)
Odisha News: ଭୁବନେଶ୍ୱର: ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରଠାରୁ ଆଜି ଯାଏଁ ୨୦ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ଏମାନେ ଲାଞ୍ଚ ନେଉଥିବା ଅବସ୍ଥାରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହି ସମୟ ମଧ୍ୟରେ ୨୭୧ ଜଣ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କୁ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଚନ୍ତି। ସେହିପରି ୩୩ ଜଣ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ୬୫ ଜଣଙ୍କର ପେନସନ ବନ୍ଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ ବାବଦରେ ପ୍ରଶ୍ନ ପଚାରିଥିଲେ। ଗଲା ଦେଢ ବର୍ଷ ଭିତରେ କେତେ ଲାଞ୍ଚୁଆ ପୋଲିସ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଏହାର ଉତ୍ତରରେ କ୍ଷମତାକୁ ଆସିବା ପରଠାରୁ ନଭେମ୍ବର ୩୦ ସୁଦ୍ଧା ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନର ଏକ ବିବରଣୀ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେଉଁ ୨୦ ଜଣ ପୋଲିସ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସେମାନଙ୍କ ଭିତରେ ସବଇନସପେକ୍ଟରଙ୍କ ସଂଖ୍ୟା ଅଧିକ ରହିଛି। ସେମାନଙ୍କ ମଧ୍ୟର ୧୫ ଜଣ ସବଇନ୍ସପେକ୍ଟର ହୋଇଥିବା ବେଳେ ଆଉ ୫ ଜଣ ହେଉଛନ୍ତି ସହକାରୀ ସବଇନ୍ସପେକ୍ଟର ପଦବୀର ଅଧିକାରୀ।