)
ଭୁବନେଶ୍ୱର: ଆମ ବସ୍ ଭଙ୍ଗାରୁଜା ଘଟଣାରେ କାଳୀବାଡ଼ି ବସ୍ତିର ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ୍ ଥାନା ପୋଲିସ୍ । ସିସିଟିଭି ଫୁଟେଜ୍ ଆଧାରରେ ଚିହ୍ନଟ ଓ ଯାଞ୍ଚ ପରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଅଶୋକ ନଗରରେ ଆମ ବସ୍କୁ ଭଙ୍ଗାରୁଜା କରିଥିଲେ ଉକ୍ତ ୨ ଅଭିଯୁକ୍ତ । ବସ୍ ଦୁର୍ଘଟଣା ପରେ ଡ୍ରାଇଭର୍ଙ୍କୁ ଧମକ ଦେବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ରହିଛି ।
ସୂଚନାଯୋଗ୍ୟ, ଗତକାଲି ଜନପଥରେ ବାଇକ୍କୁ ଧକ୍କା ଦେଇଥିଲା ଆମ ବସ୍ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଆମ ବସ୍ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା । ଦୁର୍ଘଟଣା ଘଟାଇଥିବା ଆମ ବସ୍ ଏବଂ ଅନ୍ୟ ୨ଟା ଆମ ବସ୍ ଭାଙ୍ଗିଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ପ୍ରାଣ ବିକଳରେ ଆମ ବସ୍ ଛାଡ଼ି ଦୌଡି ପଳାଇଥିଲେ ଡ୍ରାଇଭର ଏବଂ କଣ୍ଡକ୍ଟର । ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ମୃଦୁ ଲାଠିଚାଳନା କରିଥିଲା ।
ଆମ ବସ୍ ଭଙ୍ଗାରୁଜାକୁ ନେଇ ଭୁବନେଶ୍ବର ଡିସିପି ପ୍ରତିକ୍ରିୟା ଦେଇ ଗଣମାଧ୍ୟମକୁ କହିଥିଲେ ଯେ, ଏହା ଅସାମାଜିକ କାର୍ଯ୍ୟ ତେଣୁ ଏହାକୁ ଆଦୌ ବରଦାସ୍ତ କରାଯିବନାହିଁ । ଘଟଣାକୁ ଆମେ ଗୁରୁତ୍ବର ସହ ନେଇଛୁ ତେଣୁ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ଘଟଣା ହେବ, ଘରୋଇ ଗାଡ଼ି ମଧ୍ୟ ଦୁର୍ଘଟଣାର ଶିକାର ହେଉଛି । କିନ୍ତୁ ଦୁର୍ଘଟଣାକୁ ବାହାନା କରି କେହି ଏଭଳି ଭଙ୍ଗାରୁଜା କରି ପାରିବେନି ବୋଲି ଡିସିପି କହିଥିଲେ ।