଲ୍ଲାର ଅନେକ ଜମି ଏବେ ଫାଟି କି ଆଁ କରି ରହିଛି  । ଆଉ କିଛି ଜମିରେ କେନାଲ ପାଣି , ଲିଫ୍ଟ ଓ ବର୍ଷା ଯୋଗୁଁ ପାଦେ ଉଚ୍ଚର ପାଣି ରହିଛି । ଯେଉଁଥିରେ ହଳର ନଙ୍ଗଳଫାଳ ମଧ୍ୟ ବୁଡୁ ନାହିଁ  । ଗୋଟିଏ ପଟେ ବର୍ଷାର ଅଭାବ ଓ ଅନ୍ୟପଟେ କୋରୋନା ଯୋଗୁ ଜିଲ୍ଲା ବାହାରର ଲୋକଙ୍କ ଅଭାବ ଯୋଗୁ ଚାଷକାର୍ଯ୍ୟରେ ଦେଖାଦେଇଛି ବିଳମ୍ବ । ଏବେ ଚାଷ କାମରେ ତଳି ପଡ଼ି ୫୦ ଭାଗ କାମ ଆଗେଇଯିବା କଥା । ମାତ୍ର ତଳି ରୁଆ କାମ ସ୍ୱାଭାବିକ ଭାବେ ଆରମ୍ଭ ହୋଇପାରିନାହିଁ । ଆଉ ଯାହା କିଛି ରୁଆ ହୋଇଛି ଯଦି ଶ୍ରାବଣ ମାସରେ ବର୍ଷା ନ ହୁଏ ତେବେ ମରୁଡି ହୋଇଯିବ । ଏଭଳି ସ୍ଥିତିରେ ଋଣ କରି ଚାଷ କରିଥିବାରୁ ଚାଷୀ ଆତ୍ମହତ୍ୟା ଘଟିବ ବୋଲି କହିଛନ୍ତି ଚାଷୀକୂଳ । 

ଅନ୍ୟପେ ପୁରୀ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ଯୋଗୁ ଚାଷକାର୍ଯ୍ୟ ପ୍ରଭାବିତ ହୋଇଛି ବୋଲି ସ୍ୱୀକାର କରିଛନ୍ତି ଜିଲ୍ଲା କୃଷି ସହ ନିର୍ଦ୍ଦେଶକ । ରବି ଫସଲ ସମୟରେ ଚାଷୀ ସେତେଟା ଅମଳ ପାଇ ନ ଥିବା ବେଳେ ଖରିଫ ଋତୁରେ ବି ତାହା ପାଇଁ ବାଧକ ସାଜିଛି ବର୍ଷା । ଏବେ ସୁଦ୍ଧା ଧାନ ଚାଷରେ ବିଳମ୍ବ ହୋଇଛି । ତଥାପି ଜିଲ୍ଲାରେ ୧୪ ହଜାର କୁଇଣ୍ଟାଲ ୨୮ ପ୍ରକାରର ବିହନ ଚାଷୀଙ୍କୁ ଦିଆଯାଇଥିବା ବେଳେ କୋବିଡକୁ ନେଇ ଚଳିତବର୍ଷ ଆଉ ୨୫ ପ୍ରତିଶତ ସବସିଡ ଦିଆଯାଇଛି । ୨୦୧୯-୨୦ରେ ରବି ଫସଲ ପାଇଁ ୧ ଲକ୍ଷ ହେକ୍ଟର  ଜମିରେ ଜଳସେଚନ ବ୍ୟବସ୍ଥା କରାଯାଇଥିବା ବେଳେ  ଚଳିତ ବର୍ଷ ତାହା ସମ୍ଭବ ହୋଇପାରିନାହିଁ । ତେଣୁ ବର୍ଷାକୁ ଦୃଷ୍ଟିରେ ରଖି ଯଦି ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୁଏ, ସେ ନେଇ କୃଷି ବିଭାଗ ପକ୍ଷରୁ ଜିଲ୍ଲା ପାଇଁ ୨୦୨୦-୨୧ ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ କରାଯାଇଛି । ଧାନ ନ ହେଲେ ବି ଅନ୍ୟ ପନିପରିବା ଓ ଫସଲ କରିବା ପାଇଁ ବ୍ୟବସ୍ଥା କରାଯିବ । ତାସହ ଚାଷ ସମ୍ବନ୍ଧୀୟ ସୂଚନା ଓ ପରାମର୍ଶ ପାଇଁ ଗ୍ରାମସେବକଙ୍କ ଜରିଆରେ ପଞ୍ଚାୟତ ସ୍ତରରେ ସହାୟତା ଦିଆଯାଉଛି  । ବିଶେଷକରି କୃଷ୍ଣପ୍ରସାଦ, ବ୍ରହ୍ମଗିରି, କଣାସ, ସତ୍ୟବାଦୀ, କାକଟପୁର ଅଞ୍ଚଳର ଚାଷୀମାନେ ବେଶ ପ୍ରଭାବିତ ହେବେ ବୋଲି କହିଛନ୍ତି ଜିଲ୍ଲା କୃଷି  ସହ ନିର୍ଦ୍ଦେଶକ ରାଜକିଶୋର ଦାସ । 

କୋରୋନା ମହାମାରି ସମୟରେ ଅଭାବୀ ବର୍ଷା ଚାଷୀଙ୍କ ପାଇଁ  ଆର୍ଥିକ ସଂକଟ ସୃଷ୍ଟି କରିବ । ଚାଷୀଙ୍କୁ ଏଭଳି ବିପର୍ଯ୍ୟୟ ସମୟରେ ସହଯୋଗ କରିବା ପାଇଁ  ଚାଷୀ ଦାବି କରିଛନ୍ତି ।