)
ଅଜୟ କୁମାର ନାଥ, ସମ୍ବଲପୁର: ଅସୁସ୍ଥତା ସତ୍ତ୍ୱେ କୋଭିଡ ୧୯ ମୁକାବିଲା ପାଇଁ ଡ୍ୟୁଟି କରୁଛନ୍ତି ମହିଳା ଟ୍ରାଫିକ ପୋଲିସ । ସାଜିଛନ୍ତି ସମାଜ ପାଇଁ ଉଦାହରଣ । ସମ୍ପୁର୍ଣ୍ଣ ଭାବେ ସୁସ୍ଥ ନଥାଇ ମଧ୍ୟ ନିଜର ଡ୍ୟୁଟି କରୁଛନ୍ତି ସମ୍ବଲପୁରର ଜଣେ ମହିଳା ଟ୍ରାଫିକ କନଷ୍ଟେବଳ । କର୍ତ୍ତବ୍ୟ ପ୍ରତି ତାଙ୍କର ଏହି ନିଷ୍ଠା ପାଇଁ ସେ ପୋଲିସ ବିଭାଗର ପ୍ରଶଂସାର ପାତ୍ର ହୋଇଛନ୍ତି ।
କର୍ତ୍ତବ୍ୟ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ଦୁର୍ଘଟଣା ଶିକାର ହୋଇ ଅସୁସ୍ଥ ଥିବା ସତ୍ତ୍ୱେ କୋରୋନା ମହାମାରୀ ଜନିତ ଯୁଦ୍ଧରେ ଯୋଗଦେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ସମ୍ବଲପୁର ଟ୍ରାଫିକ ଥାନା କନେଷ୍ଟେବଲ ମନୋରମା ଶତପଥୀ । ତାଙ୍କର କର୍ତବ୍ୟନିଷ୍ଠା ପାଇଁ ସମ୍ବଲପୁର ଏସପି ତାଙ୍କ ପ୍ରଶଂସା କରିବା ସହିତ ଟ୍ୱିଟ କରିଛନ୍ତି ।
ଗତ ଜାନୁଆରୀ ୧୧ ତାରିଖରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ମନୋରମା । ନିଜ ସ୍କୁଟି ଯୋଗେ ହୀରାକୁଦ ସହରକୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ତାଙ୍କୁ ଏକ କାର୍ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇ ୨ ଦିନ ପର୍ଯ୍ୟନ୍ତ ଅଚେତ ହୋଇ ହସ୍ପିଟାଲରେ ପଡ଼ିରହିଥିଲେ । ଏହା ପରେ ସେ ୭୦ ଦିନ ଛୁଟିରେ ରହିଥିଲେ । ଏପର୍ଯ୍ୟନ୍ତ ପୁରା ସୁସ୍ଥ ହୋଇନାହାନ୍ତି କି ଠିକ ସେ କଥା ମଧ୍ୟ କହିପାରୁନାହାନ୍ତି । ହେଲେ କୋରୋନାକୁ ଦେଖି ଡ୍ୟୁଟିରେ ଯୋଗଦେଇଛନ୍ତି । ସମ୍ବଲପୁର ଏସପି ତାଙ୍କୁ ଅଧିକ ଦିନ ଛୁଟିରେ ରହିବାକୁ କହିଥିଲେ । ହେଲେ ସେ ଏହି ଘଡିସନ୍ଧି ମୁହୂର୍ତ୍ତରେ କର୍ମକ୍ଷେତ୍ରରେ ଯୋଗ ଦେବାକୁ ଅଣ୍ଟା ଭିଡ଼ିଥିଲେ ।