)
Odisha News: ଖୋର୍ଦ୍ଧାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଧବଳେଶ୍ୱର ଦେବଙ୍କ ମନ୍ଦିରରେ ଶହ ଶହ ବର୍ଷ ଧରି ପାଳିତ ହୋଇଆସୁଅଛି ବଡ଼ଓଷା ପର୍ବ । ଏଠାରେ ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପର୍ବ ପାଇଁ ରାଜ୍ୟର ବିଭିନ୍ନ ଅଂଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ପୀଠର ବିଶେଷତ୍ୱ ହେଉଛି ଧବଳେଶ୍ୱର ଦେବଙ୍କ ହାବୁକା ଦର୍ଶନ ସହିତ ମାନସିକ ପୁରଣ ହୋଇଥିବା ଭକ୍ତଙ୍କ ଅଟ୍ଟକାଳି ଭୋଗ ଓ ଗଜଭୋଗ । ସେପଟେ ଶ୍ରଦ୍ଧାଳୁଙ୍କ ଭିଡ଼ିକୁ ଦେଖି ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଖୋର୍ଦ୍ଧା ଗୁରୁଜଙ୍ଗରେ ବିଜେ ଶ୍ରୀ ଶ୍ରୀ ଧବଳେଶ୍ୱର ଦେବଙ୍କ ପୀଠରେ ପ୍ରସିଦ୍ଧ ବଡ଼ଓଷା ପାଇଁ ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଲମ୍ବା ଧାଡ଼ି । ହାତରେ ଭୋଗଥାଳି,ଫୁଲ ଧରି ରାତି ୩ଟାରୁ ହଜାର ହଜାର ଭକ୍ତ ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ଦର୍ଶନ କରିଛନ୍ତି । ଏଥିସହ କିଏ ନଡ଼ିଆ କୋରାଇବାରେ ବ୍ୟସ୍ତ ତ ଆଉ ଚୁଡ଼ା ଘଷିବାରେ ଲାଗିପଡ଼ିଛନ୍ତି । ବିଶ୍ୱାସ ରହିଛି ବଡ଼ଓଷା ଦିନ ଦୀପଟିଏ ଜାଳି ଧବଳେଶ୍ୱରଙ୍କ ପାଖରେ ମାନସିକ ରଖିଲେ,ତାହା ନିଶ୍ଚିନ୍ତ ଭାବେ ପୁରଣ ହୋଇଥାଏ । ଏଥିସହ ହବିଶିଆଳୀମାନେ ମଧ୍ୟ ଭଜନକିର୍ତନ ସହ ବୃନ୍ଦାବତୀଙ୍କ ପୂଜାର୍ଚନା କରିଥାନ୍ତି ।
ତେବେ ଏହି ପୀଠର ଏକ ସ୍ୱତନ୍ତ୍ରତା ରହିଛି । ଏଠାରେ ମନ୍ଦିର ଭିତରେ ଶକ୍ତି ଦର୍ଶନ ବେଳେ ପାଦୁକ ଭିତରୁ ହାବୁକା ଉଠିଥାଏ । ଏଭଳି ଦର୍ଶନ ପାଇବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଥାଏ । ଠିକ୍ ସେହିପରି ଯେଉଁ ମାନଙ୍କର ମାନସିକ ପୁରଣ ହୋଇଥାଏ, ସେମାନେ ଧବଳେଶ୍ୱରଙ୍କ ପୀଠରେ ଅଟକାଳୀ ଭୋଗ ରୋଷେଇ କରି ପୂଜା କରିଥାନ୍ତି । ଏହାଛଡ଼ା ଗଜଭୋଗ ମଧ୍ୟ ରାତ୍ର ସମୟରେ ପୂଜା କରାଯାଇଥାଏ । ଯାହାକି ଅନ୍ୟ କୌଣସି ଶୈବପୀଠରେ ଏଭଳି ପରମ୍ପରା ଦେଖିବାକୁ ମିଳିନଥାଏ । ବଡ଼ଓଷା ପର୍ବ ତିନି ଦିନ ଧରି ଚାଲିବାକୁ ଥିବା ବେଳେ, ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକ ଆଗମନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ “ଆମ ବଡ଼ଓଷା ପରବ” କରାଯିବ ବୋଲି ଗୁରୁଜଙ୍ଗ ଯୁବ ପରିଷଦର ସଂପାଦକ ଜିତେନ୍ଦ୍ର ସାହୁ କହିଛନ୍ତି ।