ଡିସେମ୍ବର ତୃତୀୟ ସପ୍ତାହରେ ଖୋଲିବ ଶ୍ରୀମନ୍ଦିର!
Advertisement

ଡିସେମ୍ବର ତୃତୀୟ ସପ୍ତାହରେ ଖୋଲିବ ଶ୍ରୀମନ୍ଦିର!

ଆସନ୍ତା ଡିସେମ୍ବର ତୃତୀୟ ସପ୍ତାହରୁ ଶ୍ରୀମନ୍ଦିର ଖୋଲିବା ନେଇ ଜାରି ରହିଛି ବିଚାରବିମର୍ଶ।

ଡିସେମ୍ବର ତୃତୀୟ ସପ୍ତାହରେ ଖୋଲିବ ଶ୍ରୀମନ୍ଦିର!

ସଞ୍ଜୟ ମହାପାତ୍ର, ପୁରୀ: ସ୍ଥାନୀୟ ନିଳାଦ୍ରୀ ଭକ୍ତ ନିବାସ ଠାରେ ମଙ୍ଗଳବାର ଦିନ ସାଢେ ୧୦ଟା ସମୟରେ ଶ୍ରୀମନ୍ଦିର (Srimandir)ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ଥାୟୀ ଅଧ୍ଯକ୍ଷ ଭାବେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଅଧ୍ଯକ୍ଷତା କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ (Srimandir Chief Adminstrator)କ୍ରୀଷ୍ଣନ କୁମାର, ପୁରୀ ଜିଲ୍ଲାପାଳ (Puri Collector)ବଲୱନ୍ତ ସିଂ, ଏସପି (Puri SP)ଅଖିଳେଶ୍ୱର ସିଂହଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। 

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଅନୁମୋଦନ ଲାଭ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ କିଭଳି ଭକ୍ତ ଦର୍ଶନ କରିପାରିବେ ତାହାର ବିକଳ୍ପ ବ୍ଯବସ୍ଥା ଉପରେ ଆଲୋଚନା ହୋଇଛି। ଏନେଇ ଆଗାମୀ ଶନିବାର ଆଉ ଏକ ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ସେପଟେ ଶ୍ରୀମନ୍ଦିର ଖୋଲିବା ନେଇ ପ୍ରସ୍ତୁତ ହେବାକୁ ୪ ସପ୍ତାହ ଲାଗିବ। ତଥାପି ଡିସେମ୍ବର ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୦-୨୧ ବର୍ଷ ପାଇଁ ଅନୁମୋଦିତ ହୋଇଛି ୧୫୪କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ। ଏହି ବଜେଟ ଶ୍ରୀମନ୍ଦିରର ସମସ୍ତ ଆୟବ୍ଯୟର ହିସାବକୁ ନେଇ ପ୍ରସ୍ତୁତ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ କୋରୋନା କାରଣରୁ ଶ୍ରୀମନ୍ଦିରର ଆୟ ପୂର୍ବ ବର୍ଷ ତୁଳନାରେ ଢେର୍ କମ୍ ରହିଥିବା ବେଳେ ବ୍ଯୟ ଭାର ଆଶାନୁରୁପକ ଭାବେ ବୃଦ୍ଧି ପାଇଛି। ଏହାର ସୁଧାର ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration)ପକ୍ଷରୁ ଅନଲାଇନ ଦାନ ଗ୍ରହଣ ବ୍ଯବସ୍ଥା କରାଯିବ। ଭକ୍ତଙ୍କୁ ଅନଲାଇନ ମାଧ୍ୟମରେ ଦାନ ଦେବା ପାଇଁ ନିବେଦନ କରାଯିବ ବୋଲି ମୁଖ୍ଯ ପ୍ରଶାସକ ସୂଚନା ଦେଇଛନ୍ତି।

ସେପଟେ ନାଗାର୍ଜୁନ ବେଶ (Nagarjuna Vesha)ନେଇ ଆସନ୍ତା ଶନିବାର ଦିନ ବୈଠକ ବସିବା ପରେ ଭକ୍ତଙ୍କ ବିକଳ୍ପ ଦର୍ଶନ ବ୍ଯବସ୍ଥା ଉପରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ଏହି ବେଶ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହେବ। ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନିକ କମିଟି ଏକ ରଣନୀତି ପ୍ରସ୍ତୁତ କରୁଛି। ପ୍ରାୟତଃ ଡିସେମ୍ବର ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବା ପାଇଁ ଲକ୍ଷ୍ଯ ଧାର୍ଯ୍ୟ କରାଯାଇଛି। ଏନେଇ ଗଠନ ହୋଇଛି ସ୍ୱତନ୍ତ୍ର ପ୍ରଶାସନିକ କମିଟି। 

ଏହି କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ପ୍ରମୁଖ ଅଛନ୍ତି। ଏହି କମିଟି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ହେବ। ଶ୍ରୀମନ୍ଦିର ଦ୍ୱାର ରୁପା ଛାଉଣି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ପ୍ରାୟ ୩ଟି ପର୍ଯ୍ଯାୟରେ ଦ୍ୱାରକୁ ରୂପା ଛାଉଣୀ କରାଯିବ। ପ୍ରଥମ ପର୍ଯ୍ଯାୟରେ ଶ୍ରୀମନ୍ଦିର ଭିତର କଳାହାଟ ଦ୍ୱାର, ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗ ମଣ୍ଡପର ଗରୁଡ ସ୍ତମ୍ଭ ପାର୍ଶ୍ୱ ଦ୍ୱାରକୁ ରୂପା ଛାଉଣୀ କରାଯିବ। 

ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ଭିତରେ ପାର୍ଶ୍ୱ ଦେବାଦେବୀ ମନ୍ଦିର ଓ ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିରର ସିଂହଦ୍ଵାର, ବ୍ଯାଘ୍ର ଦ୍ୱାର, ହସ୍ତୀ ଦ୍ୱାର, ଅଶ୍ୱ ଦ୍ୱାରକୁ ରୂପାଛାଉଣୀ କରାଯିବ। ପ୍ରଥମେ ଦ୍ୱାରର ସୃଦୃଢୀକରଣ କରାଯିବ। ପରେ ରୂପା ଛାଉଣୀ କରାଯାଇ ଶ୍ରୀମନ୍ଦିରର ଐତିହ୍ୟ ସଂସ୍କୃତି ଆଧାରରେ ଡିଜାଇନ ପ୍ରସ୍ତୁତ କରାଯିବ। ଏନେଇ ଏକ ୨୦ ଜଣିଆ କମିଟି ଗଠନ କରାଯାଇଛି। ଆସନ୍ତା ୧୯ ତାରିଖରେ ବସିବାକୁ ଥିବା ବୈଠକରେ ଡିଜାଇନ ଚୂଡାନ୍ତ ହେବ।

ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର (Srimandir Heritage Corridor)ପାଇଁ ଅଧିଗ୍ରହଣ ହୋଇଥିବା ସମସ୍ତ ଜମି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଆସିଛି। ଏନେଇ କ୍ଯାବିନେଟରେ ଅନୁମୋଦନ ଲାଭ କରିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଦେଇଛନ୍ତି। ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରାକୁ ନେଇ ଯେଉଁମାନେ ସୋସିଆଲ ମିଡିଆ (Social Media)ମାଧ୍ୟରେ ଭୁଲ ଛବି (Srimandir Wrong Pic)ଅପଲୋଡ କରୁଛନ୍ତି ସେନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରଚାର ପ୍ରସାର ସମିତିକୁ ଅଧିକ କ୍ରିୟାଶୀଳ କରାଯିବା ସହ ସଠିକ ତଥ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।