close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

CDMOଙ୍କ ନିଲମ୍ବନକୁ ନେଇ ସୁନ୍ଦରଗଡ଼ରେ ତାତି

CDMOଙ୍କ ନିଲମ୍ବନକୁ ନେଇ ସୁନ୍ଦରଗଡ଼ରେ ତାତି

ସୁନ୍ଦରଗଡ: ଡାକ୍ତରଖାନାର ଭାରପ୍ରାପ୍ତ ସିଡିଏମଓଙ୍କ ନିଲମ୍ବନକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା । ନିଲମ୍ବନ ଆଦେଶକୁ ବିରୋଧ କରି ସୁନ୍ଦରଗଡ଼ ଜିଲ୍ଲା ବିଜେପି ପକ୍ଷରୁ ୬ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି । ସୋମବାର ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି ।

5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ସୁନ୍ଦରଗଡ଼ ଗସ୍ତ କରିବା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଅବହେଳା ହେଉଥିବାର ଅଭିଯୋଗ ହୋଇଥିଲା । 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ନେତୃତ୍ୱରେ ରବିବାର ସୁନ୍ଦରଗଡ଼ ଯାଇଥିବା ଏକ ଟିମ୍‌ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା ପରଖିବା ସହିତ କାର୍ଯ୍ୟରେ ଅବହେଳା ନେଇ ସିଡିଏମ୍‌ଓଙ୍କୁ ସସ୍‌ପେଣ୍ଡ କରିଥିବା ବେଳେ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ।

ଡାକ୍ତରଖାନାରେ ଡାଏଲିସିସ୍‌ ସୁବିଧା ଥିବା ସତ୍ୱେ ରୋଗୀଙ୍କୁ ବାହାରକୁ ପଠାଯାଉଛି । ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଠିକ୍ ନାହିଁ । ଏମିତି କିଛି ଅଭିଯୋଗ ପାଇଥିଲେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇଥିବା 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ଏବଂ ତାଙ୍କ ସହିତ ଯାଇଥିବା ଅନ୍ୟ ସଚିବ ମାନେ । ଭାରାପ୍ରାପ୍ତ ସିଡିଏମଓଙ୍କ ବିରୁଦ୍ଧରେ ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ତୁରନ୍ତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ 5T ସଚିବ । ସୁନ୍ଦରଗଡ଼ ଭାରାପ୍ରାପ୍ତ ସିଡିଏମ୍‌ଓ ପଙ୍କଜ ପଟେଲ୍‌ଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଥିଲା । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ଏ ସଂପର୍କରେ ନିଲମ୍ବିତ ସିଡିଏମ୍‌ଓ ପଙ୍କଜ ପଟେଲ୍‌ଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ 5T ସଚିବଙ୍କ ଗସ୍ତ ବେଳେ କିଛି ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଥିଲେ ।

5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ । ପ୍ରଥମେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲେ ପରେ ଡାଏଲିସିସ ସେଣ୍ଟର ଓ ମେଡିସିନ୍‌ ୱାର୍ଡକୁ ଯାଇ ରୋଗୀଙ୍କ ସହ ଆଲୋଚନା କରିଥିଲେ।

ଆଲୋଚନା ସମୟରେ ରୋଗୀଙ୍କୁ ଠିକ୍‌ ଭାବେ ଖାଦ୍ୟ ଦିଆଯାଉନଥିବା ଓ ପରୀକ୍ଷା ପାଇଁ ବାହାରେ ଥିବା କ୍ଲିନିକ୍‌ ପଠାଯାଉଥିବା ଅଭିଯୋଗ ହୋଇଥିଲା। ଡାଏଲିସିସି ପାଇଁ ଆସୁଥିବା ରୋଗୀଙ୍କୁ ପୁର୍ବରୁ ପରୀକ୍ଷା ପାଇଁ ବାହାରକୁ ପଠାଯାଉଥିବା ନେଇ ରୋଗୀଙ୍କ ସମ୍ପର୍କିୟ ମାନେ କହିଥିବା ବେଳେ ଡାଏଲିସିସି କରାଯିବା ପାଇଁ ଆବଶ୍ୟକ ସୁବିଧା ନଥିବା ମଧ୍ୟ କହିଛନ୍ତି ରୋଗୀଙ୍କ ସଂପର୍କୀୟ।

ସୁନ୍ଦରଗଡ଼ ପରେ ରାଉରକେଲା ସରକାରୀ ଡାକ୍ତରଖାନା ପରିଦର୍ଶନ କରିଥିଲେ 5T ସଚିବ ଏବଂ ତାଙ୍କ ଟିମ୍‌ ।ରୋଗୀଙ୍କ ସହ କଥାବାର୍ତ୍ତା ହେବା ସହିତ ପରିମଳ ବ୍ୟବସ୍ଥା ସଂପର୍କରେ ବୁଝିଥିଲେ । ତେବେ ଜଣେ ମହିଳା ତାଙ୍କର ନାତିର ଚିକିତ୍ସା ପ୍ରତି ଡାକ୍ତର ଗୁରୁତ୍ୱ ନଦେଇ ମୋବାଇଲ୍‌ରେ ବ୍ୟସ୍ତ ଥିବା ନେଇ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ ପାଇଁ 5T ସଚିବ ନିର୍ଦ୍ଦେଶ ଦେଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅଭିଯୋଗର ଖଣ୍ଡନ କରିଛନ୍ତି । ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ୍‌ ମହାପାତ୍ର । ସରକାରୀ ଡାକ୍ତରଖାନାରେ ସଚିବଙ୍କ ଏପରି ଅଚାନକ ଗସ୍ତ ବିଗିଡ଼ି ଯାଇଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବ ବୋଲି ଆଶା କରାଯାଉଛି ।

ତେବେ ଆଜି ସୁନ୍ଦରଗଡ ଜିଲ୍ଲା ବିଜେପି ପକ୍ଷରୁ ଭାରାପ୍ରାପ୍ତ ସିଡିଏମଓ ପଙ୍କଜ ପଟେଲଙ୍କ ନିଲମ୍ବନ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ଦାବି ନେଇ ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ସମୟରେ ସ୍କୁଲ, କଲେଜ ଓ ଗାଡି ମଟର ଚଳାଚଳକୁ ବାଦ ଦିଆଯାଇଥିବା ନେଇ ଜଣା ପଡିଛି ।