)
FIFA 2026: ଫିଫା ବିଶ୍ୱକପ୍ ୨୦୨୬ର ନକ୍ଆଉଟ୍ ପର୍ଯ୍ୟାୟରେ ବେଲଜିୟମ ଦମଦାର ପ୍ରଦର୍ଶନ କରି ସହ-ଆୟୋଜକ ଆମେରିକାକୁ ୪-୧ ଗୋଲ୍ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏହି ପରାଜୟ ସହ ଆମେରିକାର ବିଶ୍ୱକପ ଅଭିଯାନ ଶେଷ ହୋଇଛି।
ବେଲଜିୟମର ବିଜୟର ନାୟକ ଥିଲେ ଚାର୍ଲ୍ସ ଡି କେଟେଲାରେ। ସେ ମ୍ୟାଚ୍ର ୯ମ ଓ ୩୩ତମ ମିନିଟରେ ଦୁଇଟି ଗୋଲ୍ କରି ଦଳକୁ ଆରମ୍ଭରୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଆମେରିକା ପକ୍ଷରୁ ମାଲିକ୍ ଟିଲମ୍ୟାନ୍ ୩୧ତମ ମିନିଟରେ ଫ୍ରି-କିକ୍ରୁ ଗୋଲ୍ କରି ସ୍କୋରକୁ ୧-୧ରେ ସମାନ କରିଥିଲେ। କିନ୍ତୁ ଆମେରିକୀୟ ସମର୍ଥକଙ୍କ ଖୁସି ମାତ୍ର ୬୧ ସେକେଣ୍ଡ ରହିଥିଲା। ଖେଳ ପୁଣି ଆରମ୍ଭ ହେବା ପରେ ବେଲଜିୟମ ତୁରନ୍ତ ଆଉ ଏକ ଗୋଲ୍ କରି ପୁଣି ଆଗରେ ରହିଛି।

ଦ୍ୱିତୀୟାର୍ଦ୍ଧର ୫୭ତମ ମିନିଟରେ ହାନ୍ସ ଭାନାକେନ୍ ଆଉ ଏକ ଗୋଲ୍ କରି ସ୍କୋରକୁ ୩-୧ କରିଥିଲେ। ପରେ ଇଞ୍ଜୁରି ଟାଇମ୍ରେ ଷ୍ଟାର୍ ଷ୍ଟ୍ରାଇକର୍ ରୋମେଲୁ ଲୁକାକୁ ଚତୁର୍ଥ ଗୋଲ୍ କରି ବେଲଜିୟମର ୪-୧ ବିଜୟକୁ ସୁନିଶ୍ଚିତ କରିଥିଲେ।
ଏହି ପରାଜୟ ପରେ ଆମେରିକାର କୋଚ୍ ମୌରିସିଓ ପୋଚେଟିନୋ ଖେଳାଳିଙ୍କ ଡିଫେନ୍ସ ଭୁଲ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ମ୍ୟାଚ୍ ସମୟରେ ସେ ରାଗରେ ବେଞ୍ଚ ସାମ୍ନାରେ ଥିବା ର୍ୟାକ୍କୁ ଗୋଇଠା ମାରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏବେ କ୍ୱାର୍ଟର ଫାଇନାଲରେ ବେଲଜିୟମର ମୁକାବିଲା ଶକ୍ତିଶାଳୀ ସ୍ପେନ୍ ସହ ହେବ। ଉଭୟ ଦଳ ଭଲ ଫର୍ମରେ ଥିବାରୁ ଏହି ମ୍ୟାଚ୍କୁ ନେଇ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।