close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ନ୍ୟାୟ ମାଗୁଛି ମହାନଦୀ

ପୂର୍ବରୁ ଯେଉଁ ଛତିଶଗଡ଼ ଓଡ଼ିଶା ଭାଗର ଜଳ ଦେବାରେ ବାଧା ସୃଷ୍ଟି କରିବ ନାହିଁ କହୁଥିଲା, ସେ ଏବେ ଓଡ଼ିଶା ଉପରେ ଦୋଷ ଲଦିଛି । ଛତିଶଗଡ଼ ଓଡ଼ିଶା ପ୍ରତି ନୁହେଁ, ବରଂ ଓଡ଼ିଶା ଛତିଶଗଡ଼ ପ୍ରତି ଅବିଚାର କରିଥିବା ମତ ରଖିଛନ୍ତି ବଘେଲ ସରକାରରେ ଜଳସମ୍ପଦ ମନ୍ତ୍ରୀ ଥିବା ରବିନ୍ଦ୍ର ଚୌବେ ।

ନ୍ୟାୟ ମାଗୁଛି ମହାନଦୀ
ମୋତେ କେବେ ମିଳିବ ନ୍ୟାୟ?

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ମହାନଦୀ ଜଳବିବାଦ ପ୍ରସଙ୍ଗ । ଏଥର ଛତିଶଗଡ଼ କିନ୍ତୁ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି । ପୂର୍ବରୁ ଯେଉଁ ଛତିଶଗଡ଼ ଓଡ଼ିଶା ଭାଗର ଜଳ ଦେବାରେ ବାଧା ସୃଷ୍ଟି କରିବ ନାହିଁ କହୁଥିଲା, ସେ ଏବେ ଓଡ଼ିଶା ଉପରେ ଦୋଷ ଲଦିଛି । ଛତିଶଗଡ଼ ଓଡ଼ିଶା ପ୍ରତି ନୁହେଁ, ବରଂ ଓଡ଼ିଶା ଛତିଶଗଡ଼ ପ୍ରତି ଅବିଚାର କରିଥିବା ମତ ରଖିଛନ୍ତି ବଘେଲ ସରକାରରେ ଜଳସମ୍ପଦ ମନ୍ତ୍ରୀ ଥିବା ରବିନ୍ଦ୍ର ଚୌବେ । ଆଉ ଏହାକୁ ନେଇ ଓଡ଼ିଶାରେ ତୀବ୍ର ହୋଇଛି ରାଜନୀତି, ପୂର୍ବରୁ ଛତିଶଗଡ଼ରେ ରମଣ ସିଂହ ସରକାର ଥିବାବେଳେ ମହାନଦୀ ପ୍ରସଙ୍ଗକୁ ନେଇ କଂଗ୍ରେସର ସ୍ୱର ଯେଉଁଭଳି ଶାଣିତ ଶୁଭୁଥିଲା, ଏବେ ଭୁପେଶ ବଘେଲଙ୍କ ସରକାରରେ ତାହା ଶୁଭୁନାହିଁ । ଓଲଟି ଦଳ କହିଛି ମାମଲା ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବାରୁ ଚୂଡ଼ାନ୍ତ ରାୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଆବଶ୍ୟକ । 

ମହାନଦୀ ପ୍ରସଙ୍ଗରେ ରଙ୍ଗ ବଦଳାଇଛି ଛତିଶଗଡ଼, ନିଜ ନ୍ୟାଯ୍ୟ ଦାବି ପାଇଁ ଓଡ଼ିଶା ଲଢ଼େଇ ଜାରି ରଖିଥିବା ବେଳେ ଛତିଶଗଡ଼ ଓଲଟା ଓଡ଼ିଶା ଉପରେ ଦୋଷ ଲଦିଛି । ଛତିଶଗଡ଼ ଓଡ଼ିଶା ପ୍ରତି ଅବିଚାର କରୁନାହିଁ, ଓଲଟା ଓଡ଼ିଶା ଛତିଶଗଡ଼ ପ୍ରତି ଅନ୍ୟାୟ କରିଛି ବୋଲି କହିଛନ୍ତି ଛତିଶଗଡ଼ର ଜଳସମ୍ପଦ ମନ୍ତ୍ରୀ ରବିନ୍ଦ୍ର ଚୌବେ । ଅତୀତରେ ମହାନଦୀରେ ଓଡ଼ିଶା କରିଥିବା ହୀରାକୁଦ ଡ୍ୟାମ ଯୋଗୁ ଛତିଶଗଡ଼ର ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ଅଭଯୋଗ କରିଛି ଛତିଶଗଡ଼ । ଛତିଶଗଡ଼ ନିଜ ଭାଗର ଜଳକୁ ସଞ୍ଚୟ କରି ତାକୁ ବ୍ୟବହାର କରିବା ଅଧିକାର ରହିଛି ବୋଲି ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ରବିନ୍ଦ୍ର ଚୌବେ କହିଛନ୍ତି । ସେପଟେ ଏହାକୁ ନେଇ ଓଡ଼ିଶାରେ ତୀବ୍ର ହୋଇଛି ରାଜନୀତି, ଏହି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଶାସକ ବିଜେଡି ଉପରେ ଦୋଷ ଲଦିଛି । 

