close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଗଛମୂଳେ ଚାଲିଛି ପାଠପଢ଼ା, ଅନ୍ଧାରରେ କୁନିକୁନି ପିଲାଙ୍କ ଭବିଷ୍ୟତ

ଗଛ ମୂଳେ ଚାଲିଛି ଶିକ୍ଷାଦାନ। ବର୍ଷା ଦିନେ ଅନ୍ୟ କାହା ଘରେ ଓ ବାରଣ୍ଡାରେ ହେଉଛି ପାଠପଢ଼ା । ଏହା ଆଜି କି କାଲିର ନୁହେଁ ଦୀର୍ଘ ୨୭ ବର୍ଷ ହେବ ଏପରି ଚାଲିଆସିଛି। ଅଙ୍ଗନୱାଡି କେନ୍ଦ୍ରର ପିଲା ଗଛମୂଳେ ଓ ପରଘରେ ପଢିବା ନିହାତି ପରିତାପର ବିଷୟ । 

ଗଛମୂଳେ ଚାଲିଛି ପାଠପଢ଼ା, ଅନ୍ଧାରରେ କୁନିକୁନି ପିଲାଙ୍କ  ଭବିଷ୍ୟତ

କଳାହାଣ୍ଡି: ସରକାର ଶିଶୁ ସମନ୍ୱିତ ବିକାଶ ପ୍ରକଳ୍ପ ନାଁରେ କେତେ କଣ ଯୋଜନା କରୁଛନ୍ତି । ଶିଶୁ ତଥା ଗର୍ଭବତୀ ପ୍ରସୂତିଙ୍କ ପାଇଁ  ପୃଷ୍ଟିକର ଖାଦ୍ୟ ଯୋଗାଯାଉଛି। ଛୋଟ ପିଲାଙ୍କ ପାଠପଢା ପାଇଁ  ଉତ୍ତମ ପରିବେଶ ସାଙ୍ଗକୁ ଖେଳଣା ଯୋଗାଇ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଛନ୍ତି  ସରକାର । ହେଲେ ଦୀର୍ଘ ୨୭ବର୍ଷ ହେଲା ଅଙ୍ଗନୱାଡି ଗୃହ ନଥିବାରୁ କୋମଳମତି ଶିଶୁ ମାନେ ପର ଘରେ ଓ ଗଛମୂଳେ ପାଠପଢିବା ସହ  ଖାଦ୍ୟ ମଧ୍ୟ ଖାଉଛନ୍ତି ।

ଗଛ ମୂଳେ ଚାଲିଛି ଶିକ୍ଷାଦାନ। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ  ଖାଦ୍ୟ ଖାଉଛନ୍ତି କରୁଛନ୍ତି କୁନିକୁନି  ପିଲା। କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ବାଗଦୋରୀ ଅଙ୍ଗନୱାଡି କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବର୍ଷା ଦିନକୁ ଛାଡି ଦେଲେ ଅନ୍ୟ ଦିନ ସବୁବେଳେ ଗଛ ମୂଳେ  ବସି ପାଠ ପଢୁଛନ୍ତି କୁନିକୁନି ପିଲା। ବର୍ଷା ଦିନେ ଅନ୍ୟ କାହା ଘରେ ଓ ବାରଣ୍ଡାରେ ହେଉଛି ପାଠପଢ଼ା । ଏହା ଆଜି କି କାଲିର ନୁହେଁ ଦୀର୍ଘ ୨୭ ବର୍ଷ ହେବ ଏପରି ଚାଲିଆସିଛି।  ବିପଦ ପୂର୍ଣ୍ଣ ଅବସ୍ଥାରେ  ଶିଶୁମାନେ ଶିକ୍ଷାଗ୍ରହଣ କରୁଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ନାହିଁ । ଏହାକୁ ଦେଖି ପିଲାମାନଙ୍କ ଅଭିବାବକ  ଅଙ୍ଗନୱାଡି କେନ୍ଦ୍ରକୁ ପାଠ ପଢାଇବାକୁ ଛାଡିବାକୁ ସଙ୍କୋଚ ପ୍ରକାଶ କରୁଛନ୍ତି। ସେପଟେ ଅନେକ ସମୟରେ ବର୍ଷା ହେଲେ ପିଲାଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି । ଅଙ୍ଗନୱାଡି କେନ୍ଦ୍ରରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଭଭୟ  ଅଙ୍ଗନୱାଡି କର୍ମୀ ଓ ହେଲପର ବାରମ୍ୱାର ଅଭିଯୋଗ କରିଛନ୍ତି। ଏପରି କି ପିଲାଙ୍କୁ ରନ୍ଧାଖାଦ୍ୟ ଦେବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି । 

ଅଙ୍ଗନୱାଡି କେନ୍ଦ୍ରର ଗୃହ ସମସ୍ୟାକୁ ନେଇ ଅଙ୍ଗନୱାଡି କର୍ମୀ  ଓ ଗ୍ରାମବାସୀ  ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅଭିଯୋଗ କରିଥିଲେ ।    ସେତିକି ନୁହେଁ ସ୍ଥାନୀୟ ପ୍ରଶାସନକୁ ମଧ୍ୟ  ଅବଗତ କରିଥିଲେ  ହେଲେ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରିନାହିଁ।    ସେପଟେ  ଗାଁରେ ସରକାରୀ ଜମି ନଥିବା ରୁ ଜଣେ  ସହୃଦୟ ବ୍ୟକ୍ତି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ଜାଗା ଯୋଗାଇଛନ୍ତି ।   କିଛିଦିନ ପୂର୍ବେ  ଅଙ୍ଗନୱାଡି ଗୃହ ପାଇଁ ଅର୍ଥ ମଞ୍ଜୁର ମଧ୍ୟ ହୋଇଛି ।  ଗୃହ  ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ  ଅଧପନ୍ତରିଆ ଅବସ୍ଥାରେ  ପଡିରହିଛି ।  ଫଳରେ ପିଲାମାନେ ଗଛମୂଳେ ପଢିବାକୁ ବାଧ୍ୟ ହେଉଛନ୍ତି।   ଅନ୍ୟପଟେ   ନଭେମ୍ବର ୨୦ ସୁଦ୍ଧା ଗୃହ ନିର୍ମାଣ ଶେଷ କରାଯାଇ ନୂତନ ଗୃହରେ ପାଠପଢା କରାଯିବ ବୋଲି ଗୋଳାମୁଣ୍ଡା ବିଡିଓ  ପ୍ରତିଶ୍ରୁତି ଦେଇଛନ୍ତି  ।  

ସରକାର ଛୋଟପାଲାଙ୍କ ପାଠପଢାପାଇଁ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରୁଥିବା ବେଳେ ବାଗଦୋରୀ ଅଙ୍ଗନୱାଡି କେନ୍ଦ୍ରର ପିଲା ଗଛମୂଳେ ଓ ପରଘରେ ପଢିବା ନିହାତି ପରିତାପର ବିଷୟ ।  ତୁରନ୍ତ ଜିଲ୍ଲାପ୍ରଶାସନ ଏଥିପ୍ରତି ଧ୍ୟାନ ଦେଲେ   କୁନିକୁନି ପିଲା ସୁବିଧାରେ ଶିକ୍ଷା ଗ୍ରହଣ କରିପାରିବେ ।