ଆୟ ଶୂନ, ହେଲେ ଖର୍ଚ୍ଚ କରିବା ଥୟ...

ଲକଡାଉନ ଯୋଗୁ ଜିଲ୍ଲାରେ ଅଟକିଛି ହଜାର ହଜାର ଟ୍ରକ । ଟ୍ରକ ନଗଡ଼ିଲେ ବି ଖର୍ଚ୍ଚ ହେଉଛି । ହେଲେ ଆୟ ଶୂନ ।

ଆୟ ଶୂନ, ହେଲେ ଖର୍ଚ୍ଚ କରିବା ଥୟ...
ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ଲକଡାଉନ ଯୋଗୁ ଜିଲ୍ଲାରେ ଅଟକିଛି ହଜାର ହଜାର ଟ୍ରକ । ଟ୍ରକ ନଗଡ଼ିଲେ ବି ଖର୍ଚ୍ଚ ହେଉଛି । ହେଲେ ଆୟ ଶୂନ । ଯେତେବେଳେ ଗାଡି ଗଡୁଥିଲା, ମାସକୁ ରୋଜଗାର ଥିଲା ୫୦ ହଜାର । ଖର୍ଚ୍ଚ ଥିଲା ୩୦ ହଜାର । ଏବେ ରୋଜଗାର ନାହିଁ, କିନ୍ତୁ ଖର୍ଚ୍ଚ ଯେମିତିକୁ ସେମିତି । 

କୋଭିଡ-19 ଜନିତ ଲକଡାଉନର ପ୍ରଭାବ ସବୁ କ୍ଷେତ୍ରରେ ପରିଲକ୍ଷିତ ହେଉଛି । ଗାଡ଼ି ଚଳାଚଳ ଓ ପରିବହନ ବ୍ୟବସ୍ଥାରେ ଏହାର ବିଶେଷ ପ୍ରଭାବ ପଡ଼ିଛି । ଯେଉଁ ରାଜରାସ୍ତାରେ ଦିନକୁ ଗଡୁଥିଲା ହଜାର ହଜାର ଟ୍ରକ, ଆଜି ସେଠାରେ କାଁଭାଁ ଚାଲୁଛି ଗାଡ଼ି । ସେପୁଣି ବ୍ୟବସାୟ ନୁହେଁ, ସରକାରଙ୍କ କାମରେ । ଟ୍ରକ ପଡ଼ି ରହି ଅଧିକ ଖର୍ଚ୍ଚ ହେଉଛି କିନ୍ତୁ ଲାଭ କିଛି ମିଳୁନାହିଁ । ଏହା ହେଉଛି ସମ୍ବଲପୁର ଟ୍ରକ ମାଲିକଙ୍କ ଦୁଃଖ କାହାଣୀ । ଏବେ ରୋଜଗାର ନାହିଁ, କିନ୍ତୁ ଖର୍ଚ୍ଚ ଯେମିତିକୁ ସେମିତି । ଖାଲି ପଡ଼ି ରହିକି ବି ଟ୍ରକ ପଛରେ ଦିନକୁ ଯାଉଛି ୧୨ଶହ ଟଙ୍କାର ବୀମା । ସେହିପରି ଡ୍ରାଇଭର ଓ ହେଲପରଙ୍କ ଦରମା, ପାର୍କିଂ ଫି, ନ୍ୟାସନାଲ ପରମିଟ ଇତ୍ୟାଦି ପାଇଁ ମଧ୍ୟ ଅର୍ଥ ଦେବାକୁ ପଡ଼ୁଛି । ସେପଟେ ଟ୍ରକ ପଡି ରହିଲେ ବ୍ୟାଟେରୀ, ଟାୟାର ଖରାପ୍ ହୋଇଯିବା ଟେନସନ୍ । ପୁଣି ଚାଲିବା ବେଳକୁ ଏସବୁ ସଜାଡିବାକୁ ପଡ଼ିବ । ଏବେ ନାନା ସମସ୍ୟାକୁ ନେଇ ଚିନ୍ତାରେ ସମ୍ବଲପୁର ଟ୍ରକ ମାଲିକ । ଲକଡାଉନ ମାଡ଼ରେ ଏମାନେ ଘାଇଲା । 

ଅନ୍ୟପଟେ ଜିଲ୍ଲାର ପ୍ରାୟ ୫ହଜାର ଟ୍ରକ ଉପରେ ନିର୍ଭର କରୁଥିବା ୧୦ ହଜାର କର୍ମଚାରୀଙ୍କ ଅବସ୍ଥା ସଙ୍ଗୀନ । ୫ହଜାର ଟ୍ରକ ମଧ୍ୟରେ ୧୦ ଚକିଆ ଟ୍ରକ ସଂଖ୍ୟା ୪ହଜାର, ୧୨ ଚକିଆ ଟ୍ରକ ୫୦୦ ଓ ୧୪ ଚକିଆ ଟ୍ରକ ୫୦୦ଟି ରହିଛି । ଲକଡାଉନ ଯୋଗୁ ପଡିରହିଛି ଟ୍ରକ । ମାଲିକଙ୍କ ପକେଟରୁ ଯାଉଛି ଅର୍ଥ । ଚିନ୍ତାରେ ମାସିକ ବ୍ୟାଙ୍କ ଋଣ କିସ୍ତି ଦେଉଥିବା ନୂଆ ମାଲିକ । ସେପଟେ ରୋଜଗାର ଶୂନ ହୋଇ ଟ୍ରକ ଭିତରେ ପଡି ରହିଛନ୍ତି ଡ୍ରାଇଭର ଓ ହେଲପର । ପରିସ୍ଥିତି ଦେଖି ସମ୍ବଲପୁର ଟ୍ରକ ମାଲିକ ସଂଘ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଏନେଇ ସରକାରଙ୍କୁ ଅବଗତ କରିଛନ୍ତି ।