close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସୁନା ସ୍ମଗଲିଂରେ ବିଦେଶ ଲିଙ୍କ ! ଡି-କମ୍ପାନୀ କରୁଛି କି ଚୋରା ଚାଲାଣ !

ରାଉରକେଲାରୁ ଜବତ ସୁନାର ବିଦେଶ ଲିଙ୍କ୍ ଥିବାନେଇ ଆରମ୍ଭ ହେଲା ଖୋଳତାଡ଼, ଅଟକ ୨ ଜଣଙ୍କୁ ଗିରଫ କଲା DRI(ଡିରେକ୍ଟୋରେଟ୍ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ) । ଅନ୍ୟପଟେ ସୁନା ଦୁବାଇରୁ ଆସୁଥିବା ନେଇ ଆରମ୍ଭ ହୋଇଯାଇଛି ତନାଘନା । ଅସ୍ତ୍ର ଓ ନିଶାଦ୍ରବ୍ୟ କାରବାର ପାଇଁ ପୁରୁଣା ରୁଟରେ ଚୋରା ଚାଲାଣ କରାଉଛି କି ଦାଉଦ ଇବ୍ରାହିମ୍?

ସୁନା ସ୍ମଗଲିଂରେ ବିଦେଶ ଲିଙ୍କ ! ଡି-କମ୍ପାନୀ କରୁଛି କି ଚୋରା ଚାଲାଣ !
Gold smuggling from outside of India.

ରାଉରକେଲା: ରାଉରକେଲାରୁ ଜବତ ସୁନାର ବିଦେଶ ଲିଙ୍କ୍ ଥିବାନେଇ ଆରମ୍ଭ ହେଲା ଖୋଳତାଡ଼, ଅଟକ ୨ ଜଣଙ୍କୁ ଗିରଫ କଲା DRI(ଡିରେକ୍ଟୋରେଟ୍ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ) । ଅନ୍ୟପଟେ ସୁନା ଦୁବାଇରୁ ଆସୁଥିବା ନେଇ ଆରମ୍ଭ ହୋଇଯାଇଛି ତନାଘନା । ଅସ୍ତ୍ର ଓ ନିଶାଦ୍ରବ୍ୟ କାରବାର ପାଇଁ ପୁରୁଣା ରୁଟରେ ଚୋରା ଚାଲାଣ କରାଉଛି କି ଦାଉଦ ଇବ୍ରାହିମ୍? ରାଉରକେଲା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୫ କୋଟି ଟଙ୍କା ସୁନା ଧରାପଡ଼ିବା ପରେ ସୁନା ନେଇ ଆସୁଥିବା ଦୁଇ ଯୁବକଙ୍କୁ ଗିରଫ କରିଛି ଗୁଇନ୍ଦା ରାଜସ୍ୱ ନିର୍ଦ୍ଦେଶାଳୟ । ଗିରଫ ଦୁଇ ଜଣ ହେଉଛନ୍ତି ମହିଶୁରର ଆର ଏନ୍ ରାହୁଳ ଓ ମୁମ୍ବାଇର ଧନରାଜ ମହାଦେବ ଯାଦବ । ସେମାନଙ୍କୁ ଭୁବନେଶ୍ୱର କୋର୍ଟ ଚାଲାଣ କରାଯିବ । ଏମାନଙ୍କ ଗିରଫଦାରୀ ପରେ ସୁନା ସ୍ମଗଲିଂରେ ଅନ୍ତର୍ଜାତିକ ରାକେଟର ସମ୍ପୃକ୍ତି ନେଇ ତଦନ୍ତ ଆରମ୍ଭ କରିଛି ଡିଆରଆଇ । ଓଡ଼ିଶା ଦେଇ ସେମାନଙ୍କ ଯିବା ଆସିବା ପରେ ଗୁଇନ୍ଦା ଆଦାନ ପ୍ରଦାନକୁ ଆହୁରି ଜୋରଦାର କରାଯିବା ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ ।

