)
Odisha News: ଭୁବନେଶ୍ୱର: ପବିତ୍ର ପଞ୍ଚୁକ ସମଗ୍ର ରାଜ୍ୟ ଉତ୍ସବମୁଖର ରହିଥିବା ବେଳେ ବଡ଼ମ୍ବାରୁ ଆସିଛି ଛାତି ଥରାଇବା ଭଳି ଘଟଣା। ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ରଗଡ଼ିପଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ପାଇଖାନା ଟାଙ୍କିରେ ପଡ଼ି ୩ ଜଣ ନିରୀହ ଶିଶୁଙ୍କ ଜୀବନ ହାନୀ ଘଟିଛି। ଫଳରେ ପଞ୍ଚୁକରେ ରଗଡିପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।
ଘଟଣାରୁ ମିଳିଥିବା ସୂଚନା ଅନୁସାରେ ମାମୁଘରକୁ ବୁଲିବାକୁ ଆସିଥିବା ଦୁଇ ଭଉଣୀଙ୍କ ୩ ଜଣ ପିଲା ଏକାଠି ଖେଳୁଥିବା ବେଳେ ଏଭଳି ଅଘଟଣର ଶିକାର ହୋଇଛନ୍ତି। ମୃତ ୩ ଶିଶୁ ହେଲେ ଇଚ୍ଛାପୁର ଗ୍ରାମର ସୁଶାନ୍ତ ନାୟକଙ୍କ ପୁଅ ଶୁଭମ ନାୟକ (୩), ବଡ଼ବାରେଣା ଗ୍ରାମର ଅନୁଜ ନାୟକଙ୍କ ଝିଅ ଶିବାନୀ ନାୟକ (୭) ଓ ପୁଅ ଅଙ୍କିତ ନାୟକ (୯)। ଅର୍ଥାତ୍ ଏହି ଘଟଣାରେ ଜଣେ ଭଉଣୀଙ୍କର ଗୋଟିଏ ପୁଅ ଓ ଅନ୍ୟ ଜଣେ ଭଉଣୀଙ୍କର ଉଭୟ ପୁଅ ଓ ଝିଅ ପ୍ରାଣ ହରାଇଛନ୍ତି। ମୃତ ତିନି ଶିଶୁ ମା’ଙ୍କ ସହ କିଛି ଦିନ ପୂର୍ବରୁ ରଗଡ଼ିପଡା ଗ୍ରାମ ସ୍ଥିତ ନିଜ ନିଜ ମାମୁଙ୍କ ଘରକୁ ବୁଲିବାକୁ ଆସିଥିଲେ।
ପ୍ରତିଦିନ ଭଳି ଶିବାନୀ, ଅଙ୍କିତ ଓ ଶୁଭମ୍ ମିଳିମିଶି ଏକାଠି ଖେଳୁଥିଲେ। ଖେଳକୁଦ ଭିତରେ ସେମାନେ ପଡୋଶୀ ସୁଦର୍ଶନ ନାଏକଙ୍କ ଘରର ପଛପଟକୁ ଚାଲିଯାଇଥିଲେ। ସେଠାରେ ବିପଦଶଂକୁଳ ଅବସ୍ଥାରେ ଥିବା ଏକ ପାଇଖାନା ଟାଙ୍କି ଉପରେ ଢାଙ୍କୁଣି ଘୋଡ଼ାଇ ରଖାଯାଇଥିଲା। ତିନି ଶିଶୁ ଅଜାଣତରେ ଢାଙ୍କୁଣି ଉପରକୁ ଯିବା ବେଳେ ହଠାତ୍ ତାହା ଭୁଶୁଡ଼ି ପଡ଼ିଥିଲା। ତିନିଜଣ ଯାକ ତା’ ଭିତରକୁ ଖସି ପଡ଼ିଥିଲେ।
ବହୁତ ସମୟ ଧରି ପିଲାଙ୍କ ପାଟିତୁଣ୍ଡ ନଶୁଣିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ସେମାନଙ୍କର କିଛି ପତ୍ତା ମିଳିନଥିଲା । ମୃତ ଶିବାନୀଙ୍କ ଅଜା ଲକ୍ଷ୍ମୀଧର ନାଏକ ପଡୋଶୀ ସୁଦର୍ଶନଙ୍କ ବାରିପଟକୁ ଯିବାରୁ ସଠାରେ ଥିବା ପାଇଖାନା ଟାଙ୍କି ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ପାଇଥିଲେ।
ତୁରନ୍ତ ସେ ଟାଙ୍କି ଭିତରେ ପଶି ତିନି ଶିଶୁଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ପାଖାପାଖ ଦୁଇ ଘଣ୍ଟା ଧରି ଧରି ଶିଶୁମାନେ ଟାଙ୍କି ଭିତରେ ଯାଇଥିବାରୁ ଶ୍ବାସରୁଦ୍ଧ ହୋଇ ସେତେବେଳକୁ ସେମାନ ମାନଙ୍କ ମୃତ୍ୟୁ ହୋଇସାରିଥିଲା। ଏଭଳି ଅଘଟଣ ରଗଡ଼ି ଗାଁକୁ ସ୍ତବ୍ଧ କରିଦେଇଥିଲା। ତଥାପି ଉଦ୍ଧାର ହୋଇଥିବା ତିନି ଶିଶୁଙ୍କୁ ବଡ଼ମ୍ବା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତିନି ଶିଶୁଙ୍କ ମୃତ ଘେ ଘୋଷଣା କରିଥିଲେ।