close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଯିଏ ବି ଜିତୁ, ବିଜେପୁରବାସୀ ଚାହାନ୍ତି ବିକାଶ ହେଉ

ଜନତା ବାଛିଲେ ନେତା, ଖୋଲିବ ପୋଲ୍... ଏବେ ୨୪ କୁ ଅପେକ୍ଷା 

ଯିଏ ବି ଜିତୁ, ବିଜେପୁରବାସୀ ଚାହାନ୍ତି ବିକାଶ ହେଉ
ବିକାଶ ଚାହେଁ ବିଜେପୁର

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର/ ବିଜେପୁର: ବିଜେପୁର ଉପ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ୨୮୫ଟି ବୁଥରେ ୨.୩୨ ଲକ୍ଷ ଭୋଟର ଭୋଟ୍ ଦେଇଛନ୍ତି । ଭୋଟ୍ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇ ସାରିଛି । ବିଜେଡିର ଷ୍ଟାର୍ ଫେସ୍ ରୀତା ସାହୁଙ୍କ ଉପରେ ଦଳ ଏଥର ପୁଣି ଥରେ ଭରସା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନ ଛାଡ଼ିବା ପରେ ଏଠାରେ ସୋମବାର ଉପ ନିର୍ବାଚନ ହୋଇଥିଲା । ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଉପରେ ଦଳ ଭରସା କରିଥିଲେ ବି ଯୁଦ୍ଧ ପୂର୍ବରୁ ଗେରୁଆ ଦଳ ଏକ ପ୍ରକାର ଅସ୍ତ୍ରତ୍ୟାଗ କରିଥିଲା । ଦଳର ପ୍ରଚାର ଦେଖି ଏହା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । କଂଗ୍ରେସ ତ ପୂର୍ବରୁ ହିଁ ଏଠାରେ ହାତ ଟେକି ସାରିଛି । ତେଣୁ, ସବା ଶେଷରେ ରହିଲା ଶାସକ ଦଳ ।



ଦଳର ଏକ ମାତ୍ର ଷ୍ଟାର୍ କ୍ୟାମ୍ପେନର ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ' ପରେ ଦଳ ଏଠାରେ ଏକ ପ୍ରକାର ବିଜୟ ଲାଭ କରିସାରିଛି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ୨୪ ତାରିଖରେ ଫଳ ବାହାରିବା ପରେ ହିଁ ସବୁ ସସପେନ୍ସରୁ ପରଦା ହଟିବ ।

ରାଜ୍ୟ ସରକାର ପୂର୍ବରୁ ବି ବିଜେପୁରବାସୀଙ୍କ ପାଇଁ ଅନେକ ଯୋଜନା ଘୋଷଣା କରିଛନ୍ତି । ଆସନ ଛାଡ଼ିବା ପରେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ପ୍ରତିଦୁଇ ମାସରେ ଥରେ ନିଜେ ଏହାର ସମୀକ୍ଷା କରୁଥିଲେ । କିନ୍ତୁ ବିଜେପି ଏଠାକାର ଲୋକଙ୍କ ଆସ୍ଥାଭାଜନ ହେବାକୁ ସେମିତି କିଛି ଲୋଭନୀୟ ଘୋଷଣା କରି ପାରିନାହିଁ । ତେଣୁ, ଦଳ ଲୋକ ଦେଖାଣିଆ ଯେତେ ଭିଡ଼ି ଟାଣି ହେଲେ ବି ନବୀନଙ୍କ ଆଗରେ ଫିକା ପଡ଼ିଯାଉଛି । ଯାହା ଉପ ନିର୍ବାଚନରେ ପୁଣି ଥରେ ଦେଖିବାକୁ ମିଳିଛି । ପାଟକୁରା ନିର୍ବାଚନ ପୂର୍ବରୁ ରାଜ୍ୟସଭା ଆସନ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ବୁଝାମଣା ହୋଇଥିବା ନେଇ ଏବେ ବି ଚର୍ଚ୍ଚା ହୁଏ । କୁଆଡ଼େ ବିଜେଡି ଦୁଇଟି ଆସନ ବଦଳରେ ଗେରୁଆ ଦଳକୁ ଗୋଟିଏ ରାଜ୍ୟସଭା ଆସନ ଛାଡ଼ିଛି । ଏହା ଯଦି ସତ, ତେବେ ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ ।



ବିଜୟ ଯାହାର ବି ହେଉ, ବିଜେପୁରବାସୀ କିନ୍ତୁ ବିକାଶ ଚାହାନ୍ତି । ବୁଣାକାର ମାନେ ସେମାନଙ୍କର ହକ୍ ଚାହାନ୍ତି । ଚାଷୀ ତା'ର ପେଟ ପୂରାଇବାକୁ ଚାହେଁ । ନିଜ ପିଲା ଛୁଆଙ୍କୁ ଠିକ୍ ସେ ପାଠ ପଢ଼ାଇବାକୁ ଚାହେଁ । ସିଏ ରୀତା ସାହୁ ହୁଅନ୍ତୁ ଅବା ସନତ ଗଡ଼ତିଆ । ଯିଏ ବି ବିଜେପୁରବାସୀଙ୍କ ପ୍ରତିନିଧି ହେବ, ବିଜେପୁରର ବିକାଶ ନିଶ୍ଚୟ କରିବ, ଏହା ହିଁ ହେଉଛି ସେଠାକାର ଲୋକଙ୍କ ବାସ୍ତବ ସ୍ୱପ୍ନ ।