କେଉଁଠୁ ଆସିଲା ଏତେ ପରିମାଣରେ ସୁନା ? କିଏ ରହିଛି ଏହାର ମାଲିକ ? ସୁନା ଅଣ୍ଟିରେ ନେଇ ଆସିଥିବା ଦୁଇ ବ୍ୟକ୍ତି ଜଣକ କିଏ ? ଏମାନେ କ'ଣ କେବଳ ମାତ୍ର ଏଜେଣ୍ଟ ? ନା ଏହା ପଛରେ ରହିଛି କୌଣସି ଆନ୍ତର୍ଜାତିକ ରାକେଟ ? ଏଭଳି ଅନେକ ପ୍ରଶ୍ନ ରହିଛି ଗୁଇନ୍ଦା ରାଜସ୍ୱ ନିର୍ଦ୍ଦେଶାଳୟର ତଦନ୍ତକାରୀ ଅଧିକାରୀଙ୍କ ସାମନାରେ । ଦୀର୍ଘ ୨ ଦିନ ଧରି ଜେରା ପରେ ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ଡିଆରଆଇ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି । ଘଟଣାରେ ଅଟକ ଥିବା ଦୁଇ ଜଣଙ୍କୁ ଜେରା କରିବା ପରେ ବିଦେଶରୁ ମୁମ୍ବାଇକୁ କିଭଳି ସୁନା ସ୍ମଗଲିଂ ହେଉଛି ତାହାର ଖୁଲାସା କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଗୁରୁବାର ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୩ କେଜି ଓଜନର ସୁନା ବିସ୍କୁଟ ଜବତ ଘଟଣାର ଖୋଳତାଡ଼ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଜବତ ସୁନା ବିଭିନ୍ନ ଦେଶରୁ ଜଳପଥ ଓ ବିମାନରେ ବାଂଲାଦେଶ ଦେଇ କୋଲକତାକୁ ଆସିବା ପରେ ସେଠାରୁ ଟ୍ରେନ୍ ଯୋଗେ ମୁମ୍ବାଇକୁ ଚାଲାଣ ହୋଇଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ବିଶେଷ କରି ୩ଟି ଦିଗକୁ ନେଇ ଡିଆରଆଉ ତଦନ୍ତକାରୀ ଅଧିକାରୀ ବର୍ତ୍ତମାନ ତଦନ୍ତ ଆଗକୁ ବଢ଼ାଇଥିବା ଜଣାପଡ଼ିଛି । ପ୍ରଥମ ହେଉଛି ଏହା ପଛରେ ଅଣ୍ଡର ୱର୍ଲ୍ଡ ଡନ୍ ଦାଉଦର ଥାଇପାରେ ଲିଙ୍କ । ଦୁବାଇରୁ କୌଣସି ପ୍ରକାରେ ସୁନା ଭାରତକୁ ପ୍ରବେଶ କରାଇ ପୁଣି ମହାରାଷ୍ଟ୍ର ପଠାଇବାକୁ ଥାଇପାରେ ଯୋଜନା । ଦ୍ୱିତୀୟ ହେଉଛି ୟୁଏଇ, ଦୁବାଇ, ଚୀନ, ବାଂଲାଦେଶ ଓ ମ୍ୟାଁମାରରୁ ରାକେଟର ସଦସ୍ୟମାନେ ଭାରତ ଭିତରେ ପ୍ରବେଶ କରାଇବାକୁ ଚେଷ୍ଟା କରୁଛନ୍ତି । ତୃତୀୟ ହେଉଛି ଆଗକୁ ଧନତେରସ । ଏହି ଦିନ ସୁନା କିଣିଲେ ଶୁଭ ହୁଏ ବୋଲି ଅନେକ ଲୋକ ବିଶ୍ୱାସ କରିଥାନ୍ତି । ଏଥିପାଇଁ ବ୍ୟବସାୟୀମାନେ ବେଆଇନ ସୁନା ଆଣି ଠୁଳ କରିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ପୂର୍ବରୁ ଅନେକଥର ବ୍ୟାଙ୍କକରୁ ସୁନା ଭୁବନେଶ୍ୱର ଆସୁଥିବା ବେଳେ ଧରାପଡ଼ିବା ନଜର ରହିଛି । ହେଲେ ଏତେ ସଂଖ୍ୟାରେ ଅଣ୍ଟାରେ ଭିଡ଼ି ସୁନା ଚାଲାଣ ନିଶ୍ଚିତ ରୁପେ ଗୁଇନ୍ଦା ବିଭାଗମାନଙ୍କୁ ଆହୁରି ସତର୍କ ରହିବାକୁ ଆଲାରାମ ଦେଇ ଦେଇଛି ।