ଗାଁରେ ରହିଛି ପଶୁ ଡାକ୍ତରଖାନା କିନ୍ତୁ ନାହାନ୍ତି ଡାକ୍ତର

ଜଣେ ଗ୍ରାମବାସୀଙ୍କର ୬ଟି ଗାଈ ମରି ଯାଇଥିବା ବେଳେ ଆଉ ତିନୋଟି ଗାଈ ଅସୁସ୍ଥ ହୋଇ ପଡିଥିବାର ଅଭିଯୋଗ କରାଯାଇଛି । ସେହିଭଳି ଭାବରେ ସରକାର ପ୍ରଜନନ କ୍ଷେତ୍ରରେ ପ୍ରାଥମିକତା ଦେଉଥିବା ବେଳେ ଗାଈକୁ ସଠିକ ସମୟରେ କୃତ୍ରିମ ପ୍ରଜନନ ଅନୁଯାୟୀ ଚିକିତ୍ସା ସେବା ନ ଦେଲେ ପୁଣି ପ୍ରଜନନ ସମୟ ଅତିବାହିତ ହୋଇଯାଏ । 

ଗାଁରେ ରହିଛି ପଶୁ ଡାକ୍ତରଖାନା କିନ୍ତୁ ନାହାନ୍ତି ଡାକ୍ତର
ପ୍ରତୀକାତ୍ମକ ଫଟୋ

ସମ୍ୱଲପୁର: ଗାଁରେ ରହିଛି ପଶୁ ଡାକ୍ତରଖାନା । କିନ୍ତୁ ଆସୁ ନାହାନ୍ତି ଡାକ୍ତର । ବନ୍ଦ ହୋଇ ପଡି ରହିଛି ପଶୁ ଡାକ୍ତରଖାନା । ତାଲାରେ ଲାଗିଗଲାଣି କଳଙ୍କି । କେତେ ମାସ ହେବ ଖୋଲା ହୋଇନି ଯେ ପାରିପାର୍ଶ୍ୱିକ ପରିସ୍ଥିତି ଦେଖିଲେ ସହଜେ ଜାଣିହେବ । ଗାଁରେ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରୁଛନ୍ତି ଗୃହପାଳିତ ପଶୁ ପକ୍ଷୀ । ନିକଟରେ ଚିକିତ୍ସା ଅବହେଳାରୁ ଅନେକ ଗାଈଗୋରୁ ଛେଳି ମରିଯାଇଥିବା ବେଳେ ଆମ ସମ୍ମୁଖରେ ଚିକତ୍ସା ଅବହେଳାରୁ ମୃତ୍ୟୁ ବରଣ କରିଛି ସେହି ଅଞ୍ଚଳରେ ରାମ ମହାପାତ୍ରଙ୍କ ଆଉ ଏକ ଗାଈ ।

ଗାଈଟି ଚିକିତ୍ସା ଅବହେଳାରୁ ମରିଯାଇଥିବାରୁ ମାଲିକ ହତୋତ୍ସାହ । ପରିବାର ମଧ୍ୟ ଶୋକାକୁଳ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ମହାନଗର ନିଗମର ଏକ ନମ୍ବର ୱାର୍ଡ ବରହମପୁରା ଗାଁରେ । ନିକଟ ଅତୀତରେ ଏହି ଗାଁ ରେ ଅନେକ ଗୃହ ପାଳିତ ପଶୁ ପକ୍ଷୀ ଚିକିତ୍ସା ଅବହେଳାରୁ ମୃତ୍ୟୁ ବରଣ କରି ସାରିଛି । ଗାଁରେ ପଶୁପକ୍ଷୀ ଚିକିତ୍ସା କେନ୍ଦ୍ର ରହିଥିବା ବେଳେ ଆସୁ ନାହାନ୍ତି ଡାକ୍ତର । ବାରମ୍ବାର ଗ୍ରାମବାସୀ ଅଭିଯୋଗ କଲା ପରେ ମଧ୍ୟ କେହି ଉପରିସ୍ଥ ଅଧିକାରୀ ଶୁଣୁ ନ ଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । 

ଜଣେ ଗ୍ରାମବାସୀଙ୍କର ୬ଟି ଗାଈ ମରି ଯାଇଥିବା ବେଳେ ଆଉ ତିନୋଟି ଗାଈ ଅସୁସ୍ଥ ହୋଇ ପଡିଥିବାର ଅଭିଯୋଗ କରାଯାଇଛି । ସେହିଭଳି ଭାବରେ ସରକାର ପ୍ରଜନନ କ୍ଷେତ୍ରରେ ପ୍ରାଥମିକତା ଦେଉଥିବା ବେଳେ ଗାଈକୁ ସଠିକ ସମୟରେ କୃତ୍ରିମ ପ୍ରଜନନ ଅନୁଯାୟୀ ଚିକିତ୍ସା ସେବା ନ ଦେଲେ ପୁଣି ପ୍ରଜନନ ସମୟ ଅତିବାହିତ ହୋଇଯାଏ । ସେହି ସେବା ତୁରନ୍ତ ପ୍ରଦାନ କରିବା କଥା ତାହା ମଧ୍ୟ ସଠିକ ସମୟରେ ଦିଆ ଯାଉ ନ ଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ରାଜ୍ୟ ସରକାର ମୋ ସରକାର ଯୋଜନାକୁ ପ୍ରାଥମିକତା ଦେବା ବେଳେ ଏଭଳି ସମ୍ବଲପୁର ମହାନଗର ନିଗମର 1ନମ୍ବର ୱାର୍ଡରୁ ଏଭଳି ଅଭିଯୋଗ ଆସିବା ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏପଟେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କହିବାନୁଯାୟୀ, ଜିଲ୍ଲାରେ ଯେତେ ସଂଖ୍ୟକ ପଶୁ ଚିକିତ୍ସାଳୟ ରହିଛି । ସେତେ ପରିମାଣରେ ଡାକ୍ତର ନାହାନ୍ତି । ସେଥିପାଇଁ ଜଣ ଜଣଙ୍କୁ ଦୁଇ ଦୁଇଟି ଅଂଚଳର ଦାୟିତ୍ୱ ପ୍ରଦାନ କରାଯାଇଛି । ବାରମ୍ବାର ଫୋନ କରିବା ସତ୍ତ୍ୱେ ମଧ୍ୟ ଅଧିକାରୀମାନେ କାହିଁକି ଠିକ ସମୟରେ ପହଂଚୁ ନ ଥିବାର କଥା ବାବଦରେ ମଧ୍ୟ ଖୁବ ଶୀଘ୍ର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଆସନ୍ତା ତିନି ଦିନ ମଧ୍ୟରେ ସେହି ଅଞ୍ଚଳର ସମସ୍ୟାର ସମାଧାନ କରାଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ ।