ଶ୍ରୀକ୍ଷେତ୍ରରେ ନାଳ ନର୍ଦ୍ଦମା ସମସ୍ୟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ବର୍ଷା ହେଲେ ନାଳ ନର୍ଦ୍ଦମାର ଜଳ ବଡ଼ଦାଣ୍ଡରେ ଜଳାର୍ଣ୍ଣବ ହୋଇପଡ଼େ । ରଥଯାତ୍ରା ପାଇଁ ନାଳ ସଫେଇ କାମ ଆରମ୍ଭ ହୋଇଥିବା ବେଳେ ଲକଡାଉନ୍ ହଟିବା ଦିନ ଯାଏଁ ଟାର୍ଗେଟ ଭିତରେ ସଫା ଶେଷ ହେବ ବୋଲି କହଛି ପୌରସଂସ୍ଥା ।
Trending Photos
)
ସଞ୍ଜୟ କୁମାର ମହାପାତ୍ର, ପୁରୀ: ଲକଡାଉନ୍ ଯୋଗୁଁ ବଦଳି ଯାଇଛି ସହରର ପରିମଳ ଅବସ୍ଥା । ସହରରୁ ପ୍ରାୟ ୬୦ ପ୍ରତିଶତ ଆବର୍ଜନା କମି ଯାଇଛି । ଦୋକାନ ବଜାର ବନ୍ଦ ଯୋଗୁଁ ରାସ୍ତା ଘାଟ ବି ବେଶ ସଫା ସୁତୁରା ହୋଇଛି । ଗଳିକନ୍ଦିରୁ ଆରମ୍ଭ କରି ବଡଦାଣ୍ଡ ସବୁଠି ଏବେ ସ୍ୱଛତା । ସେପଟେ ଜୁନ୍ ୨୩ରେ କାଳିଆ ସାଆନ୍ତଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଦିନ ଗଣିଲେ ଆଉ ମାତ୍ର ୬୫ଦିନ । କୋରୋନାକୁ ନେଇ ଚାଲିଛି ବେଶ୍ କଟକଣା । କିନ୍ତୁ ଏଇ ଭିତରେ ରଥଯାତ୍ରା ପ୍ରସ୍ତୁତି ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।
ପୁରୀ ସହରରେ ସ୍ୱଚ୍ଛ ଓ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି । ତଥାପି ସହରରେ ରହିଥିବା ସମସ୍ତ ନାଳ ନର୍ଦ୍ଦମାକୁ ପରିଷ୍କାର କରାଯିବା ସହ ଗଙ୍ଗା ଓ ଯମୁନା ମୁଖ୍ୟ ନଳାକୁ ଆବର୍ଜନା ମୁକ୍ତ କରାଯାଉଛି । ସେପଟେ ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ପର୍ଯ୍ୟନ୍ତ ନଳା ସଫେଇ କାର୍ଯ୍ୟରେ ଲାଗିପଡିଛନ୍ତି ଶହଶହ ପରିମଳ କର୍ମଚାରୀ । ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳିତ ଓ ସୁସଙ୍ଗଠିତ କରିବା ପାଇଁ ଜାରି ରହିଛି ସମସ୍ତଙ୍କର ପ୍ରୟାସ।
ଶ୍ରୀକ୍ଷେତ୍ରରେ ନାଳ ନର୍ଦ୍ଦମା ସମସ୍ୟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ବର୍ଷା ହେଲେ ନାଳ ନର୍ଦ୍ଦମାର ଜଳ ବଡ଼ଦାଣ୍ଡରେ ଜଳାର୍ଣ୍ଣବ ହୋଇପଡ଼େ । ରଥଯାତ୍ରା ପାଇଁ ନାଳ ସଫେଇ କାମ ଆରମ୍ଭ ହୋଇଥିବା ବେଳେ ଲକଡାଉନ୍ ହଟିବା ଦିନ ଯାଏଁ ଟାର୍ଗେଟ ଭିତରେ ସଫା ଶେଷ ହେବ ବୋଲି କହଛି ପୌରସଂସ୍ଥା । ଆଉ ଲକଡାଉନ ବି ସହର ପାଇଁ ଆଶିର୍ବାଦ ସାବ୍ୟସ୍ତ ହୋଇଛି । ଦୈନନ୍ଦିନ ଅଳିଆ ଆବର୍ଜନା ଯାହା ବାହାରୁଥିଲା, ୬୦ ଭାଗ ଆବର୍ଜନା କମିଯାଇଛି । ପୁଣି ବଡଦାଣ୍ଡରେ ସ୍ୱଚ୍ଛତା କର୍ମୀମାନେ ମଧ୍ୟ ଅଳିଆ କମ ଆସୁଥିବା କହିଛନ୍ତି । ବଡଦାଣ୍ଡର ଉଭୟ ପାର୍ଶ୍ଵରେ ରହିଥିବା ନଳାକୁ ଆବର୍ଜନା ମୁକ୍ତ କରାଯାଉଛି । ଜେସିପି ମେସିନରେ ସମ୍ଭବ ନ ହେବାରୁ ହାତରେ କୋଦାଳ ଧରି ନଳାରୁ ବାହାର କରାଯାଉଛି ଆବର୍ଜନା । ଆଉ ଟ୍ରଲି ସାହାଯ୍ୟରେ ଆବର୍ଜନାକୁ ସିପ୍ଟିଂ କରାଯାଉଛି ।
ବିଭିନ୍ନ ସମୟରେ ମହାପ୍ରଭୁଙ୍କ ରଥ ମଧ୍ୟ ନଳାପାଣିରେ ଗଡିଥିବା ନଜିର ରହିଥିବାରୁ ଏଥର ନଳା ସଫେଇ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାରୁ ନାଳ ନର୍ଦ୍ଧମା ଠାରୁ ଆରମ୍ଭ କରି ବଡ଼ଦାଣ୍ଡ ଓ ଗଳି କନ୍ଦି ସବୁ ଏବେ ପରିଷ୍କାର ରହିଛି । ପୁଣି ଅତି ନିର୍ମଳ ଓ ସ୍ୱଚ୍ଛ ପରିମଳ ରହିଥିବାରୁ ସହରରେ ଏକ ସ୍ୱାସ୍ଥ୍ୟକର ପରିବେଶ ଅନୁଭବ ହେଉଛି ।
ସେହିପରି ପୌରସଂସ୍ଥାର ସମସ୍ତ ୩୨ଟି ୱାର୍ଡରେ ଏକକାଳୀନ ଚାଲିଛି ନଳା ସଫେଇ । ଶହଶହ ପରିମଳ କର୍ମଚାରୀ କୋଡି କୋଦାଳ ଧରି ଲାଗିପଡିଛନ୍ତି । ବଡ଼ ବଡ଼ ନଳାକୁ ଜେସିପି ମେସିନ ସାହାଯ୍ୟରେ ସଫେଇ କରାଯାଉଛି । ଆବଶ୍ୟକ ପଡିଲେ ମରାମତି ମଧ୍ୟ କରାଯାଉଛି । ଗୋଟିଏ ପଟେ ମହାପ୍ରଭୁଙ୍କ ନୀତିକାନ୍ତି, ସେବାପୂଜା ଓ ବିଧି ପରମ୍ପରା ଚାଲିଥିବା ବେଳେ ଘୋଷଯାତ୍ରା ପାଇଁ ପ୍ରଶାସନିକ କାର୍ଯ୍ୟ ମଧ୍ୟ ଅନୁରୂପ ଢଙ୍ଗରେ ଆଗେଇ ଚାଲିଛି । ସମସ୍ତଙ୍କର ଲକ୍ଷ୍ୟ ୬୫ଦିନ ମଧ୍ୟରେ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ।
ତେବେ ଆସନ୍ତା ୨୬ରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ରଥନିର୍ମାଣର ଶୁଭାରମ୍ଭ ଆଉ ତାପରେ ସ୍ନାନଯାତ୍ରା ଓ ପ୍ରସିଦ୍ଧ ଘୋଷଯାତ୍ରା । ପ୍ରଶାସନ ପାଇଁ ରହିଛି ସବୁଠୁ ବଡ ଚ୍ୟାଲେଞ୍ଜ ।