ଯେତିକି ପାଖଉଛି ଉପନିର୍ବାଚନ, ସେତିକି ବଢ଼ୁଛି ରାଜନୈତିକ ପାରଦ!

ବିଜେପୁର ଉପନିର୍ବାଚନ ପାଇଁ ସରଗରମ ହେଲାଣି ପ୍ରଚାର । ବିଜେପୁର ମାହୋଲ ଜମୁଥିଲେ ମଧ୍ୟ ନିର୍ବାଚନୀ ଗଣିତ ହିସାବ ହେଉଛି ରାଜଧାନୀ ଭୁବନେଶ୍ୱରରରେ । ବିଜେପୁରରେ କାହାକୁ କେତେ ଭୋଟ ମିଳିବ, ତାର ଅଙ୍କକଷା ଚାଲିଛି ରାଜଧାନୀରେ । ବିଜେଡି ଏଥର ୩୫ହଜାରରୁ ଅଧିକ ଭୋଟରେ ଜିତିବ ବୋଲି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଦୃଢୋକ୍ତି କରିଛନ୍ତି । 

Dharmendra Pradhan campaigns for BJP candidates.

ବରଗଡ଼: ବିଜେପୁରରେ ଜମୁଛି ପ୍ରଚାର, ବିଜେପି ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପଟେ ରାଜଧାନୀରେ ବଢ଼ିଲା ରାଜନୀତିର ପାରଦ, ୩୫ ହଜାର ଭୋଟରେ ଜିତିବାକୁ ବିଜେଡିର ଦୃଢ଼ୋକ୍ତି । କଂଗ୍ରେସ କହିଲା, ଲାଗିଛି ପୂରା ପ୍ରଶାସନ । ବିଜେପିର ଉତ୍ତର, କଂଗ୍ରେସ ନୁହେଁ ବିଜେଡ଼ି ସହ ହେବ ଲଢେଇ ।

ବିଜେପୁର ଉପନିର୍ବାଚନ ପାଇଁ ସରଗରମ ହେଲାଣି ପ୍ରଚାର । ବିଜେପୁର ମାହୋଲ ଜମୁଥିଲେ ମଧ୍ୟ ନିର୍ବାଚନୀ ଗଣିତ ହିସାବ ହେଉଛି ରାଜଧାନୀ ଭୁବନେଶ୍ୱରରରେ । ବିଜେପୁରରେ କାହାକୁ କେତେ ଭୋଟ ମିଳିବ, ତାର ଅଙ୍କକଷା ଚାଲିଛି ରାଜଧାନୀରେ । ବିଜେଡି ଏଥର ୩୫ହଜାରରୁ ଅଧିକ ଭୋଟରେ ଜିତିବ ବୋଲି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଦୃଢୋକ୍ତି କରିଛନ୍ତି । ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମର ଏଥର ନିଶ୍ଚୟ ଗତ ଥର ଅପେକ୍ଷା ଭୋଟ ବଢ଼ିବ । ଅନ୍ୟପଟେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ବିଜେପୁରରେ ବି କଂଗ୍ରେସ ଭଲ ପ୍ରଦର୍ଶନ କରିବ । ସେଠାରେ ବିଜେଡି ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ସବୁ ଅଧିକାରୀ ଲାଗିପଡ଼ିଛନ୍ତି ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।

ଭୋଟ ପଡ଼ିବ ଅକ୍ଟୋବର ୨୧ରେ, ୨୪ରେ ହେବ ଗଣତି । ୧୯ ତାରିଖରେ ସରିବ ସବୁ ଦଳର ପ୍ରଚାର । ବିଜେପୁରରେ ଏବେ ନିର୍ବାଚନୀ ପ୍ରଚାର ଜମୁଥିବା ବେଳେ ରାଜଧାନୀରେ ଆରମ୍ଭ ହୋଇଛି ବୟାନବାଜି । ନେତାମାନେ ଫଳାଫଳକୁ ନେଇ ଅଙ୍କ କଷିଲେଣି । ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୭ ହଜାରରୁ ଅଧିକ ଭୋଟରେ ଜିତିଥିଲେ । ହେଲେ ବିଜେଡି ନେତାଙ୍କ କହିବା ଅନୁସାରେ ଏଥର ବିଜେଡିର ଭୋଟ କମିପାରେ । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ । ୩୫ହଜାରରୁ ଅଧିକ ଭୋଟରେ ଆମେ ଜିତିବୁ ବୋଲି ପ୍ରମିଳା କହିଛନ୍ତି । ଅନ୍ୟପଟେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଗତଥର ଅପେକ୍ଷା ଏଥର ଆମକୁ ଅଧିକ ଭୋଟ ମିଳିବ । ବିଜେପୁରରେ ମୁଖ୍ୟତଃ ବିଜେଡି-ବିଜେପି ମଧ୍ୟରେ ଲଢ଼େଇ ହେଉଥିବା ବେଳେ ଜଣେ ନୂଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ କଂଗ୍ରେସ ନିଜର ପୂର୍ବ ସ୍ଥିତି ଫେରିପାଇବାକୁ ଉଦ୍ୟମ କରୁଛି । ଲଗାତାର ୩ ଥର ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କ ବିୟୋଗ ପରେ କଂଗ୍ରେସ ଦୁର୍ଗ ଭୁଷୁଡ଼ିପଡ଼ିଛି । ସୁବଳଙ୍କ ପତ୍ନୀ ରୀତା ସାହୁ ବିଜେଡି ବିଧାୟିକା ହେବା ପରେ କଂଗ୍ରେସର ଶେଷ ଆଶା ମଧ୍ୟ ମଉଳି ଯାଇଛି । ୨୦୧୮ ଉପନିର୍ବାଚନରେ ମାତ୍ର ୧୦ହଜାର ଏବଂ ୨୦୧୯ ସାଧାରଣ ନିର୍ବାଚନରେ ୧୪ହଜାରକୁ ଭୋଟ ବଢ଼ିଥିଲେ ମଧ୍ୟ ଲଢ଼େଇ ମଇଦାନରେ ଅନେକ ପଛରେ ପଡ଼ିଥିଲା । 
ଏଥର ଦିଲ୍ଲୀପ ପଣ୍ଡାଙ୍କୁ ନୂଆ ପ୍ରାର୍ଥୀ କରି କଂଗ୍ରେସ ନିଜ ସ୍ଥିତି ଫେରିପାଇବାକୁ ଉଦ୍ୟମ କରୁଛି । ଗତ ଥର ଅପେକ୍ଷା ଅଧିକ ଭୋଟ ଦଳ ପାଇବ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ହେଲେ ବିଜେଡି ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ପ୍ରଚାର କାମରେ ଲାଗିପଡ଼ିଛନ୍ତି ବୋଲି ସୁର ଅଭିଯୋଗ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ବିଜେଡି ପ୍ରଚାର ଦାୟିତ୍ୱରେ ଅଛନ୍ତି ଅନେକ ମନ୍ତ୍ରୀ, ବିଧାୟକ । ପ୍ରଚାରର ଶେଷ ପର୍ଯ୍ୟାୟରେ କଂଗ୍ରେସ କେଉଁ କେନ୍ଦ୍ରୀୟ ନେତା ସାମିଲ ହେଉଛନ୍ତି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।