)
ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଟି ଟ୍ବେଣ୍ଟି ମ୍ୟାଚ୍ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଡେଭିଡ୍ ମିଲରଙ୍କ ସମେତ ୫ଜଣ ଖେଳାଳି । ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଛି । ଆସନ୍ତାକାଲି କିଛି ଭାରତୀୟ ଖେଳାଳି ପହଞ୍ଚିବା ନେଇ ସୂଚନା ରହିଛି ।
ଅନ୍ୟପଟେ, ବାରବାଟୀ ମ୍ୟାଚ ଦେଖିବାକୁ ଟିକେଟ୍ ପାଇଁ ଆଜି ଷ୍ଟାଡିୟମ ପରିସରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ରାତି ତମାମ ଲାଇନ୍ ଦେଇଥିଲେ କ୍ରିକ୍ରେଟପ୍ରେମୀ । ପିଲାଠୁ ବୟସ୍କଙ୍କ ସମେତ ମହିଳାମାନେ ମଧ୍ୟ ଲାଇନରେ ରହି ଟିକେଟ୍ କାଟିଛନ୍ତି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ପଦକ୍ଷପ ଗ୍ରହଣ କରାଯାଇଥିଲା ।
ଆପଣଙ୍କୁ କହିରଖୁଛୁ ଯେ, ଡିସେମ୍ୱର ୯ ତାରିଖ ମଙ୍ଗଳବାର ଦିନ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ ମ୍ୟାଚ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳି, ଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି । ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାରେ ରହିବେ ସୁରକ୍ଷାବାହିନୀ । ସେମଧ୍ୟରେ ୯ ଜଣ ଅତିରିକ୍ତ ଏସପି, ୪୦ ଡିଏସପି, ୬୫ ଇନ୍ସପେକ୍ଟର, ୩୨୫ ଏସଆଇ, ୩୮ ହାବିଲଦାର/କନଷ୍ଟେବଳ, ୨୦୮ ଏପିଆର କନଷ୍ଟେବଳ, ୭୩ ମହିଳା କନଷ୍ଟେବଳ, ୧ ୟୁନିଟ ଓଡ୍ରାଫ, ୨ ୟୁନିଟ ଏସଟିୟୁ ଏବଂ ୭୦ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯିବ। ବାରବାଟୀ ଷ୍ଟାଡିୟମ ଓ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନାରେ ଏହି ସୁରକ୍ଷାକର୍ମୀମାନେ ମୁତୟନ ହେବେ ।