)
ଅଜୟ କୁମାର ନାଥ, ସମ୍ବଲପୁର: କୋଭିଡ ୧୯ ପାଇଁ ଏବେ ସାରା ଦେଶରେ ଲକ ଡାଉନ ପରିସ୍ଥିତି । କୋରୋନାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତ୍ୟେକ ସ୍ତରରେ ସଚେତନତା ଜାରି ରହିଛି । ଆଉ ଏହା ସ୍ୱାଭାବିକ ମଧ୍ୟ। ତେବେ ଏହି ଲକ୍ ଡାଉନ ଯୋଗୁ ଅନେକ ବିବାହ, ବ୍ରତ ମଧ୍ୟ ଅଟକି ରହିଛି ।
ସମ୍ବଲପୁର ଯୁଜୁମୁରା ବ୍ଲକ ଶିକ୍ରାପାଲି ଗାଁର କପିଳେଶ୍ୱର ମାଝୀ । ଏପ୍ରିଲ ୨ ତାରିଖରେ ତାଙ୍କ ଝିଅଙ୍କ ବାହାଘର ନିର୍ଦ୍ଧାରିତ ହୋଇଥିଲା । ଏଥିପାଇଁ ୧୫ ଦିନ ପୂର୍ବରୁ ସେମାନେ ନିଜର ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କୁ ନିମନ୍ତ୍ରଣ ପତ୍ର ବାଣ୍ଟି ସାରିଥିଲେ । ବିବାହ ପାଇଁ ସମ୍ବଲପୁର ଧନୁପାଲି ସ୍ଥିତ ଏକ କଲ୍ୟାଣ ମଣ୍ଡପ ମଧ୍ୟ ବୁକ ହୋଇ ସାରିଥିଲା । ତେବେ ବର୍ତ୍ତମାନ କୋରୋନା ଜନିତ ଲକ୍ ଡାଉନ ପାଇଁ ଏହି ବିବାହ ଅଟକି ଗଲା । ଏଭଳି ପରିସ୍ଥିତିରେ ଏବେ ବିବାହକୁ ଜୁନ ମାସକୁ ଘୁଞ୍ଚା ଯାଇଛି।
ଏ ଗୋଟିଏ କାହିଁକି, ଲକ୍ ଡାଉନ ଯୋଗୁ ଅଞ୍ଚଳର ପାଖାପାଖି ୨୫ରୁ ୩୦ଟି ବାହାଘର ଅଟକି ଯାଇଛି । ତେବେ ପରିବାର ଲୋକଙ୍କ କହିବା କଥା ହେଲା ବିବାହ ଯେ କୌଣସି ସମୟରେ ହୋଇପାରିବ । ତେବେ ସରକାରୀ ନୀତି ନିୟମକୁ ମାନିବା ଓ ନିଜ ଜୀବନ ବଞ୍ଚାଇବା ଏହି ମୁହୂର୍ତ୍ତର ପ୍ରାଥମିକ କର୍ତ୍ତବ୍ୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।