Trending Photos
ସମ୍ବଲପୁର: ଠେଲକୋଲି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରକୁ ମାଡ ମାରି ଆକ୍ରମଣ କରିଥିବା ଅଭିଯୋଗ । ଏହି ଘଟଣାରେ ୨ ଜଣ ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ୨ ଜଣ ହେଲେ ଠେଲକୋଲି ଥାନାର ଲାଣ୍ଡୁପାଲି ଗାଁର ପ୍ରମୋଦ କୁମାର ବେହେରା ଓ ସମ୍ବଲପୁର ମୁଦିପଡାର ମୁକେଶ କରାଳି ।
ଘଟଣାଟି ଏହିପରି. ଲକଡାଉନରେ ମଉଜ ନିଶା। ଆମ୍ବୁଲାନ୍ସକୁ ଡାକିଲେ, ବନ୍ଧୁକ ଦେଖାଇ ୪ ଘଣ୍ଟା ବୁଲିଲେ। ଏହି ୨ ଜଣ ସୁରେଶ ମୁଣ୍ଡା ନାମକ ଜଣେ ଆମ୍ବୁଲାନ୍ସ ଡ୍ରାଇଭରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତ ୨୯ ତାରିଖରେ ଏହି ୨ ଅଭିଯୁକ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ହସ୍ପିଟାଲ ଯିବାର ଅଛି ବୋଲି କହି ଡକାଇଥିଲେ ଓ ଆମ୍ବୁଲାନ୍ସରେ ବସି ତାକୁ ବନ୍ଧୁକ ଦେଖାଇ ୪ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ବୁଲାଇ ନେବା ପାଇଁ ବାଧ୍ୟ କରିଥିଲେ ।
ଏହାସହ ଆମ୍ବୁଲାନ୍ସ ଭିତରେ ରହି ନିଶା ସେବନ କରିଥିଲେ ବୋଲି ଅଭିଯୋଗ ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭର ରାତି ୧୧ଟା ପରେ ତାଙ୍କୁ ଆମ୍ବୁଲାନ୍ସରୁ ଓହ୍ଲାଇବାକୁ କହିବାରୁ ତାକୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଥିବା ଜଣାପଡିଛି । ସେପଟେ ଏମାନଙ୍କ ଠାରୁ ଦେଶୀ ବନ୍ଧୁକ, କିଛି ଅଫୁଟା ଗୁଳି, ନଗଦ ଟଙ୍କା ଓ ମୋବାଇଲ ଜବତ ହୋଇଛି ।