ରାୟଗଡା: (ପ୍ରେମାନନ୍ଦ ପୂଜାରୀ) ପୁଲିସ ଖାକିରେ ଲାଗିଲା ଦାଗ, ପୁଲିସର ଭୟ ଦେଖାଇ ଲୁଟିନେଲେ ୯ ଲକ୍ଷ ଟଙ୍କା। ଜଣେ ବ୍ୟବସାୟୀଙ୍କ ଠାରୁ ଜୋର ଜୋବରଦସ୍ତି ସହ ପୁଲିସର ଭୟ ଦେଖାଇ ୯ ଲକ୍ଷ ଟଙ୍କା ଲୁଟ କରିଥିବା ଘଟଣାରେ ୩ ଜଣ ଗୃହରକ୍ଷୀ ଙ୍କ ସମତେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାୟଗଡା ପୁଲିସ। ଲୁଟ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବିଷମକଟକ ଥାନାର ତିନି ଜଣ ଗୃହରକ୍ଷୀ ଇନ୍ଦ୍ରମଣି କରକରିଆ, କଲ୍ୟାଣସିଂହପର ଥାନାର ତାମନା ପ୍ରାସ୍କା ଓ ଦିଲୀପ ଗରଡିଆ ଓ ଅନ୍ୟ ଅଭିଯୁକ୍ତମାନେ ହେଲେ ହୀରା ନାୟକ ଗରଡିଆ, ସିମାଞ୍ଚଳ ମାଝି, ରାଧୀକା ହାଲୱା ଓରଫ ସୁନୀତା ଓ ମୁକେଶ ନାଗ। ଏହି ଲୁଟ ଘଟଣାରେ ୯ ଜଣ ସଂପୃକ୍ତ ଥିବା ରାୟଗଡା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡା ପୁଲିସ ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ନଗଦ ୨ଲକ୍ଷ ୮୩ ହଜାର ଟଙ୍କା, ବେଲେରୋ ଗାଡି, ମଟର ସାଇକଲ, ୬ଟି ମୋବାଇଲ ଫୋନ ଜବତ କରିଥିବା ବେଳେ ରାୟଗଡା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରୀକ୍ତ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ ଧର ଏ ନେଇ ଘଟଣାର ଖୁଲାସା କରିଛନ୍ତି।
ସୂଚନା ଅନୁଯାୟୀ ସୋମବାର ଗଜପତି ଜିଲ୍ଲା ଗାରାବନ୍ଧ ଅଞ୍ଚଳରଟି ଉମା ରେଡି ନାମକ ଜଣେ ବ୍ୟବସାୟୀ ଓ ତାଙ୍କର ୨ ବନ୍ଧୁ ଡ୍ରାଇଭର ସହ ଜୟପୁରରୁ ରାୟଗଡା ଆସୁଥିଲେ। ରାସ୍ତାରେ ରାୟଗଡା ଜିଲ୍ଲା ରାଫକୋଣା ଛକରେ ରାଧିକା ହାଲୱା ଓରଫ ସୁନୀତା ତାଙ୍କୁ ଲେବର (ଶ୍ରମିକ) ଯୋଗାଇଦେବା ନାମରେ ତାଙ୍କ ସହ କଥାବର୍ତ୍ତା ହେଲା ସମୟରେ ୭ଜଣ ଲୋକ ଗୋଟିଏ ବୋଲେରୋ ଗାଡିରେ ଆସିଥିଲେ। ଯେଉଁଥିରେ ପୁଲିସ ପୋଷାକରେ ଥିବା କିଛି ବ୍ୟକ୍ତି ଓ ଅନ୍ୟମାନେ ବ୍ୟବସାୟିଙ୍କୁ କାହିଁକି ଏଠାକୁ ଆସିଛ, ତୁମ ଆସିବା ଉଦେଶ୍ୟ କଣ ବୋଲି କହିବା ସହ ଚାଲ ଏସ.ପି ଙ୍କୁ ଭେଟିବ ବୋଲି କହିଥିଲେ। ମହିଳା ସୁନୀତା ବ୍ୟବସାୟି ଉମା ରେଡିଙ୍କୁ ଅଭିଯୁକ୍ତ ଆଣିଥିବା ବୋଲେରୋରେ ବସାଇଥିଲେ। କିଛି ବାଟ ଯିବା ପରେ ସୁନୀତାଙ୍କୁ ରାସ୍ତାରେ ଗାଡିରୁ ଓହ୍ଲାଇଦେଇଥିଲେ।
ଅନ୍ୟମାନେ ବ୍ୟବସାୟି ଉମା ରେଡିଙ୍କୁ ପୁଲିସର ଭୟ ଦେଖାଇ ତାଙ୍କ ପାଖରେ ଥିବା ୯ଲକ୍ଷ ଟଙ୍କା ମାଗିଥିଲେ। ପରେ ବ୍ୟବସାୟିଙ୍କୁ ମାରପିଟ କରିବା ସହ ତାଙ୍କ ପାଖରେ ଥିବା ଟଙ୍କାକୁ ସେମାନେ ଲୁଟିନେଇ କିଛି ବାଟ ଆଗକୁ ଯାଇ ବ୍ୟବସାୟୀଙ୍କୁ ରାସ୍ତାରେ ଓହ୍ଲାଇ ଦେଇଥିଲେ। ଏହି ଘଟଣା ପରେ ବ୍ୟବସାୟି ଉମା ରେଡି ୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ରାୟଗଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରାୟଗଡା ପୁଲିସ ଏହି ଘଟଣାର ତଦନ୍ତ କରି ୭ ଜଣଙ୍କୁ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଳଣ କରାଯାଇଥିବା ପୁଲିସ ପ୍ରକାଶ କରିଛି।