Trending Photos
)
Chief Minister Mohan Charan Majhi:ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାରମ୍ବାର ତୃଣମୂଳର ଅଧିକାରୀଙ୍କ ପ୍ରତି ନିଜ ଅସହାୟତା ପ୍ରକାଶ କରିଛନ୍ତି। ପ୍ରଥମେ ୨୭ ସେପ୍ଟେମ୍ବରରେ ଜିଲ୍ଲାପାଳ ସମ୍ମିଳନୀରେ ଏପରି ଅସହାୟତା ବର୍ଣ୍ଣନା କରି ଅଧିକାରୀଙ୍କୁ ସତର୍କ ହେବାକୁ ପରାମର୍ଶ ଦେଇଥିଲେ। ଆଉ ଗତକାଲି ବିଡିଓମାନଙ୍କ ଆଚରଣରେ ଅତ୍ୟନ୍ତ ଖପ୍ପା ହୋଇଛନ୍ତି। ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କ’ଣ ଏହି ଅଧିକାରୀଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁ ନାହନ୍ତି? ରାଜ୍ୟର ମୁଖ୍ୟ ସଚିବ କ’ଣ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛନ୍ତି? ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଲେଖୁଥିବା ବ୍ୟକ୍ତି କ’ଣ ଏତେ ଅପରିପକ୍ୱ? ନା ରାଜ୍ୟ ବିଜେପିରେ ଚାଲିଥିବା କନ୍ଦଳକୁ ସାମ୍ନାକୁ ଆଣିବା ପାଇଁ ଅଭିଜ୍ଞ ରାଜନେତାଙ୍କର ଏହା ଏକ ‘ସରଳ ମୁଭ୍’।
ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋହନ ଚରଣ ମାଝି। ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଏହି ନେତାଙ୍କ ପାଖଣେ ୨୭ ବର୍ଷର ରାଜନୀତିକ ଅଭିଜ୍ଞତା ରହିଛି। ତାହା ପୁଣି ସରପଞ୍ଚ ସ୍ତରରୁ ଆରମ୍ଭ। ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀ ଏତେ ତଳସ୍ତରରୁ ଆସି ନାହାନ୍ତି। ଏଣୁ ବିଜେପିର କେନ୍ଦ୍ରୀୟ ନେତାମାନେ ତାଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ବ୍ରାଣ୍ଡିଂ କରିବାକୁ ଚାହିଁଛନ୍ତି। ହେଲେ ଯେଉଁଭଳି ଭାବେ ଅଧିକାରୀ ଓ ସାଧାରଣରେ ମୁଖ୍ୟମନ୍ତ୍ରୀ ଲିଖିତ ଭାଷଣ ପଢ଼ୁଛନ୍ତି ତାହା ଏହି ଉଦ୍ୟମକୁ ଭଣ୍ଡୁର କରୁଛି।
ଗୁରୁବାର ଦିନ ଏହା ଆହୁରି ସ୍ପଷ୍ଟ ହୋଇଛି ଯେତେବଳେ ମୁଖ୍ୟମନ୍ତ୍ରୀ ବିଡିଓଙ୍କ ସମ୍ମିଳନୀରେ ନିଜର ଅସହାୟତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତୃଣମୂଳ ସ୍ତରର ବିଡିଓମାନେ ଲୋକପ୍ରତିନିଧି ତଥା ବିଧାୟକମାନଙ୍କୁ ଉଚିତ ବ୍ୟବହାର କରୁନାହାନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ବେଖାତିର କରୁଛନ୍ତି। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଆସିଲେ ସ୍କ୍ରିନ୍କୁ ବନ୍ଦ କରି ଲୋକଙ୍କୁ ଚାଲିଯିବାକୁ କିଛି ବିଡିଓ କହୁଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଉଦ୍ବେଗ ଓ ଦୁର୍ଭାଗ୍ୟର ବିଷୟ ନିଶ୍ଚିତ ଭାବେ।
ସମ୍ବିଧାନ ଅନୁସାରେ ରାଜ୍ୟ ଶାସନର ମୁଖ୍ୟ ହେଉଛନ୍ତୁ ମୁଖ୍ୟମନ୍ତ୍ରୀ। ଅଧିକାରୀ ଓ ସମ୍ପୂର୍ଣ୍ଣ ଶାସନକଳକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ତାଙ୍କର। ହେଲେ ତାଙ୍କର ଅସହାୟତା ସ୍ପଷ୍ଟ କରୁଛି ଯେ ରାଜ୍ୟର ଅମଲାତନ୍ତ୍ର ରାଜନୀତିକ ପ୍ରତିନିଧିଙ୍କଠାରୁ ଉର୍ଦ୍ଧ୍ୱରେ ରହିଛି। ଯେଉଁ ବିଷୟକୁ ନେଇ ନବୀନ ପଟ୍ଟନାୟକଙଘ୍କ ସରକାରରେ ତମ୍ବୀତୋଫୋନ ହେଉଥିଲା ତାହାର ପୁନରାବୃତ୍ତି ହେଉଛି। ଫରକ ଏତିକି ଯେ, ନବୀନଙ୍କ ସମୟରେ ବାବୁରାଜ ସଚିବାଳୟରେ ରହୁଥିଲା ହେଲେ ଏବେ ତୃଣମୂଳ ସ୍ତରରେ ପହଞ୍ଚିଛି।
କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ? ଯେଉଁ ପ୍ରସଙ୍ଗ ସଚିବାଳୟର ଚାରିକାନ୍ଥ ଭିତରେ ରହନ୍ତା ତାହା କାହିଁକି ପଦାରେ ପଡ଼ୁଛି? ମୁଖ୍ୟମନ୍ତ୍ରୀ ଅଫିସରଙ୍କ ପ୍ରତି ଦୟାଳୁ ହେଉଛନ୍ତି ନା ନିୟମ ଲଢ଼େଇରେ ପଛରେ ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର? ନା ରାଜନୀତିକ ଖେଳ ଖେଳୁଛନ୍ତି ଏହି ତୃଣମୂଳର ନେତା?
