ପ୍ରଚାରରେ କମ୍ପୁଛି ବିଜେପୁର, ମୈଦାନରେ ଚାଲିଛି ବିଗ୍ ଫାଇଟ

ଆସନ୍ତାକାଲି ସରିବ ବିଜେପୁର ଉପନିର୍ବାଚନ ପ୍ରଚାର

ପ୍ରଚାରରେ କମ୍ପୁଛି ବିଜେପୁର, ମୈଦାନରେ ଚାଲିଛି ବିଗ୍ ଫାଇଟ
ପ୍ରଚାରରେ କମ୍ପୁଛି ବିଜେପୁର, ମୈଦାନରେ ଚାଲିଛି ବିଗ୍ ଫାଇଟ

ଯଯାତି ମହନ୍ତି, ଭୁବନେଶ୍ୱର: ସାରା ଓଡ଼ିଶାର ଫୋକସ୍ ଏବେ ବିଜେପୁର ଉପନିର୍ବାଚନ ଉପରେ । ପ୍ରଚାର ସରିବାକୁ ଆଉ ୨୪ ଘଣ୍ଟାରୁ କମ୍ ସମୟ ଥିବାରୁ ସରଗରମ ହୋଇଛି ବିଜେପୁର ରାଜନୀତି । ସବୁ ଦଳର ନେତା ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଓହ୍ଲାଇଥିବା ବେଳେ ବିଜେଡ଼ି ଏଥିରେ ଆଗରେ ରହିଛି । ବିଜେଡ଼ିର ଅନେକ ନେତା ବିଜେପୁରରେ କ୍ୟାମ୍ପ ପକାଇଛନ୍ତି । ବିଜେପୁର ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ବିଜେଡ଼ି ନେତାଙ୍କ ଭାଗ୍ୟ ବି ଯୋଡ଼ି ହୋଇଛି ବିଜେପୁର ସହ । ମନ୍ତ୍ରୀଙ୍କ ଠାରୁ ବିଧାୟକ ପର୍ଯ୍ୟନ୍ତ, ଏପରିକି ନିକଟ ଅତୀତରେ ପଦପଦବୀରେ ଥଇଥାନ ହୋଇଥିବା କିଛି ନେତାଙ୍କ ଦକ୍ଷତାର ପରୀକ୍ଷା ମଧ୍ୟ ହେଉଛି ବିଜେପୁରରେ । ଦାୟିତ୍ୱ ଦେଇଥିବା ନିଜ ନିଜ ଏରିଆର ଫଳାଫଳ ଉପରେ ନିର୍ଭର କରୁଛି ବିଜେଡ଼ି ନେତାଙ୍କ ଭବିଷ୍ୟତ । କିଏ କେତେ ଦଳ ପାଇଁ ଅଧିକ ଭୋଟ ଆଣିପାରୁଛି, ଆଉ କିଏ ଫେଲ୍ ମାରୁଛି, ସେସବୁ ଉପରେ ବି ନଜର ରହିଛି  ।

