)
Odisha News: ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲରେ ଅନେକ ସମୟରେ ଅଧିକ କଏଦୀ ରହିବା ଏବଂ ସେମାନଙ୍କ ଭିତରେ ବିଶୃଙ୍ଖଳିତ ଆଚରଣକୁ ନେଇ ଚର୍ଚ୍ଚା ହୋଇଛି। କିନ୍ତୁ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ ୮୫ ପ୍ରତିଶତ ଜେଲ ଖାଲି ପଡିଛି। ଜେଲ ଗୁଡିକର ଯେତିକି କଏଦୀ ଧାରଣ କ୍ଷମତା ରହିଛି ତାହାର ମାତ୍ର ୧୬ ପ୍ରତିଶତ ପୁରଣ ହୋଇଛି।
ରାଜ୍ୟର ଅପରାଧିଙ୍କୁ ଦଣ୍ଡ ଦେବା ଲାଗି ରାଜ୍ୟରେ ସମୁଦାୟ ୮୬ଟି ଜେଲ ନିର୍ମାଣ କରାଯାଇଛି। ସେଗୁଡିକରେ ସମୁଦାୟ କ୍ଷମତା ରହିଛି ୨୪୧୮୯। କିନ୍ତୁ ରାଜ୍ୟ ସରକାରଙ୍କର ସବିଶେଷ ତଥ୍ୟ ଅନୁସାରେ ଏହି ୮୬ଟି ଜେଲରେ ମାତ୍ର ୪୦୪୮ ଜଣ କଏଦୀ ରହିଛନ୍ତି। ଅର୍ଥାତ ପାଖାପାଖି ୮୪ ପ୍ରତିଶତ ଖାଲି ପଡିଛି। ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଜେଲ ଭାବରେ ଭୁବନେଶ୍ୱରର ଝାରପଡ଼ା ଜେଲ ପରିଚିତ। ଏହି ଜେଲରେ ସମୁଦାୟ ୯୯୧ ଜଣ କଏଦୀଙ୍କୁ ଧାରଣ କରିବାର କ୍ଷମତା ରହିଛି। ଡିସେମ୍ବର ୪ ତାରିଖ ସୁଦ୍ଧା ଏହି ଜେଲରେ ମାତ୍ର ୧୨୮ ଜଣ କଏଦୀ ରହିଛନ୍ତି। ଏହି ପରି ସବୁଠାରୁ ଅଧିକ କ୍ଷମତା ଥିବା ଜେଲ ହେଉଛି କଟକର ଚୌଦ୍ୱାର ଜେଲ। ଏହି ଜେଲରେ ୧୧୬୬ ଜଣ କଏଦୀଙ୍କୁ ଧାରଣ କରିବାର କ୍ଷମତା ରହିଛି। ଏବେ ସମୁଦାୟ ୨୫୯ ଜଣ କଏଦୀ ଏଠାରେ ରହିଛନ୍ତି। ଅପରପକ୍ଷେ ଆଠଗଡ଼ରେ ଥିବା ଆଦର୍ଶ ସ୍ୱତନ୍ତ୍ର ଜେଲରେ ୫୦୦ ରହିବାର କ୍ଷମତା ଥିବା ବେଳେ ଏବେ ସେଠାରେ ୨୧୧ ଜଣ କଏଦୀ ରହିଛନ୍ତି।
ସବୁଠାରୁ ଆଚମ୍ବିତ କଥା ହେଲା ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସବଜେଲରେ ଏବେ କୌଣସି କଏଦୀ ନାହାନ୍ତି। ଏଠାରେ ମୋଟ ୭୬ ଜଣ କଏଦୀଙ୍କୁ ଧାରଣ କରିବାର କ୍ଷମତା ରହିଛି। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସବଜେଲରେ ଜଣେ ମାତ୍ର କଏଦୀ ରହିଛନ୍ତି। ଏଠାରେ ସମୁଦାୟ କ୍ଷମତା ହେଉଛି ୨୦୬। ସେହିପରି କଟକ ଜିଲ୍ଲାର ବଡ଼ମ୍ବା ସବଜେଲ ମାତ୍ର ୨ ଜଣ କଏଦୀ ଥିବା ବେଳେ ଜଗତସିଂହପୁରର କୁଜଙ୍ଗ ଉପକାରାଗାର ଏବଂ ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପକାରାଗାରରେ ୩ ଜଣ ଲେଖାଏଁ କଏଦୀ ରହିଛନ୍ତି। ୩୦ଟି ଜିଲ୍ଲାରେ ଥିବା ୮୬ଟି ଜେଲ ମଧ୍ୟରୁ ୧୯ଟି ଜେଲରେ ୧୦ କିମ୍ବା ତା'ଠାରୁ କମ କଏଦୀ ରହିଛନ୍ତି।