)
South Africa vs India 2nd ODI: ବୁଧବାର ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ ୪ ୱିକେଟ୍ରେ ପରାସ୍ତ କରିଛି। ଏହା ସହ ଦକ୍ଷିଣ ଆଫ୍ରିକାର ବିଦେଶ ମାଟିରେ ସର୍ବାଧିକ ରନ୍ ପିଛା କରିବାର ରେକର୍ଡ ସୃଷ୍ଟି କରିଛି। ଭାରତ ଦକ୍ଷିଣ ଆଫ୍ରିକା ପାଇଁ ୩୫୯ ରନ୍ର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪ ଟି ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା। ଦକ୍ଷିଣ ଆଫ୍ରିକା ୪୯.୨ ଓଭରରେ ୬ ୱିକେଟ୍ ହରାଇ ୩୬୨ ରନ୍ କରିଥିଲା।
୩୫୯ ରନ୍ର ପିଛା କରିବାରେ ଦକ୍ଷିଣ ଆଫ୍ରିକାର ଆରମ୍ଭ ଖରାପ ଥିଲା। ଦଳ ୨୬ ରନ୍ରେ ଡି କକ୍ (୮)ଙ୍କୁ ହରାଇଥିଲା। ଅଧିନାୟକ ଟେମ୍ବା ବାଭୁମା ୪୮ ବଲ୍ରେ ୪୬ ରନ୍ କରି ଆଉଟ୍ ହୋଇଥିଲେ। ଡେୱାଲ୍ଡ ବ୍ରୁଇସ୍ ୩୪ ବଲ୍ରେ ୫୪ ରନ୍ କରିଥିଲେ। ଏଡେନ୍ ମାର୍କରାମ୍ ୯୮ ବଲ୍ରେ ୧୧୦ ରନ୍ କରିଥିଲେ। ମାଥ୍ୟୁସ୍ ୬୪ ବଲ୍ରେ ୬୮ ରନ୍ର ଅବଦାନ ରଖିଥିଲେ। ମାର୍କୋ ଜାନସେନ୍ ମାତ୍ର ଦୁଇଟି ରନ୍ କରିପାରିଥିଲେ।
ଟସ୍ ହାରି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ସ୍ଥିର ଆରମ୍ଭ କରିଥିଲା। ରୋହିତ ଶର୍ମା (୧୪) ଏବଂ ଯଶସ୍ୱୀ ଜୟସ୍ୱାଲ (୨୨) ପ୍ରଥମ ୱିକେଟ ପାଇଁ ୪୦ ରନ ଯୋଡିଥିଲେ। ରୋହିତ ପଞ୍ଚମ ଓଭରରେ ଆଉଟ ହୋଇଥିଲେ। ଯେତେବେଳେ କି ଯଶସ୍ୱୀ ଦଶମ ଓଭରରେ ଆଉଟ ହୋଇଥିଲେ। ବିରାଟ କୋହଲି ଏବଂ ଋତୁରାଜ ଗାୟକୱାଡ ତୃତୀୟ ୱିକେଟ ପାଇଁ ୧୯୫ ରନ ଯୋଡି ଏକ ଦୃଢ଼ ଭାଗୀଦାରି କରିଥିଲେ।
ଗାୟକୱାଡ ୮୩ ବଲ୍ ରେ ୧୨ ଚୌକା ଏବଂ ଦୁଇଟି ଛକା ସହିତ ୧୦୫ ରନ କରିଥିଲେ। ଏହା ତାଙ୍କର ପ୍ରଥମ ଏକଦିବସୀୟ ଶତକ ଥିଲା। କୋହଲି ୯୩ ବଲ୍ ରେ ୧୦୨ ରନ କରିଥିଲେ। ଯେଉଁଥିରେ ସାତଟି ଚୌକା ଏବଂ ଦୁଇଟି ଛକା ଅନ୍ତର୍ଭୁକ୍ତ। କୋହଲି ତାଙ୍କର ୫୩ତମ ଏକଦିବସୀୟ ଶତକ ଏବଂ ୮୪ତମ ଆନ୍ତର୍ଜାତୀୟ ଶତକ ହାସଲ କରିଥିଲେ।
ଏହା ପରେ ୱାଶିଂଟନ ସୁନ୍ଦର (୧) ଆଉଟ୍ ହୋଇଥିଲେ। ଏପରି ପରିସ୍ଥିତିରେ କାମଚଳା ଅଧିନାୟକ କେଏଲ ରାହୁଲ, ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ଦଳର ଦାୟିତ୍ୱ ସମ୍ଭାଳିଥିଲେ। ଦୁହେଁ ଷଷ୍ଠ ୱିକେଟ ପାଇଁ ୬୯ ରନର ଭାଗୀଦାରି କରି ଭାରତକୁ ଏକ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ରାହୁଲ ୪୩ ବଲ୍ ରୁ ୬ ଚୌକା ଏବଂ ୨ଟି ଛକା ସହ ଅପରାଜିତ ୬୬ ରନ୍ ଯୋଡ଼ିଥିଲେ। ଜାଡେଜା ୨୭ ବଲ୍ ରୁ ୨ଟି ଚୌକା ସହିତ ଅପରାଜିତ ୨୪ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ଦୁଇଟି ୱିକେଟ୍ ନେଇଥିଲେ। ଯେତେବେଳେ କି ଲୁଙ୍ଗି ଏନଗିଡି ଏବଂ ନାଣ୍ଡ୍ରେ ବର୍ଗର ପ୍ରତ୍ୟେକ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ।