)
Lingaraj Temple: ଭୁବନେଶ୍ୱର: ବିବାଦର ଗୋଟିଏ ଦିନ ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଗୁରୁବାର ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି। କିଛି ସମୟ ଭିତରେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା ଦେଇଛନ୍ତି। ପ୍ରଶାସନିକ ବ୍ୟବସ୍ଥା ଏବଂ ସେବାୟତଙ୍କର ମଧ୍ୟରେ ଉପଯୁକ୍ତ ସମନ୍ବୟ ରହୁ ନଥିବାରୁ ଏହିଭଳି ଅଭାବନୀୟ ଘଟଣା ପୁଣି ଥରେ ଉପୁଜିଥିବା ନେଇ ସୂଚନା ରହିଛି।
ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ବୁଧବାର ପୁଣି ଥରେ ଉପବାସରେ ରହିଥିଲେ। ପ୍ରଶାସନିକ ବ୍ୟବସ୍ଥା ଏବଂ ସେବାୟତଙ୍କର ମଧ୍ୟରେ ଉପଯୁକ୍ତ ସମନ୍ବୟ ରହୁ ନଥିବାରୁ ଏହିଭଳି ଅଭାବନୀୟ ଘଟଣା ପୁଣି ଥରେ ଉପୁଜିଥିଲା। ପବିତ୍ର କାର୍ତ୍ତିକ ମାସରେ ଏଭଳି ଅପ୍ରୀତିକର ଘଟଣାକୁ ଭକ୍ତମାନେ ତୀବ୍ର ନିନ୍ଦା କରିଥିଲେ। ସେପଟେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ନୀତିକାନ୍ତିକୁ ବୁଧବାର ପାଳି ଥିବା ସମର୍ଥା ନିଯୋଗ ସେବାୟତମାନେ ବନ୍ଦ କରିଥିଲେ। ବୁଧବାର ସକାଳୁ ସାହାଣ ମେଲା, ସୂର୍ଯ୍ୟପୂଜା ପରେ ଦ୍ଵାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ ରହିଥିଲା। ଫଳରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଖାଡ଼ା ଉପାସରେ ରହିବାକୁ ପଡ଼ିଥିଲା। ମହାପ୍ରଭୁଙ୍କ ଠାରେ ଭୋଗ ଲାଗି ହୋଇ ନଥିବାରୁ ହଜାର ହଜାର ହବିଶ୍ୟାଳି ଧର୍ମମାସରେ ପ୍ରସାଦ ପାଇପାରି ନଥିଲେ। ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷପ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଥିଲା।
ଏଠାରେ କହି ରଖୁ କି ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶିବ ପବିତ୍ରାରୋପଣ ନୀତି ବନ୍ଦ ହୋଇଯାଇଥିଲା। ଫଳରେ ପ୍ରଭୁଙ୍କୁ ପଇତାଲାଗି ହୋଇପାରି ନଥିଲା। ରକ୍ଷାବନ୍ଧନ ପର୍ବରେ ସାଧାରଣ ଲୋକେ ପଇତା ପିନ୍ଧନ୍ତି, ଅଥଚ ପ୍ରଭୁ ଶ୍ରୀଲିଙ୍ଗରାଜ ପଇତା ପିନ୍ଧିପାରି ନଥିଲେ। ପ୍ରାୟ ୫ବର୍ଷ ହେଲା ଲାଗି ରହିଥିବା ସେବାୟତଙ୍କ ବିବାଦର ସମାଧାନ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଥିଲା। ପ୍ରଭୁ ଲିଙ୍ଗରାଜଙ୍କ ଅନ୍ୟତମ ମୁଖ୍ୟ ନୀତି ବନ୍ଦ ହୋଇଯିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ରାଖୀ ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ପ୍ରଥା ଓ ପରମ୍ପରା ଅନୁସାରେ ଶିବ ପବିତ୍ରାରୋପଣ ନୀତି ପାଳିତ ହୋଇଥାଏ।
ଏଠାରେ କହି ରଖୁ କି ବୁଧବାର ସକାଳେ ସ୍ୱଭାବିକ ଭାବେ ଶ୍ରୀ ଲିଙ୍ଗରାଜଙ୍କ ଦୁଆରଫିଟା, ସୂର୍ଯ୍ୟପୂଜା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସମଥା ସେବାୟତ ବର୍ଗରେ ଯାହାଙ୍କ ପାଳି ଥିଲା ତାଙ୍କ ପରିବାରର କେହି ପାଳି ଖଟିବାକୁ ରହି ନଥିବାରୁ ତାଙ୍କ ଉତ୍ତରାଧିକାରୀ କିଏ ହେବେ ଏବଂ ପାଳି କିଏ ଖଟିବ ସେ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦେବାତ୍ତର ବିଭାଗ ଏ ନେଇ କୌଣସି ନୀତି ନିର୍ଦ୍ଧାରଣ କରି ନଥିବାରୁ ଏହି ବ୍ୟବସ୍ଥା ଅନିଶ୍ଚିତତା ଆଡ଼କୁ ଗତି କରିଥିଲା। ଏ ବାବଦରେ ଅନେକ ଥର ସେବାୟତ ବର୍ଗ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବିଫଳ ହୋଇଥିବା କହିଛନ୍ତି।