ସର୍ବଦଳୀୟ ବୈଠକ ଦ୍ୱାରା  ଆଲୋଚନା କରିବା ସହ ସମାଧାନର ପନ୍ଥା ବାହାର ନ କରିବାରୁ ଏଭଳି ସ୍ଥିତି ସୃଷ୍ଟି ହେଲା ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ମହାନଦୀ ସମସ୍ୟାର ସମାଧାନ ନେଇ ଆଲୋଚନା କରିବାକୁ କହୁଥିବା କଂଗ୍ରେସ ମଧ୍ୟ ଏଥର ନରମ ଆଭିମୁଖ୍ୟ ପୋଷଣ କରିଛି । ପ୍ରସଙ୍ଗ ଟ୍ରିବ୍ୟୁନାଲରେ ବିଚାରାଧୀନ  ଥିବାରୁ  ଅପେକ୍ଷା କରିବା ଆବଶ୍ୟକ ବୋଲି କହୁଥିବା କଂଗ୍ରେସର ଆଭିମୁଖ୍ୟକୁ ନେଇ ବି ଉଠିଛି ପ୍ରଶ୍ନ । ତେବେ ବର୍ତ୍ତମାନ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ କଂଗ୍ରେସ କାହିଁକି ବିଜେଡି ଶାସନାଧୀନ ରାଜ୍ୟ ସରକାରକୁ ସମାଲୋଚନା କରୁଛି ସେକଥା ବୁଝିବାକୁ କାହାରି ଅଛପା ନୁହେଁ । ଏଣ୍ଡୁଅ ରଙ୍ଗ ବଦଳାଇବା ପରି ରଙ୍ଗ ବଦଳାଉଛି ଓଡ଼ିଶା କଂଗ୍ରେସ, ଯେତେବେଳେ ଛତିଶଗଡ଼ରେ ବିଜେପି ଶାସନାଧୀନ ରାଜ୍ୟ ସରକାର ରମଣ ସିଂହଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଚାଲିଥିଲା, ସେତେବେଳେ କଂଗ୍ରେସ ବିଜେଡି ଉପରେ ମହାନଦୀ ଜଳକୁ ନେଇ ପ୍ରବଳ ଚାପ ପ୍ରୟୋଗ କରୁଥିଲା । 

ଏପରିକି ଛତିଶଗଡ଼ ସହ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନ ନେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ମଧ୍ୟ ଚେତାବନୀ ଦେଇଥିଲା । ଏହି ପ୍ରସଙ୍ଗ ରାଜ୍ୟର ସମ୍ମାନ ଓ ଅସ୍ମିତା ସହ ଜଡ଼ିତ ବୋଲି ଏକ ମାହୋଲ ସୃଷ୍ଟି କରିବାରେ ସେତେବେଳେ କଂଗ୍ରେସ ସଫଳ ହୋଇଥିଲା । ଆଉ କଂଗ୍ରେସର ଏହି ଉଦ୍ୟମ ସେତେବେଳେ ଦଳକୁ କିଛିଟା ରାଜନୈତିକ ମାଇଲେଜ୍ ଦେବାରେ ସଫଳ ହୋଇଥିଲା । ତେବେ ବିଜେଡି ମଧ୍ୟ ଏହାକୁ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ କରି ଜିଲ୍ଲାସ୍ତରରେ ଆନ୍ଦୋଳନ ଓ ଧର୍ମଘଟ କରିବା ଆରମ୍ଭ କରିଥିଲା । ଏପରିକି ଦଳ ପକ୍ଷରୁ ସେତେବେଳେ ମହାନଦୀ ବିବାଦକୁ ନେଇ 'ଜଳ ସତ୍ୟାଗ୍ରହ' ପରି ଏକ ଟର୍ମ ଗଣମାଧ୍ୟମରେ ବେଶ୍ ଆଲୋଡ଼ନ ଖେଳାଇଥିଲା । ଦଳର ବରିଷ୍ଠ ନେତାମାନେ ମହାନଦୀ ପାଣିରେ ପଶି ସତ୍ୟାଗ୍ରହ କରିବା ଆରମ୍ଭ କରି ଦେଇଥିଲେ । ଏହାପରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ବଡ଼ ଆକାର ଧାରଣ କରିଥିଲା । 

ଦୁଇ ରାଜ୍ୟ ପକ୍ଷରୁ ଏକାଧିକବାର ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇ ପାରି ନ ଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ମଧ୍ୟ ଏ ପ୍ରସଙ୍ଗରେ ଦୁଇ ରାଜ୍ୟ ଭିତରେ ମଧ୍ୟସ୍ଥତା କରିଥିଲେ । ଏହାର ବେଶ୍ କିଛିଦିନ ପରେ ମାମଲା ଯାଇଥିଲା ଟ୍ରିବ୍ୟୁନାଲକୁ । ତେବେ ବର୍ତ୍ତମାନ ଦେଖିବାର କଥା, ରାଜ୍ୟର ଅର୍ଦ୍ଧାଧିକ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ ଏଭଳି ଏକ ପ୍ରସଙ୍ଗ କେବଳ ରାଜନୀତିର ରୋଟି ସେକିବାରେ ହିଁ ବ୍ୟବହୃତ ହେଉଛି, ନା ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ପ୍ରକୃତପକ୍ଷେ ରାଜନୀତିର ଊର୍ଦ୍ଧ୍ୱକୁ ଯାଇ ମହାନଦୀ ପାଇଁ କିଛି କରୁଛନ୍ତି ।