ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ଟପିଲା
Trending Photos
ଭୁବନେଶ୍ୱର: ରାଜ୍ୟରେ ଆଉ ୭୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୯ ନମ୍ବର ଜିଲ୍ଲା ଭାବେ ସୁବର୍ଣ୍ଣପୁରକୁ ପଶିଛି କୋରୋନା । ଜିଲ୍ଲାରେ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ତେବେ ନୂଆ ମାମଲା ମଧ୍ୟରେ କଟକରୁ ସର୍ବାଧିକ ୧୬ ଜଣ ରହିଛନ୍ତି । ସେହିପରି ବଲାଙ୍ଗୀରରୁ ୧୪, କେନ୍ଦୁଝରରୁ ୮, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୬, ଗଞ୍ଜାମରୁ ୫, ପୁରୀରୁ ୪, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୪, ଢେଙ୍କାନାଳରୁ ୩, ନୟାଗଡ଼ରୁ ୩ ଏବଂ ଯାଜପୁରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଝାରସୁଗୁଡ଼ା, ଅନୁଗୋଳ ଏବଂ ସୁବର୍ଣ୍ଣପୁରରୁ ମଧ୍ୟ ଗୋଟିଏ ଗୋଟିଏ ମାମଲା ସାମ୍ନାକୁ ଆସିଛି ।
ରାଜ୍ୟରେ ଏପର୍ଯ୍ୟନ୍ତ ୧୫୧୭ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ଏମାନଙ୍କ ମଧ୍ୟରୁ ୬୪୯ ଜଣ ସୁସ୍ଥ ହୋଇ ସାରିଛନ୍ତି । ସେହିପରି ପୂର୍ବରୁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ ଏବେ ୮୬୧ଟି ଆକ୍ଟିଭ କେସ ରହିଛି ।
ସେପଟେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୪୫ ହଜାର ୩୮୦ରେ ପହଞ୍ଚିଛି । ସେହିପରି ୪୧୬୭ ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ ୬୦୪୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଆକ୍ସିଭ କେସ ସଂଖ୍ୟା ୮୦୭୨୨ ରହିଛି । ତେବେ ଦୈନିକ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହାକୁ ନିୟନ୍ତ୍ରଣକୁ ଆଣିବା ବଡ଼ ଆହ୍ୱାନ ପାଲଟିଛି ।
ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନାର ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୫୫ଲକ୍ଷ ୮୯ ହଜାର ୭୧୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କ ମଧ୍ୟରୁ ୩ଲକ୍ଷ ୪୭ ହଜାର ୯୦୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଶ୍ୱସ୍ତକର ଖବର ଏହା ଯେ, ୨୩ଲକ୍ଷ ୬୬ ହଜାର ୫୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।