ଚୋର ହାତରେ ଚାବିକାଠି
Advertisement

ଚୋର ହାତରେ ଚାବିକାଠି

 ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ସହିତ ଗଢିଉଠିଥିବା ଏହି ସହରର ଭାରତ ମାନଚିତ୍ରରେ ରହିଛି ଏକ ସ୍ବତନ୍ତ ପରିଚୟ । 

ଚୋର ହାତରେ ଚାବିକାଠି

ସୁଶାନ୍ତ ଦାଶ, ରାଉରକେଲା: ଦିନ ଥିଲା , ଲୋକେ କହୁଥିଲେ " ହେଲା ତ ହେଲା , ନହେଲେ ଚାଲ ରାଉରକେଲା " ଅର୍ଥାତ ଏହି ସହର ଥିଲା ସୁଯୋଗର ସହର। । ଏହି ସହରରେ ରୋଜଗାର ସହିତ ରହିଥିଲା ଅନ୍ୟାନ୍ୟ ସୁବିଧା ସୁଯୋଗ । ଓଡ଼ିଶାର ପ୍ରଥମ ପ୍ଲାନିଂ ସହର ରାଉରକେଲା । ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ସହିତ ଗଢିଉଠିଥିବା ଏହି ସହରର ଭାରତ ମାନଚିତ୍ରରେ ରହିଛି ଏକ ସ୍ବତନ୍ତ ପରିଚୟ । ସୁବିଧା ସୁଯୋଗ ର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ମୁଖ୍ୟ କର୍ଣ୍ଣଧାର ରହିଥିଲା "ରାଉରକେଲା ଇସ୍ପାତ କାରଖାନା"। ମାତ୍ର ସମୟ ସହିତ କାରଖାନାର କ୍ଷତି, ଶ୍ରମିକ ଛଟେଇ ଓ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କାଟ ସମେତ କତ୍ତୃପକ୍ଷଙ୍କ ବେପରୁଆ ନୀତି ସହରକୁ କରିଦେଇଥିଲା ଅନ୍ୟାନ୍ୟ ସହର ମାନଙ୍କ ଠାରୁ ପ୍ରତିଯୋଗିତା ରେ ବହୁ ପଛକୁ। 

୧ ମିଲିୟନ ଟନ ଲୌହ ଉତ୍ପାଦନ ଲକ୍ଷ୍ୟ ରେ, ଜର୍ମାନୀ ସହାୟତାରେ ୧୯୫୪ ମସିହାରେ ଆରମ୍ଭ ହୋଇଥିଲା ଭାରତର ଏହି ପ୍ରଥମ ଇଣ୍ଟିଗ୍ରେଟେଡ଼ ଷ୍ଟିଲ ପ୍ଲାଣ୍ଟ। ୧୯୫୯ ମସିହାରେ ଉତ୍ପାଦନ ର ଲକ୍ଷ୍ୟ ହାସଲ ନେଇ ଏହାର ପ୍ରଥମ ବ୍ଲାଷ୍ଟ ଫରନେସ "ପାର୍ବତୀ" କୁ ଉଦଘାଟନ  କରିଥିଲେ ଡ଼.ରାଜେନ୍ଦ୍ର ପ୍ରସାଦ। ସେବେଠାରୁ ଉନ୍ନତି ଓ ପ୍ରଗତିର ଏକ ନୂତନ ଦିଗନ୍ତ ସୃଷ୍ଟିକରିଥିଲା ଏହି କାରଖାନା । ଏବଂ ଏଥିସହିତ ବିଶ୍ୱ ମାନଚିତ୍ର ରେ ଏକ ସ୍ଥାନ ହାସଲ କରିଥିଲା ରାଉରକେଲା ସହର । 

