Advertisement
Article Detail0/zeeodisha/odisha2999576

ଆରମ୍ଭ ହେଲା ଭୁବନେଶ୍ୱରରେ ୧୦ମ ଚଳଚ୍ଚିତ୍ର ସରଂକ୍ଷଣ ଓ ପୁନଃରୁଦ୍ଧାର କର୍ମଶାଳା-୨୦୨୫

Odisha News: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର କଳାଭୂମି ଠାରେ ଆୟୋଜିତ ୧୦ମ ଚଳଚ୍ଚିତ୍ର ସରଂକ୍ଷଣ ଓ ପୁନଃରୁଦ୍ଧାର କର୍ମଶାଳା-୨୦୨୫ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ଐତିହ୍ୟର ସୁରକ୍ଷା ପାଇଁ ଏହି କର୍ମଶାଳା ଏକ ଯୁଗପୋଯୋଗୀ ପଦକ୍ଷେପ ।

Film Preservation
Film Preservation

ଭୁବନେଶ୍ୱର: ଆମ ଓଡ଼ିଆ ସିନେମା ଆମ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଏଥିରେ ଅନେକ ସ୍ମୃତି ଜଡ଼ିତ ହୋଇ ରହିଛି । ଆମେ ଯେତେବେଳେ ଏହାର ସରଂକ୍ଷଣ ପାଇଁ ଉଦ୍ୟମ କରୁଛୁ ନିଶ୍ଚିତ ରୂପେ ଏହି ସ୍ମୃତି ସବୁ ଜୀବିତ ହେବ ଏବଂ ଆଗାମୀ ପିଢ଼ି ଏଥିରୁ ପ୍ରେରଣା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର କଳାଭୂମି ଠାରେ ଆୟୋଜିତ ୧୦ମ ଚଳଚ୍ଚିତ୍ର ସରଂକ୍ଷଣ ଓ ପୁନଃରୁଦ୍ଧାର କର୍ମଶାଳା-୨୦୨୫ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ଐତିହ୍ୟର ସୁରକ୍ଷା ପାଇଁ ଏହି କର୍ମଶାଳା ଏକ ଯୁଗପୋଯୋଗୀ ପଦକ୍ଷେପ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଫିଲ୍ମ ହେରିଟେଜ ଫାଉଣ୍ଡେସନ୍ ଏବଂ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଫିଲ୍ମ ଆର୍କାଇଭ୍‌’ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଭାରତୀୟ ଚଳଚ୍ଚିତ୍ର ସଂରକ୍ଷଣ ଓ ପୁନରୁଦ୍ଧାର କର୍ମଶାଳା ୨୦୨୫ର ଦଶମ ସଂସ୍କରଣ ଆୟୋଜିତ ହୋଇଛି । ଏହି କର୍ମଶାଳାରେ ଦେଶ ବିଦେଶର ନାମୀଦାମୀ ଚଳଚ୍ଚିତ୍ର ନିର୍ମାତା, ଗବେଷକ, ସଂରକ୍ଷକ ଯୋଗ ଦେଇଛନ୍ତି । ଏହି କର୍ମଶାଳା ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଉଦ୍‌ଘାଟନ ଅବସରରେ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀମତୀ ୱହିଦା ରେହମାନ ଉପସ୍ଥିତ ଥିବାବେଳେ ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ । 

ଉପସ୍ଥିତ ଚଳଚ୍ଚିତ୍ର ନିର୍ମାତା, ଗବେଷକ ଓ ସଂରକ୍ଷକଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳଚ୍ଚିତ୍ର ସଂରକ୍ଷଣ କେବଳ ଏକ ଟେକ୍ନିକାଲ୍‌ କାମ ନୁହେଁ, ଏହା ଏକ ସାଂସ୍କୃତିକ ଦାୟିତ୍ୱ । ଏହି କର୍ମଶାଳା ଆମର ଚଳଚ୍ଚିତ୍ର ନିର୍ମାତା ଓ ଚଳଚ୍ଚିତ୍ର ସହ ସମ୍ପୃକ୍ତ ସମସ୍ତଙ୍କୁ ସଶକ୍ତ କରିବା ସହିତ ଆମର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ବିଶ୍ୱସ୍ତରୀୟ ମାର୍ଗଦର୍ଶନ ପ୍ରଦାନ କରିବ । ୧୯୭୩ ମସିହାରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର କନକଲତା ଓ ୧୯୮୪ ରେ ନିର୍ମିତ ହୋଇଥିବା ମାୟାମିରିଗ ଚଳଚ୍ଚିତ୍ରର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌’କୁ ଧନ୍ୟବାଦ ଦେଇଥିଲେ ।

Add Zee News as a Preferred Source

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଚଳଚ୍ଚିତ୍ରର ପୁନରୁଦ୍ଧାର ପାଇଁ ଫିଲ୍ମ ହେରିଟେଜ ଫାଉଣ୍ଡେସନ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ଘୋଷଣା କରିଥିଲେ । ଏଥିସହିତ ଓଡ଼ିଆ ଚଳଚ୍ଚିତ୍ରର ହୃତଗୌରବ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଥିଲେ । 

କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ ଯେ, ଚଳଚ୍ଚିତ୍ର ଆମ ସାମାଜିକ ଓ ସାଂସ୍କତିକ ଜୀବନର ପ୍ରତିଛବି । ଏହାର ସଂରକ୍ଷଣ ଦ୍ୱାରା ହଜି ଯାଉଥିବା ପ୍ରତିଟି ରିଲ୍‌ରେ ଆମ ସ୍ମୃତି ଓ ସାଂସ୍କୃତିକ ଅଭିବ୍ୟକ୍ତି ଉଦ୍‌ଜୀବିତ ହୋଇ ରହିପାରିବ । 

ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ ଆଭାସୀ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଏହି ଆୟୋଜନ ପାଇଁ ଖୁସିବ୍ୟକ୍ତ କରି କହିଥିଲେ ଯେ, ଓଡ଼ିଶାର ଏକ ସମୃଦ୍ଧ ଚଳଚ୍ଚିତ୍ର ପରମ୍ପରା ରହିଛି । ଏହି ପରମ୍ପରା ୧୯୩୬ ମସିହାରୁ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ନିର୍ଦ୍ଦେଶିତ ସୀତାବିବାହ ଚଳଚ୍ଚିତ୍ରରୁ ଆରମ୍ଭ ହୋଇଛି । ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ଯାତ୍ରାରେ ନୀରଦ ମହାପାତ୍ର, ମନମୋହନ ମହାପାତ୍ର, ଘନଶ୍ୟାମ ମହାପାତ୍ର, ପ୍ରଫୁଲ୍ଲ ସେନଗୁପ୍ତ, ନିତାଇ ପାଲିତ୍‌, ପାର୍ବତୀ ଘୋଷ, ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଝରଣା ଦାସଙ୍କ ପରି କିମ୍ୱଦନ୍ତୀ ଓଡ଼ିଆ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଅବଦାନକୁ ପ୍ରଶଂସା କରିଥିଲେ । 

 ଅନ୍ୟତମ ଅତିଥି ୱହିଦା ରେହମାନ ଚଳଚ୍ଚିତ୍ର ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରି ଧନ୍ୟବାଦ ଦେଇଥିଲେ । 

ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଫିଲ୍ମ ହେରିଟେଜ ଫାଉଣ୍ଡେସନ ପକ୍ଷରୁ ରବିନ୍ ବେକରଙ୍କୁ ଆଉଟଷ୍ଟାଣ୍ଡିଙ୍ଗ ଫିଲ୍ମ ହେରିଟେଜ ପୁରସ୍କାର ଏବଂ ସଞ୍ଜୟ ପଟ୍ଟନାୟକ ଓ ସୂର୍ଯ୍ୟ ଦେଓଙ୍କୁ ଚମ୍ପିଅନ ଅଫ୍ ଫିଲ୍ମ ହେରିଟେଜ୍‌ ସମ୍ମାନରେ ସମ୍ମାନିତ କରାଯାଇଥିଲା । 

କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ତଥା ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ର, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଅଭିନେତା ପ୍ରଶାନ୍ତ ନନ୍ଦ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, କନକଲତା ଚଳଚ୍ଚିତ୍ରର ନିର୍ମାତା ଘନଶ୍ୟାମ ମହାପାତ୍ର ଏବଂ ଚଳଚ୍ଚିତ୍ର ସହ ସମ୍ପୃକ୍ତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । 

ଫିଲ୍ମ ହେରିଟେଜ ଫାଉଣ୍ଡେସନର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂ ଡୁଙ୍ଗରପୁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

About the Author