ରକ୍ଷଣାବେକ୍ଷଣ ଅଭାବରୁ ବିର୍ସା ମୈଦାନ ପାଲଟିଛି ମଦୁଆ ଗଞ୍ଜଡ଼ଙ୍କ ଆଡ୍ଡାସ୍ଥଳୀ
Trending Photos
ରାଉରକେଲା: ଦିନ ଥିଲା ଇସ୍ପାତ ନଗରୀ ରାଉରକେଲାର ପ୍ରମୁଖ ସ୍ଥାନ ଗୁଡ଼ିକ ମଧ୍ୟରେ ଥିଲା ୧୦ ଏକରରୁ ଉର୍ଦ୍ଧ୍ୱ ସ୍ଥାନରେ ରହିଥିବା ବିର୍ସା ମୈଦାନ । ସହରର ମଧ୍ୟ ଭାଗରେ ରହିଥିବା ଏହି ମୈଦାନର ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ରୂପେ ରହିଥିଲା ଏହାର ସ୍ୱତନ୍ତ୍ର ପରିଚୟ । ହେଲେ ଦୀର୍ଘ ବର୍ଷ ହେବ ଏହା ଉପେକ୍ଷିତ ଅବସ୍ଥାରେ ପଡ଼ିରହିଛି । ରକ୍ଷଣାବେକ୍ଷଣ ଅଭାବରୁ ଏହା ପାଲଟିଛି ମଦୁଆ ଗଞ୍ଜଡ଼ଙ୍କ ଆଡ୍ଡାସ୍ଥଳୀ । ରାଉରକେଲାକୁ ସ୍ମାର୍ଟସିଟି ମାନ୍ୟତା ମିଳିବା ପରେ ଏହି ଷ୍ଟାଡିୟମର ନବକଳେବର କରାଯିବା ସହ ୨ଶହ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏଠାରେ ହକି ହଲ୍ ଅଫ୍ ଫେମ୍ , ବହୁତଳ କାର ପାର୍କିଂ ବ୍ୟବସ୍ଥା, ଗ୍ୟାଲେରୀ, ଫ୍ଲଡ଼ ଲାଇଟ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ଯୋଜନା କରାଯାଇଥିଲା । ମାତ୍ର ଯୋଜନା ବାରମ୍ବାର ପରିବର୍ତ୍ତନ ହେଉଥିବା ବେଳେ ଏଯାଏ ଆରମ୍ଭ ହୋଇପାରୁନି କାର୍ଯ୍ୟ ।
ପ୍ରଥମେ ଏହି ମୈଦାନ ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବାବେଳେ, ରାବଣ ପୋଡ଼ିରୁ ଆରମ୍ଭ କରି ଏଠାରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଥିଲା । ୧୯୯୩ ମସିହାରେ ଏହାକୁ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରିଥିଲା ଆର.ଏସ.ପି । ଏପରିକି ସମୟକ୍ରମେ ପଡ଼ିଆର ଉନ୍ନତି ପାଇଁ ଏହାର ବାଉଣ୍ଡେରୀ ଓ ଗ୍ୟାଲେରୀ କରି ଏହାକୁ ବିର୍ସା ମୁଣ୍ଡା ଷ୍ଟାଡିୟମ ରୂପେ ମଧ୍ୟ ରୂପାନ୍ତରିତ କରାଯାଇଥିଲା । ମାତ୍ର ଏସବୁ ସତ୍ତ୍ୱେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ଏହାକୁ ଧ୍ୟାନ ଦେଲେନି ସରକାରୀ ଅଧିକାରୀ, ଯାହା ଫଳରେ ଏହି ପଡ଼ିଆ ପରିସର ଦୁର୍ବୃତ୍ତଙ୍କ ପାଇଁ ଏକ ସୁରକ୍ଷିତ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ଭିତରେ ଏବଂ ବାହାରେ ସୃଷ୍ଟି ହୋଇଛି ଗନ୍ଧମୟ ପରିବେଶ ।