ପ୍ରଥମେ ହିନ୍ଦୁସ୍ଥାନ ଷ୍ଟିଲ ଲିମିଟେଡ଼ (HSL) ଓ ପରେ ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ ଲିମିଟେଡ଼ (SAIL) ଅଧୀନକୁ ଯାଇଥିବା ଏହି କାରଖାନା ରେ ପ୍ରଥମେ ୧୯୮୮ ମସିହାରେ ୪୫୦୦ କୋଟି ଟଙ୍କା ବ୍ୟୟରେ ପ୍ରଥମ ଆଧୁନିକୀକରଣ ଏବଂ ପରେ ଗତ ୨୦୧୦ ମସିହାରେ ୧୨୦୦କୋଟି ଟଙ୍କା ବ୍ୟୟରେ ଦ୍ଵିତୀୟ ଆଧୁନିକୀକରଣ କାର୍ଯ୍ୟ କରାଯାଇ ଗତ ୨୦୧୫ ଏପ୍ରିଲ ପହିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାରଖାନାକୁ ରାଷ୍ଟ୍ର ଉଦ୍ଦ୍ୟେଶରେ ସମର୍ପଣ କରିଥିଲେ । ହେଲେ ସମୟ ସହିତ ସହରର ନଗଣ୍ୟ ବିକାଶ  ଓ କାରଖାନାର କ୍ଷତି ଧୀରେଧୀରେ ହଜି ଯାଉଛି ସହରର ଗାରିମା । ଯାହାର ଏକ ପ୍ରମୁଖ କାରଣ ପାଲଟିଛି ଇସ୍ପାତ କାରଖାନାରୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି  । 

ଆଗାମୀ ୨୦୨୫ ସୁଦ୍ଧା ଏହି ଲକ୍ଷ କୁ ବାର୍ଷିକ 10.8 ମିଲିୟନ ଟନକୁ ବୃଦ୍ଧି କରାଯିବାକୁ ଯୋଜନା ରହିଥିବା ବେଳେ କାରଖାନାରୁ କୋଟିକୋଟି ଟଙ୍କାର ଚୋରି ଏବଂ କାରଖାନା ର କ୍ଷତି ଏବେ ସାଜିଛି ଲକ୍ଷ୍ୟପଥରେ ପ୍ରମୁଖ ବାଧକ। ତେବେ କାରଖାନା କ୍ଷତି ପଛରେ ଚୋରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରୂପରେ ଏବେ ଜଣାପଡିଛି । ଯାହାର ସ୍ପଷ୍ଟ ପ୍ରମାଣ ମିଳିଛି ଗତ ଡିସେମ୍ବର ୨୫ ତାରିଖରେ ବିନା କାଗଜପତ୍ରରେ କାରଖାନା ମଧ୍ୟରୁ ଟ୍ରକ ଓ ଟ୍ରଲର ଯୋଗେ ୧୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରି ଘଟଣା । ଘଟଣାକୁ ନେଇ ଗୋଟେପଟେ ରାଉରକେଲା ପୋଲିସ ଦୁଇଟି ଗାଡିକୁ ଜବତ କରିବା ସହିତ କାରଖାନା ସୁରକ୍ଷା ରେ ନିୟୋଜିତ ଥିବା ୨ ଜଣ CISF କର୍ମୀ, ଜଣେ କ୍ରେନ ଅପରେଟର ଓ ଦୁଇଜଣ କଣ୍ଟା ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ଏବେବି ଅନେକ ତଥ୍ୟରୁ ପରଦା ଉଠିବାକୁ ବାକି ରହିଛି । କାରଖାନା ସୁରକ୍ଷା ରେ ନିୟୋଜିତ ଥିବା କେନ୍ଦ୍ରୀୟ CISF ଅଧିକାରୀଙ୍କ ସମ୍ପୃକ୍ତି ବିନା କାରଖାନାରୁ ଚୋରି କେବେବି ସମ୍ଭବ ହୋଇନଥିବା ବେଳେ ଏ ନେଇ ବରିଷ୍ଠ ଅଧିକାରୀ ମାନଙ୍କ ନୀରବତା ସୃଷ୍ଟିକରିଛି ଅନେକ କିଛି ପ୍ରଶ୍ନବାଚୀ।