ରାଜ୍ୟର ବିଭିନ୍ନ ଅଫିସରଙ୍କ ଶାସନକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ବ୍ୟବସ୍ଥା ସହ ଏକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବି ରହିଛି। ଏହି କାର୍ଯ୍ୟାଳୟକୁ ମୁଖ୍ୟ ଶାସନ ସଚିବଙ୍କଠାରୁ ବି କ୍ଷମତାଶାଳୀ ଭାବେ ଗ୍ରହଣ କରାଯାଇଥାଏ। ସରକାରଙ୍କ ନୀତି କିପରି ଲୋକଙ୍କ ପାଖରେ ପହଞ୍ଚୁଛି ତାହାକୁ ତଦାରଖ କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ସର୍ବୋଚ୍ଚ ନେତା ଭାବେ ଗଢ଼ି ତୋଳିବା ଲାଗି ଏହି କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୂର୍ବ ସରକାର ସମୟରେ ଭିକେ ପାଣ୍ଡିଆନ୍ ଏହାର ସର୍ବେସର୍ବା ଥିଲେ। ସେ ଅଧିକାରୀମାନଙ୍କୁ ଦିଗଦର୍ଶନ ଦେଉଥିଲେ। ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି କଥାକୁ ଅଧିକାରୀ ଶୁଣିବାକୁ ବାଧ୍ୟ ହେଉଥିଲେ। କିନ୍ତୁ ତାଙ୍କର ଅତିରିକ୍ତ ପ୍ରଭାବ ସମ୍ପୃକ୍ତ ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ ବି ପାଟିଚୂପ କରି ବସିବାକୁ ବାଧ୍ୟ କରାଉଥିଲା। ଏହା ଏକ ପ୍ରକାର ଦମନଲୀଳା ଥିଲା। ନୂଆ ଶାସନରେ ଆଉ ‘ସେକାଳ ପଖାଳ’ର ପୁନରାବୃତ୍ତି ନକରି ଜନ ପ୍ରତିନିଧିଙ୍କୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। କିନ୍ତୁ ବର୍ଷେ ଭିତରେ ଫଳ ଫଳିଛି ଓଲଟା। ବିଡିଓ ସମ୍ମିଳନୀରେ ଗୁରୁବାରଦିନ ମୁଖ୍ୟମନ୍ତ୍ରୀ ଦେଇଥିବା ଭାଷଣରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ସେ କେତେ ହତାଶା ଓ ନିରାଶାରେ ରହିଛନ୍ତି ତାହା ପ୍ରସ୍ଫୁଟିତ ହେଉଛି।
ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ଏପରି ଅସହାୟତାକୁ ଅଧିକାରୀମାନେ ଖୁନ୍ଦିଛନ୍ତି ନା ଜାଣିଶୁଣି ମୁଖ୍ୟମନ୍ତ୍ରୀ ଏ କଥାକୁ ପ୍ରକାଶ କରିବାକୁ ଚାହୁଁଛନ୍ତି। ଏବାବଦରେ କେନ୍ଦ୍ରୀୟ ନେତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛନ୍ତି କି ମୁଖ୍ୟମନ୍ତ୍ରୀ। ଦଳୀୟ କନ୍ଦଳଯୋଗୁ ଅଧିକାରୀମାନେ ଅନିୟନ୍ତ୍ରିତ ହୋଇଛନ୍ତି କି? ମୁଖ୍ୟମନ୍ତ୍ରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି କି? ଏପରି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହେଉଛି।