ସୁବର୍ଣ୍ଣପୁର ଶଙ୍କରା ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା, ଧାରଣାରେ ଚାଷୀ
Advertisement

ସୁବର୍ଣ୍ଣପୁର ଶଙ୍କରା ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା, ଧାରଣାରେ ଚାଷୀ

ଯାହା ଜଣାପଡ଼ିଛି, ଗତ ୧୫ ତାରିଖରୁ ବିନିକା ବ୍ଲକରେ ରବି ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଶଙ୍କରା ମଣ୍ଡିରେ ୬ ହଜାର କ୍ୱିଣ୍ଟାଲ ଧାନ ଧରି ଚାଷୀ ଅପେକ୍ଷା କରି ରହିଥିଲେ ମଧ୍ୟ ମିଲର୍ସ ଆସୁନାହାଁନ୍ତି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନିରଞ୍ଜନ ମିଶ୍ର, ସୁବର୍ଣ୍ଣପୁର: ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ । ମଣ୍ଡିରେ ଧାନ, ହେଲେ ମିଲର୍ସଙ୍କ ଦେଖାଦର୍ଶନ ମିଳୁନି । ୬ ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଥିଲେ ମଧ୍ୟ କିଣିବା ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହିଁନ୍ତି । ଶେଷରେ ବାଧ୍ୟ ହୋଇ ସୁବର୍ଣ୍ଣପୁର ଖାଦ୍ୟ ଯୋଗାଣ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ବିନିକା ବ୍ଲକ ଶଙ୍କରା ଗାଁର ଚାଷୀ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚାଷୀ ଧାରଣା ଦେଇଥିବା ବେଳେ ସାମାଜିକ ଦୂରତ୍ୱ ମଧ୍ୟ ବଜାଏ ରଖିଥିଲେ । ଧାନ କିଣିବା ପାଇଁ ତୁରନ୍ତ ମିଲର୍ସ ପଠାଇବାକୁ ଏମାନେ ଦାବି କରିଛନ୍ତି । 

ଯାହା ଜଣାପଡ଼ିଛି, ଗତ ୧୫ ତାରିଖରୁ ବିନିକା ବ୍ଲକରେ ରବି ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଶଙ୍କରା ମଣ୍ଡିରେ ୬ ହଜାର କ୍ୱିଣ୍ଟାଲ ଧାନ ଧରି ଚାଷୀ ଅପେକ୍ଷା କରି ରହିଥିଲେ ମଧ୍ୟ ମିଲର୍ସ ଆସୁନାହାଁନ୍ତି । ଗତକାଲି ସମାନ୍ୟ ବର୍ଷା ହୋଇଥିଲା । ଫଳରେ କିଛି ଧାନ ବସ୍ତା ଭିଜି ମଧ୍ୟ ଯାଇଛି । ଦୀର୍ଘ ଦିନ ପର୍ଯ୍ୟନ୍ତ ନିଜର ଉତ୍ପାଦିତ ଫସଲକୁ ଧରି ଅପେକ୍ଷା କରି ରହିଛନ୍ତି ଶଙ୍କର ଗାଁ ଚାଷୀ । 

fallback

ଚାଷୀଙ୍କ କହିବା କଥା ହେଲା, ଧାନ କିଣିରେ ଅବ୍ୟବସ୍ଥା ନେଇ ସେମାନେ ପୂର୍ବରୁ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ହେଲେ ପ୍ରଶାସନିକ ସ୍ତରରେ ଏହାର କୌଣସି ସମାଧାନ କରାଯାଉନାହିଁ । ଅନ୍ୟ ପଟେ ଆଗକୁ ମୌସୁମୀ ଆସୁଛି । ଯଦି ଧାନ କିଣା ନ ଯାଏ, ତେବେ ନଷ୍ଠ ହୋଇଯିବ । ତେବେ ତୁରନ୍ତ ଧାନ କିଣିବାକୁ ଦାବି କରିଛନ୍ତି ଚାଷୀ । ଯଦି ଏହା ଉପରେ ଗୁରୁତ୍ୱ ଦିଆନଯାଏ, ତେବେ ଆଗକୁ ଆନ୍ଦୋଳନ କରିବୁ ବୋଲି ଧମକ ଦେଇଛନ୍ତି । 

fallback

ଏଠାରେ ପ୍ରଶ୍ନ ଉଠୁଛି, ଧାନ କିଣାରେ ଅବ୍ୟବସ୍ଥା ନେଇ ସୁବର୍ଣ୍ଣପୁର ଖାଦ୍ୟ ଯୋଗାଣ ଅଧିକାରୀ ଆଗରୁ ଅବଗତ ଅଛନ୍ତି ତ ? ଯଦି ହଁ, ତେବେ କାହିଁକି ଏହାର ସମାଧାନ କରୁନାହାଁନ୍ତି ? ହୀରାକୁଦ କେନାଲ ପାଣି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକକୁ ମାଡ଼ିଥାଏ । ଫଳରେ ରବି ଚାଷ କରି ସୁବର୍ଣ୍ଣପୁର ଧାନ ଉତ୍ପାଦନରେ ଏକ ଅଗ୍ରଣୀ ଜିଲ୍ଲା ହୋଇପାରିଛି । ହେଲେ ଯଦି ଧାନ କିଣାରେ ଏପରି ଅବ୍ୟବସ୍ଥା ହେବ, ତେବେ ଚାଷୀଙ୍କ ମନୋବଳ ଆଗକୁ କେଉଁ ମୋଡ଼ ନେବ ? ଯଦି ଶଙ୍କରା ମଣ୍ଡିରେ ଅବ୍ୟବସ୍ଥା ଘଟଣା ସତ, ତେବେ ଏଥିପାଇଁ ଦାୟୀ କିଏ ? କୋରୋନା ସଙ୍କଟ ସମୟରେ କାହିଁକି ଅନ୍ନଦାତାଙ୍କୁ ରାଜରାସ୍ଥାକୁ ଓହ୍ଲାଇବାକୁ ପଡ଼ୁଛି ? ଯଦି ବର୍ଷା ହୋଇ ମଣ୍ଡିରେ ପଡ଼ିରହିଥିବା ଧାନ ନଷ୍ଠ ହୋଇଯାଏ, ଏହାର କ୍ଷତିପୂରଣ ଚାଷୀଙ୍କୁ ଦେବ କିଏ ?