)
ଭୁବନେଶ୍ୱର: ରାଜ୍ୟରେ ବେଆଇନ ଭାବେ ୩୭୪ ମଦ ଦୋକାନ ରହିଛି। ଏଗୁଡ଼ିକ ବିଭିନ୍ନ ସ୍କୁଲ ଓ ମନ୍ଦିର ପାଖରେ ରହି ଲୋକଙ୍କ ଧାର୍ମିକ ଆସ୍ଥା ଓ ପିଲାଙ୍କ ଉପରେ ପ୍ରଭାବ ପକାଉଛି। ଏଗୁଡ଼ିକୁ ବନ୍ଦ କରିବା ଲାଗି ସରକାର କ୍ଷମତାପନ୍ନ ଥିଲେ ବି ତାହା ହୋଇପାରୁ ନାହିଁ। କିନ୍ତୁ ରାଜ୍ୟ ସରକାର ପୁଣିଥରେ ଦିନେ ବୋଆଇନ ବୋଲି ଅଭିହିତ ହୋଇ ବନ୍ଦ କରାଇଥିବା ମଦ ଦୋକାନକୁ ଖୋଲିବାକୁ ଯାଉଛନ୍ତି। ଏ ବିଷୟରେ ବିଧାନସଭାକୁ ସୂଚନା ଦେଇଛନ୍ତି ଖୋଦ୍ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ରାଜ୍ୟରେ କୌଣସି ସ୍କୁଲ୍ ଓ ମନ୍ଦିରର ୫୦୦ ମିଟର ପରିଧି ଭିତରେ ମଦ ଦୋକାନ ଖୋଲାଯାଇପାରିବ ନାହିଁ ବୋଲି ୨୦୧୭ ମସିହାରେ ନିୟମ ରହିଥିଲା। ଅଦାଲତଙ୍କ ନିର୍ଦ୍ଦେଶକୁ କାର୍ଯ୍ୟ କରିବାକୁ ଯାଇ ଏପରି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ନିଜ ନିୟମକୁ ନିଜେ ଅଣ ଦେଖା କରି ବେଆଇନ ମଦ ଦୋକାନକୁ ଚାଲିବା ପାଇଁ ଅନୁମତି ଦେଇଛନ୍ତି।
ମନ୍ତ୍ରୀ ହରିଚନ୍ଦନଙ୍କ ହିସାବ ଅନୁସାରେ ରାଜ୍ୟରେ ଏବେ ୩୭୪ଟି ମଦ ଦୋକାନ ସୁଲଲ ଓ ଧାର୍ମିକ ଅନୁଷ୍ଠାନ ପାଖରେ ରହିଛି। ଏଗୁଡିକ ବିରୋଧରେ ୨୩୭ ମାମଲା ସରକାରଙ୍କ ହସ୍ତଗତ ହୋଇଛି। ଏହା ବାଦ୍ ଆହୁରି ୩୩ଟି ଆବେଦନକୁ ବିଚାର କରି ୮ଟିକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ମନ୍ତ୍ରୀ।
ଅପରପକ୍ଷେ ରାଜ୍ୟ ସରକାର ବନ୍ କରାଯାଇଥିବା ୭୦ଟି ମଦ ଦୋକାନକୁ ପୁଣିଥରେ କାର୍ଯ୍ୟକାରୀ କରିବା ପାଇଁ ଅନୁମତି ପ୍ରଦାନ କରିଥିବା କହିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ। ଏହା ସହ ରାଜ୍ୟରେ ଆହୁରି ୪ଟି ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ଲାଗି ସରକାର ପ୍ରସ୍ତାବ ରଖିଥିବା କହିଛନ୍ତି ମନ୍ତ୍ରୀ।
ନିର୍ବାଚନ ସମୟରେ ବିଜେପି ପକ୍ଷରୁ ରାଜ୍ୟରେ ମଦ କାରବାର ବନ୍ଦ କରିବା ତଥା ଗୁଜରାଟ ଭଳି ମଦମୁକ୍ତ ରାଜ୍ୟରେ ପରିଣତ କରିବା ଉପରେ ବିଜେପି ଗୁରୁତ୍ୱାରୋପ କରିଥିଲା।
ଖୋଲାଯିବାକୁ ଥିବା ୭୦ ମଦ ଦୋକାନ ଭିତରେ ବଲାଙ୍ଗୀରରେ ୨ଟି, ବାଲେଶ୍ୱରରେ ୧୭, ବ୍ରହ୍ମପୁରରେ ୪, କଟକରେ ୭, ଗଞ୍ଜାମରେ ୧୦, କନ୍ଧମାଳରେ ୩ଟି, କେନ୍ଦୁଝରରେ ୩ଟି, ମାଲକାନଗିରିରେ ୧, ମୟୁରଭଞ୍ଜରେ ୮, ନୟାଗଡ଼ରେ ୯, ରାଉରକେଲାରେ ୫, ଏବଂ ସମ୍ବଲପୁରରେ ଗୋଟିଏ ମଦ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।