)
ସମ୍ବଲପୁର: ହାଇଦ୍ରାବାଦ ରେ ଫସିଥିବା ଲାଇଡ଼ା ଅଞ୍ଚଳର ଅସୁସ୍ଥ ହୋଇ ପଡ଼ିଥିବା ଯୁବତୀଙ୍କ ଚିକିତ୍ସା ଏବଂ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ. ଏପରିକି ସ୍ଥାନୀୟ ପ୍ରତିନିଧି ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ହାଇଦ୍ରାବାଦର ଏକ ସପିଂ ମଲରେ କାମ କରୁଥିବା ସମ୍ବଲପୁର ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଲଇଡ଼ା ବଇଜାପାଲି ଅଞ୍ଚଳର ଝିଅ ସୂର୍ଯ୍ୟ ମାଝି ଦୁରାରୋଗ୍ୟରେ ପୀଡିତ. ସେଠାରେ ତାଙ୍କର ଚିକିତ୍ସା ତଥା ଉଦ୍ଧାର ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ। ଏବାବଦରେ ରେଙ୍ଗାଲି ବିଧାୟକ ନାଉରି ନାୟକ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଙ୍କୁ ଚିଠି ଲେଖିଥିବା କହିଛନ୍ତି।
ସୂର୍ଯ୍ୟ ଏବେ ହାଇଦ୍ରାବାଦରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ସମ୍ବଲପୁର ରେଙ୍ଗାଲି ବ୍ଲକ ଲଇଡ଼ା ଗ୍ରାମପଞ୍ଚାୟତର ବଇଜାପାଲି ଗାଁର ସୂର୍ଯ୍ୟ ମାଝୀ ଦୀର୍ଘ ୬ ମାସ ହେଲା ହାଇଦ୍ରାବାଦର ଏକ ସପିଂ ମଲରେ କାର୍ଯ୍ୟ କରିଆସୁଥିବା ବେଳେ ବିଗତ କିଛି ଦିନ ହେଲା ଗୁରୁତର ଭାବେ ଅସୁସ୍ଥ ହୋଇଯାଇଛନ୍ତି।ତେବେ ଲକ ଡାଉନ ଯୋଗୁ ସେ ଘରକୁ ଫେରିବାରେ ଅସମର୍ଥ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ତାଙ୍କୁ କିଛି ଦିନ ତଳେ ଉସମାନିଅଁ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।ସେଠାରେ ତାଙ୍କ ମୁଣ୍ଡରେ ଟ୍ୟୁମର ହୋଇ ପାଣି ଜମିଯାଇଥିବାର ଜଣାପଡିଥିଲା। ତେବେ ଏହି ରୋଗର ଚିକିତ୍ସା ପାଇଁ ବହୁତ ଖର୍ଚ୍ଚ ଆବଶ୍ୟକ ପଡ଼ୁଥିବାରୁ ତାଙ୍କୁ ଫେରାଇ ଅଣାଯାଇଥିଲା। ବର୍ତ୍ତମାନ ସେ କୁକଟପଲ୍ଲୀ ପୋଲିସ ଷ୍ଟେସନ ଅଞ୍ଚଳରେ ତାଙ୍କ ଭଡା ଘରେ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୂଚନା ମିଳିଛି।
ସେଥିପାଇଁ ତାଙ୍କର ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ସରକାରଙ୍କ ଠାରୁ ସହାୟତା ଲୋଡ଼ିଛନ୍ତି। ସେ ମଞ୍ଜିରା ସପିଂ ମଲରେ ଚାକିରି କରୁଥିଲେ ବୋଲି ସୂଚନା ମିଳିଛି। ତାଙ୍କର ଚିକିତ୍ସା ପାଇଁ ସ୍ଥାନୀୟ ସରକାର ସହାୟତା କରନ୍ତୁ ବୋଲି ସେଠାରେ ତାଙ୍କର ଯତ୍ନ ନେଉଥିବା ଅନୁଗୋଳ ଜିଲ୍ଲାର ଗୋବିନ୍ଦ ନାଏକ ନାମକ ଜଣେ ଯୁବକ ଅନୁରୋଧ କରିଛନ୍ତି। ଏପଟେ ଯୁବତୀଙ୍କ ଗାଁର ସ୍ଥାନୀୟ ସରପଞ୍ଚ ଯୁଗଳ କିଶୋର ସାହୁ ମଧ୍ୟ ଅସୁସ୍ଥ ଯୁବତୀଙ୍କ ଚିକିତ୍ସା କରାଯାଉ ବୋଲି ଅନୁରୋଧ କରିଛନ୍ତି।
ହାଇଦ୍ରାବାଦରେ ରୋଗ ଶଯ୍ୟାରେ ପଡିଥିବା ଯୁବତୀଙ୍କ ଚିକିତ୍ସା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ରେଙ୍ଗାଲି ବିଧାୟକ ନାଉରି ନାୟକ। ଗତକାଲି ସେ ଯୁବତୀଙ୍କ ଘରକୁ ବାଇଜାପାଲି ଯାଇଥିବା ବେଳେ କିଛି ଆର୍ଥିକ ସହାୟତା ପ୍ରଦାନ ମଧ୍ୟ କରିଥିଲେ। ରାଜ୍ୟ ସରକାର ମଧ୍ୟ ଏଦିଗରେ ସାହାଯ୍ୟ କରିବା ସହ ତାଙ୍କର ଚିକିତ୍ସା ତଥା କେମିତି ଘରକୁ ଫେରି ପାରିବେ ସେ ଦିଗରେ ଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି।