Crime News: ପୁଣି ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ଦୁର୍ବୁତ୍ତମାନେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ସଦର ଥାନା ଅନ୍ତର୍ଗତ ଅଙ୍କି ପାଟଣାର ବାବୁ ବରାଳ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ହସ୍ପିଟାଲ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଦୁର୍ବୁତ୍ତମାନେ ଆକ୍ରମଣ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। କିଛି ଦୁର୍ବୁତ୍ତ କିଭଳି ଅତି ଅମାନୁଷିକ ଭାବେ ଜଣେ ଯୁବକକୁ ଲୁହା ଜିଆଇ ପାଇପ୍ ରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଏଥିସହ ଯୁବକର ଦୁଇ ଗୋଡ ଓ ହାତକୁ ଦୁର୍ବୁତ୍ତମାନେ ଲୁହା ପାଇପ୍ ରେ ଆକ୍ରମଣ କରି ଚୁନା କରିଦେଇଛନ୍ତି।
ବୁଧିଆବର ଛକ କଳଘର ନିକଟରେ ଘଟିଛି ଏହି ଘଟଣା। ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ଦୁର୍ବୁତ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାକୁ ନେଇ ପୁରୀ ସଦର ଥାନାରେ ବାବୁ ବରାଳଙ୍କ ପତ୍ନୀ ସୁମିତ୍ରା ବରାଳ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ପୁରୀ ଏସପି ପ୍ରତୀକ ସିଂ ଏହି ଘଟଣାକୁ ଗୁରୁତର ସହ ନେଇ ଦୁର୍ବୁତ୍ତମାନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ପଦକ୍ଷେପ ନେବାକୁ ଦାବି ହୋଇଛି।