ଦେଢବର୍ଷରେ ତୃତୀୟ ଥର ପାଇଁ ନିର୍ବାଚନର ସାମ୍ନା କରୁଛନ୍ତି ବିଜେପୁର ବାସୀ । ଭୋଟରଙ୍କ ମନରେ ଉତ୍ସାହ କମ୍ ଥିବା ବେଳେ ଲଢେଇ ବି ଏକପାଖିଆ ହେଉଛି । ବିଜେଡ଼ି-ବିଜେପି ମଧ୍ୟରେ ସେଭଳି ଟକ୍କର ବି ଦେଖିବାକୁ ମିଳୁନାହିଁ । ହେଲେ ଶାସକ ବିଜେଡ଼ି ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି । ଡ଼ଜନେରୁ ଅଧିକ ଉପକୂଳିଆ ନେତା ଡ଼େରା ପକାଇଛନ୍ତି ବିଜେପୁରେରେ । ବ୍ଲକ, ଗାଁ, ୱାର୍ଡ଼ ଦାୟିତ୍ୱ ସମ୍ଭାଳିଛନ୍ତି । ପଶ୍ଚିମ ଓଡ଼ିଶାର ନେତା ମଧ୍ୟ ସେଠାରେ କିଛି କମ୍ ନାହାନ୍ତି । ଏସବୁ ନେତାଙ୍କ ସାଙ୍ଗଠିନକ ଦକ୍ଷତା ଓ ଏହାକୁ ଭୋଟରେ ପରିଣତ କରିବାର ଦମ୍ ବି ପରୀକ୍ଷା ହେଉଛି । ଏସବୁ ନେତାଙ୍କ ଭବିଷ୍ୟତ ଯୋଜନା ଓ ଦାୟିତ୍ୱ ମିଳିଥିବା ଅଞ୍ଚଳରେ ଦଳର ଭୋଟ ବୃଦ୍ଧି ଉପରେ ଏମାନଙ୍କ ଭାଗ୍ୟ ବି ନିର୍ଭର କରୁଛି । ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଥିବା ବରିଷ୍ଠ ବିଧାୟକ ଦେବୀ ମିଶ୍ର ହୁଅନ୍ତୁ କି ଅତନୁ ସବ୍ୟସାଚୀଙ୍କ ଭଳି ଅନେକ ନେତାଙ୍କ ଦକ୍ଷତାର ବି ପରୀକ୍ଷା ହେଉଛି ।
ସେହିପରି ନିକଟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ୱ ମିଳିଥିବା ସୁବାସ ଚୌହ୍ୱାନ, ଗତ ନିର୍ବାଚନରେ ବିଜେପି ଛାଡ଼ି ବିଜେଡ଼ିକୁ ଆସି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭ୍ୟ ହୋଇଥିବା ନାରାୟଣ ସାହୁ ହୁଅନ୍ତୁ କି ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ଭାଳିଥିବା ଗୌରହରି ମିଶ୍ର ହୁଅନ୍ତୁ, ପୁଣି ଉପମୁଖ୍ୟ ସଚେତକ ପଦ ପାଇଥିବା ରୋହିତ ପୂଜାରୀ ହୁଅନ୍ତୁ କି ଆପିକଲ ଅଧ୍ୟକ୍ଷ ପ୍ରଭାଦିତ୍ୟ ମିଶ୍ର ହୁଅନ୍ତୁ, ଏହି ସବୁନେତାଙ୍କର ଭାଗ୍ୟ ବି ନିର୍ଭର କରୁଛି ବିଜେପୁର ଫଳାଫଳ ଉପରେ । ସେହିପରି ପୂର୍ବତନ ବରଗଡ଼ ସାଂସଦ ପ୍ରଭାସ ସିଂହ ଗତ ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ ହେବା ପରେ ବିଜେପୁର ଟିକେଟ ପାଇଁ ମଧ୍ୟ ଆଶାୟୀ ଥିଲେ । ତାଙ୍କୁ ବି କେଉଁଠି ଥଇଥାନ କରିନାହାନ୍ତି ସରକାର । ଗତ ନିର୍ବାଚନରେ ତାଙ୍କ ପଂଚାୟତ ଭଟିଗାଁରୁ ଦଳକୁ ଆଶାନୁରୂପ ସଫଳତା ମିଳିନଥିବାରୁ ସମାଲୋଚନାର ଶିକାର ହୋଇଥିଲେ ସେ । ଏଥର ସେ କେତେ କମାଲ୍ କରୁଛନ୍ତି, ତାହା ଉପରେ ବି ନଜର ରହିଛି । ସବୁ ନେତା ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେଇଛନ୍ତି, ତାକୁ ଭଲ ରକମର ନିଭାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ।
ଥଇଥାନ ଆଶାରେ ଥିବା ସ୍ଥାନୀୟ ବ୍ଲକ, ଏନ୍ଏସି ଅଧ୍ୟକ୍ଷଙ୍କ ଭବିଷ୍ୟତ ବାଜିରେ ଲାଗିଥିବା ବେଳେ ପଶ୍ଚିମ ଓଡ଼ିଶାର ତୁଙ୍ଗ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂହ, ନିରଞ୍ଜନ ପୂଜାରୀ, ନବ ଦାସ, ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଭଳି ନେତାଙ୍କ ପାଇଁ ମଧ୍ୟ ବିଜେପୁର ଲଢେଇ ସମ୍ମାନର ପ୍ରଶ୍ନ ହୋଇଛି ।